Odiapua.com

ବନ୍ତଛକ ଓଭରବ୍ରିଜ୍ ତଳେ ବିତୁଛି ଜୀବନ

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୩ ମାସ ହୋଇଗଲା । ଭଦ୍ରକ ସହରର ବ୍ୟସ୍ତବହୁଳ ବନ୍ତଛକ ଓଭରବ୍ରିଜ୍ ତଳେ ପଡିରହିଛନ୍ତି ଜଣେ ଅସହାୟ ବୃଦ୍ଧା । ଦିନବେଳା ଉକ୍ତ ଛକରେ ଲୋକଙ୍କ କୋଳାହଳ ମଧ୍ୟରେ ହଜିଯାଉଛି ବୃଦ୍ଧାଙ୍କ ବିଳାପ । ଆଉ ସଂଜ ନଇଁ ରାତି ବଢିଲେ ଶୁଭିଥାଏ ତାଙ୍କର ଯନ୍ତ୍ରଣାଭରା ଅସ୍ପଷ୍ଟ ଚିତ୍କାର । ସେହି ବାଟ ଦେଇ ପ୍ରତ୍ୟେକ ଦିନ ଯା’ ଆସ କରୁଛନ୍ତି ହଜାର ହଜାର ପଥଚାରୀ । ସେଠାରେ ମଧ୍ୟ ମୁଖ୍ୟ ବସ୍‌ଷ୍ଟାଣ୍ଡ । ବୃଦ୍ଧାଙ୍କ ଅସହାୟ ଅବସ୍ଥା ଦେଖି ପଥଚାରୀ ଆହା ଚୁ ଚୁ କହିବା ବ୍ୟତୀତ କିଛି କରିପାରନ୍ତି ନାହିଁ । ତାଙ୍କର ଅସହାୟ ଅବସ୍ଥା ଦେଖିଲେ ଯେ କେହି କହିବ ସରକାରଙ୍କ ସାମାଜିକ ସୁରକ୍ଷା ବ୍ୟବସ୍ଥା ଏହି କ୍ଷେତ୍ରରେ ସଂପୂର୍ଣ୍ଣ ଫେଲ୍ ମାରିଛି । କିଛି ନହେଲେ ପ୍ରଶାସନ କିମ୍ବା କୌଣସି ସାମାଜିକ ସଂଗଠନ ଉକ୍ତ ବୃଦ୍ଧାଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରି ତାଙ୍କ ଘରେ ବି ଛାଡି ଦେଇପାରନ୍ତା । ମାତ୍ର ସେପରି ଏଯାବତ୍ କିଛି ଦେଖିବାକୁ ମିଳିନାହିଁ । କୋଭିଡ୍ ପ୍ରଥମ ଲହର ସମୟରେ ପୌର କର୍ତ୍ତୃପକ୍ଷ ବନ୍ତଛକ ସମେତ ବିଭିନ୍ନ ସ୍ଥାନରେ ଅସହାୟ ଅବସ୍ଥାରେ ପଡିରହି ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିବିଶେଷଙ୍କୁ ସଂକ୍ରମଣ ଭୟରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଅନ୍ୟତ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ । ଫଳରେ ଦୀର୍ଘ ଏକବର୍ଷ ଧରି ଏହି ଛକରେ ଆଉ କୌଣସି ଅସହାୟ ବ୍ୟକ୍ତି ରାତ୍ରୀଯାପନ କରିବା ଦେଖିବାକୁ ମିଳୁନଥିଲା ।

ପୁଣି ଗତ ୩ ମାସ ହେଲା ସେଠାରେ ଦେଖିବାକୁ ମିଳୁଛି ଏହି ବୃଦ୍ଧାଙ୍କୁ । ଏହି ବୃଦ୍ଧା ଜଣକ ବନ୍ତଛକ ଓଭରବ୍ରିଜ୍ ତଳେ ବର୍ଷା, ଶୀତରେ ପଡି ରହିଛନ୍ତି । ତାଙ୍କ ନିକଟରେ ଶୀତବସ୍ତ୍ର ନାହିଁ କିମ୍ବା ଶୋଇବାକୁ ବିଛଣା ମଧ୍ୟ ନାହିଁ । ପାରିବାରିକ ନିର୍ଯ୍ୟାତନା ହେଉ କିମ୍ବା ଅନ୍ୟ କୌଣସି କାରରରୁ ଏହି ବୃଦ୍ଧା ଜଣକ ସଂପୂର୍ଣ୍ଣ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଏହି ବୃଦ୍ଧା ଜଣକ ସଂପୂର୍ଣ୍ଣ ମୂକ ପାଲଟି ଯାଇଛନ୍ତି । ତେବେ ଯାହା ପଚାରିଲେ ମଧ୍ୟ ମୁହଁରୁ ପଦଟିଏ କଥା ବାହାରୁନାହିଁ । ଶୁଣିବାକୁ ମିଳୁଛି ଯେ ସଂପୃକ୍ତ ବୃଦ୍ଧାଙ୍କ ଘର ନିକଟସ୍ଥ ସାତଭଉଣୀ ଅଂଚଳରେ । ଘରେ ପୁଅବୋହୂ, ନାତି ନାତୁଣୀ ମଧ୍ୟ ଅଛନ୍ତି । ମାତ୍ର ସେମାନଙ୍କ ପାଇଁ ସତେ ଯେମିତି ଅଲୋଡା ହୋଇ ପଡିଛନ୍ତି ଏହି ବୃଦ୍ଧା । ଦୁଇଦିନ ପୂର୍ବେ ରାତି ଅଧରେ ଜଣେ ମଦ୍ୟପ ଯୁବକ ଭାରସାମ୍ୟ ହରାଇ ନିଜ ବାଇକ୍ ବୃଦ୍ଧାଙ୍କ ଉପରେ ଚଢାଇ ଦେଇଥିଲେ । ସାମାନ୍ୟ ଆହତ ହୋଇ ଅଳ୍ପକେ ସେ ବଂଚି ଯାଇଛନ୍ତି । ତେବେ ଜଣେ ଅସହାୟଙ୍କ ଏପରି ଅବସ୍ଥା କିପରି ଜିଲା ପ୍ରଶାସନ କିମ୍ବା ନିଜସ୍ୱ ପ୍ରଚାରରେ ଲାଗିଥିଲା, ମାଳ ମାଳ ସାମାଜିକ ଅନୁଷ୍ଠାନ କର୍ମକର୍ତ୍ତାଙ୍କ ନଜରକୁ ଆସୁନାହିଁ, ତାହା ଆଶ୍ଚର୍ଯ୍ୟଜନକ । ଜିଲା ପ୍ରଶାସନ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରି ତାଙ୍କ ଘରେ ଛାଡିବାକୁ ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି ।