Odiapua.com

ବନ୍ତରେ ବିଜେଡି ପର୍ଯ୍ୟବେକ୍ଷକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା, ଦଳ ସୁଦୃଢ ଥିବା କହିଲେ ସଞ୍ଜୟ ଦାସ ବର୍ମା

ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବନ୍ତ ବିଜେଡିର ସାଂଗଠନିକ ବୈଠକ ଆଜି ସ୍ଥାନୀୟ ଜଳ ସେଚନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ବିଜେଡି ସମ୍ପାଦକ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା ଯୋଗଦେଇ କହିଲେ, ଆଗାମୀ କିଛି ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନରେ ପୁଣିଥରେ ଦଳ ବିଜୟ ଲାଭ କରିବା ସହ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବେ । ତେବେ ଏଠାରେ ଦଳ ଓ ସଂଗଠନ ସୁଦୃଢ ଥିବା ସେ ଅନୁଭବ କରି ପାରୁଥିବା ବେଳେ ଏଠାରେ ପ୍ରତିନିଧିତ୍ୱ କରୁଥିବା ବର୍ତ୍ତମାନର ବିଧାୟକ ପ୍ରଫୁଲ୍ଲ ସାମଲ ସରକାରରେ ସାମିଲ ହେବା ନିହାତି ଅପରିହାର୍ଯ୍ୟ ବୋଲି କହି କର୍ମୀ ମାନଙ୍କ ମନ ବଳକୁ ବଢାଇଥିଲେ । ଏକଦା ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ଏଠାକାର ବିଧାୟକ ପ୍ରଫୁଲ୍ଲ ସାମଲ ଥିବା ବେଳେ ସେ କେବେ କ୍ଷମତାକୁ ଅପେକ୍ଷା ନକରି ସର୍ମପିତ ଭାବେ ଦଳର ଉତ୍ଥାନ ଦିଗରେ କାର୍ଯ୍ୟ କରିଆସୁଛନ୍ତି । ଏବେ ସେ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଭାବେ ରହି ବିଭିନ୍ନ ସମୟରେ ବିଭିନ୍ନ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇ ଆସୁଥିବାରୁ ତାଙ୍କୁ ଆଗାମୀ ନିର୍ବାଚନରେ ଅଧିକ ଜନସମର୍ଥନ ଦେବାକୁ ସେ ନିବେଦନ କରିଥିଲେ ।

ପ୍ରାରମ୍ଭରେ ବ୍ଲକ୍ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି ଦଳର ସାଂଗଠନିକ ତଥ୍ୟ ପ୍ରଦାନ ପୂର୍ବକ ଏଠାରେ ଥିବା ୩ଗୋଟି ଜୋନ୍‌ରେ ଦଳୀୟ ଜିଲ୍ଲା ପରିଷଦ ସଭ୍ୟା, ୨୫ଗୋଟି ପଞ୍ଚାୟତ ମଧ୍ୟରୁ ୨୦ଜଣ ସରପଞ୍ଚ ଏବଂ ୨୧ଜଣ ନିର୍ବାଚିତ ସମିତି ସଭ୍ୟ ଦଳରେ ରହିଥିବା ପ୍ରକାଶ କରିଥିଲେ । ବୈଠକରେ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ବିଜୁ ଜନତା ଦଳ ମା କୁ କାମ ଗାଁ କୁ ସମ୍ମାନ ନେଇ କାର୍ଯ୍ୟ କରୁଥିବା ବେଳେ ଆଜି ୧୫ଗୋଟି ବିଭାଗରେ ମା ମାନେ ନିଜକୁ ସାମିଲ କରି ସ୍ୱାବଲମ୍ବି ହେଉଛନ୍ତି,ଫଳରେ ସେମାନେ ଆଜି ଘର ସମେତ ସ୍ୱାମୀଙ୍କୁ ଚଳାଉଥିବା ବେଳେ ମହିଳା ପ୍ରାଧାନ୍ୟ ଯୁଗ ଏ ସରକାର ଅମଳରେ ହୋଇପାରିଛି ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ଜିିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ୍ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାସ, ବ୍ଲକ୍ ମହିଳା ସଭାନେତ୍ରୀ ନିହାରିକା ରାଉତ, ବରିଷ୍ଠ କର୍ମୀ ସେକ୍ ଜଲାଲୁବ୍ଦିନ୍‌, ବ୍ଲକ୍ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ନିଳୋକ ସମିତି ସଭ୍ୟ ଉଦ୍ଧବ ସେଠୀ, ଅନନ୍ତ ଦାସ ବିଜେଡିରେ ଯୋଗଦାନ କରିଥିଲେ । ତାଙ୍କୁ ପର୍ଯ୍ୟବେକ୍ଷକ ଦଳରେ ଗ୍ରହଣ କରିଥିବା ବେଳେ ହଜାରେ ସଂଖ୍ୟାର ଦଳୀୟ କର୍ମୀ ଟିଲୋ ସ୍ଥିତ ତ୍ରିକୋଣା ଛକ ଠାରୁ ଦଳୀୟ ପର୍ଯ୍ୟବେକ୍ଷକ ଓ ନେତୃତ୍ୱଙ୍କୁ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ । ବିଧାନସଭା ନେତା ବିପିନ ନାୟକ, ଛାତ୍ର ନେତା ପ୍ରଣବ ଲେଙ୍କା, ଆଲୋକ ରାଉତ, ବିଜୟ ନାୟକ, ଗଣନାଥ ବେହେରା, ଶକ୍ତିଧର ରାଉତ ପ୍ରମୁୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।