Odiapua.com

ବନବିଭାଗର ମିଳିତ ଚଢାଉ ୭୦ ହଜାର ଟଙ୍କାର ଶାଳକାଠ ସହ ୧ଲକ୍ଷ ଟଙ୍କାର ପିଆଶାଳ କାଠ ଜବତ

ହରିଚନ୍ଦନପୁର,ତା ୧୫ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଦେଉଗାଁ ରେଞ୍ଜ ଅର୍ନ୍ତଗତ ଭଗାମୁଣ୍ଡା ବନପାଳଙ୍କ ଅଧିନସ୍ଥ ଗୋବରା ଓ ଗମ୍ଭାରୀଆ ଗ୍ରାମରେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉ ୭୦ ହଜାର ଟଙ୍କାର ଶାଳକାଠ ସହ ୧ଲକ୍ଷ ଟଙ୍କାର ପିଆଶାଳ କାଠ ଜବତ ହୋଇଛି । ଖବର ଅନୁଯାୟୀ ଉକ୍ତ କାଠଗୁଡିକ ନିକଟସ୍ଥ ଜଙ୍ଗଲରୁ କାଟି ମାଫିଆମାନେ ଚୋରା ଚାଲାଣ କରିବା ପାଇଁ ଉଦ୍ୟମ ଚଳାଇଥିଲେ । ହେଲେ ବନବିଭାଗର ପେଟ୍ରୋଲିଂ ଚାଲିଥିବାକୁ ନେଇ ଚୋରା ଚାଲାଣ କରିବାରେ ବିଫଳ ହୋଇଥିଲେ । ରବିବାର ରାତି ଆଳୁଘାଟି ନିକଟସ୍ଥ ଗୋବରା ହୁଡି ଉପରୁ ପିଆଶାଳ ଗଛ କଟାଯାଇ ଚୋରା ଚାଲାଣ କରିବା ପାଇଁ ମାଫିଆ ଉଦ୍ୟମ ଚଳାଇଥିଲେ । ହେଲେ ଡିଏଫଓ ଅଜିତ କୁମାର ଶତପଥିଙ୍କ ନିର୍ଦ୍ଦେଶ କ୍ରମେ ହରିଚନ୍ଦନପୁର ଓ ଭଗାମୁଣ୍ଡା ବନବିଭାଗର ମିଳିତ ଚଢାଉ, ୧ଲକ୍ଷ ଟଙ୍କାର ପିଆଶାଳକାଠ ଜବତ ହୋଇଥିଲା । ସେହିପରି ସୋମବାର ରାତି ଗମ୍ଭରୀଆ ନିକଟସ୍ଥ ଜଙ୍ଗଲରୁ ଶାଳଗଛ କାଟି ଚୋରା ଚାଲାଣ କରିବାକୁ ଉଦ୍ୟମ ଚଳାଇଥିଲେ । ହେଲେ ବନବିଭାଗର ଚାଲିଥିବା ପେଟ୍ରୋଲିଂକୁ ଦେଖି ମାଫିଆମାନେ ଘଟଣାସ୍ଥଳରୁ ପଳାଇଥିଲେ । ପେଟ୍ରୋଲିଂ ଟିମ୍ କାଠ ଗୁଡିକୁ ଶାରାରାତି ଜଗିବା ସହ ଆଜି ଏକ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି । ଶାଳକାଠ ଗୁଡିକର ମୂଲ୍ୟ ୭୦ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ହରିଚନ୍ଦନପୁର ବନପାଳ ସୂଚନା ଦେଇଛନ୍ତି । ଉକ୍ତ ଚଢାଉରେ ଦେଓଗାଁ ରେଞ୍ଜ ଅଫିସର ସୁରେନ୍ଦ୍ରନାଥ ହେମ୍ରମ, ଫରେଷ୍ଟର ଦାଶରଥି ବେଜ, ହରିଚନ୍ଦପୁର ବନପାଳ ବୁଦ୍ଧଦେବ ସାହୁ, ଡ୍ରାଇଭର ସଞ୍ଜୟ ମହାନ୍ତ, ଭଗାମୁଣ୍ଡା ଫରେଷ୍ଟ ଗାର୍ଡ ମଙ୍ଗୁଳି ଚରଣ ସାହାଙ୍କ ସମେତ ବିଭାଗର ଅନ୍ୟ କର୍ମଚାରୀଙ୍କ ସହଯୋଗରେ ଏହି ମିଶନ ସଫଳ ହୋଇଛି ।