ତେଲକୋଇ, ୨୦ ଡିସେମ୍ବର(ଓଡିଆ ପୁଅ/ଅକ୍ଷୟ ପ୍ରଧାନ) ତେଲକୋଇ ବନାଞ୍ଚଳ ଅଧିନସ୍ଥ ବିମଳା ପରେଷ୍ଟ ବିଟ ଅଞ୍ଚଳର ଟାଙ୍ଗିରି ଗାଁରେ ୨୦୧୭ ମସିହାରେ ଟିକରଲ୍ୟାଣ୍ଡ ଠିକାଦାର ଜଙ୍ଗଲଜମିକୁ ବ୍ୟକ୍ତିଗତ ପଟ୍ଟା ଦର୍ଶାଇ ୧୧ଟି ଶାଳ ଗଛକୁ କାଟି ପକାଇଲେ। ଏନେଇ ଟାଙ୍ଗିରି ଗ୍ରାମବାସୀ ସ୍ଥାନୀୟ ତହସିଲଦାର, ବନାଞ୍ଚଳ ଅଧିକାରୀ ଓ କେନ୍ଦୁଝର ବନଖଣ୍ଡ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୈାଣସୀ ସୁଫଳ ମିଳି ନଥିଲା। ସଠିକ ମାପଚୁପ କରାଯାଇ ସେମାନଙ୍କୁ ଗଛ କାଟିବା ପାଇଁ ଅନୁମତି ଦିଆଯାଇଛି ବୋଲି ରାଜସ୍ୱ ଓ ବନବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଫେଇ ଦିଆଯାଇଥିଲା। ତେବେ ଗ୍ରାମବାସୀ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ। ୨୦୧୭ ମସିହା ମେ ମାସ ୨୦ ତାରିଖ ରେ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଅଭିଯୋଗ କରିଥିଲେ।ଏହି ଘଟଣାର ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଫିସରୁ ୨୦୧୮ ମସିହା ଜୁନ ମାସରେ ଚିଠି ନମ୍ବର ୩୦୭ ଓ ୩୦୮ରେ କେନ୍ଦୁଝର ଜିଲ୍ଲା ସବ୍କଲେକ୍ଟର ଓ ଏଡିଏମଙ୍କ ପାଖକୁ ଆସିଥିଲା। ସବ୍କଲେକ୍ଟର ଙ୍କ ଉପସ୍ଥିତିରେ ସ୍ଥାନୀୟ ରେଞର, ତହସିଲଦାର ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମିଳିତ ଭାବେ ଆଉଥରେ ମାପଚୁପ କରିଥିଲେ। ସେଥିରେ ସରକାରୀ ଜଙ୍ଗଲ ଜମିରୁ ୧୧ ଟି ଶାଳ ଗଛକୁ ବେଆଇନ ଭାବେ କଟା ଯାଇଥିବା ବିଷୟ ସାମନା କୁ ଆସିଥିଲା। ଗ୍ରାମବାସୀଙ୍କ ଅଭିଯୋଗ ସତ ପ୍ରମାଣିତ ହୋଇଥିଲା।ଏବଂ ପ୍ରାୟ ୧୮ ଲକ୍ଷ ଟଙ୍କାର କାଠକୁ ସବ୍କଲେକ୍ଟରଙ୍କ ଉପସ୍ଥିତିରେ ସିଜ ମଧ୍ୟ କରାଯାଇଥିଲା। ତେବେ ବେଆଇନ ଭାବେ ସଂରକ୍ଷିତ ଜଙ୍ଗଲରୁ ଗଛ କାଟିଥିବା ଠିକାଦାର ଓ ଚଞ୍ଚକତା କରିଥିବା ସଂପୃକ୍ତ ରାଜସ୍ୱ ବିଭାଗର କର୍ମଚାରୀ ଓ ବନବିଭାଗର କର୍ମଚାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୈାଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସେପଟେ ଜଙ୍ଗଲରୁ ରୋଷେଇ ପାଇଁ ଉଦିଷ୍ଟ ଜାଳେଣି କାଠ କୁ ସଂଗ୍ରହ କରି ମୁଣ୍ଡରେ ବୋହି ଆଣୁଥିବା ଲୋକଙ୍କୁ ହଇରାଣ କରିବାରେ ପଛାଉ ନଥିବା ବନବିଭାଗ କର୍ମଚାରୀ ଚଞ୍ଚକତା କରି ମାଫିଆଙ୍କୁ ଘଂଟ ଘୋଡାଉଥିବା ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଛି। ଗତ ସେପ୍ଟେମ୍ବର ମାସ ୨୭ ତାରିଖରେ ତେଲକୋଇ ବନବିଭାଗ ପକ୍ଷରୁ ଶାଳ ପଟା ବୋଝେଇ ୧୦ ଚକିଆ ଟ୍ରକକୁ ଜବତ କରାଯାଇଥିଲା। ତେବେ ଚଞ୍ଚକତା କରି ବନାଞ୍ଚଳ ଅଧିକାରୀ ତାକୁ ମଧ୍ୟ ରାତି ଅଧିଆ ଛାଡି ଦେଇଥିଲେ। ସରକାର ଜଙ୍ଗଲ ସୁରକ୍ଷା ପାଇଁ କର୍ମଚାରୀ ନିଯୁକ୍ତି ସହ ଦରମା ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଗାଁ ଗାଁରେ ଜଙ୍ଗଲ ସୁରକ୍ଷା କମିଟ ଗଠନ କରାଯାଉଛି। ହେଲେ ଜଙ୍ଗଲ ସୁରକ୍ଷା ଆଳରେ ବନବିଭାଗ କର୍ମଚାରୀ ଓ ଅଫିସର ଜଙ୍ଗଲ ମାଫିଆ ଙ୍କ ସହିତ ମଧୁଚନ୍ଦ୍ରିକା କରି ମାଲାମାଲ ହେଉଛନ୍ତି। ସେପଟେ ସେସ୍ ପ୍ରଦାନ କରୁଥିବା ସ୍ଥାନୀୟ ଜନସାଧାରଣ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉଚିତ ପାଉଣା ଦେଇ ଜଙ୍ଗଲଜାତ ଦ୍ରବ୍ୟ ବ୍ୟବହାର କରିବାର ସରକାରୀ ନିୟମ ରହିଥିଲେ ମଧ୍ୟ ତାକୁ ଉପେକ୍ଷା କରାଯାଉଥିବା ଘଟଣା ଦେଖିବାକୁ ମିଳୁଛି।