Odiapua.com

ବଦଳିଲା ପୁଅ : ଖୁସି ଲାଗିଲା

ବେକାରୀ ସମସ୍ୟା ବଡ ଚିନ୍ତାଜନକ ବିଷୟ। ରୋଜଗାର ନଥିଲେ ମାନସିକ ଦୁଶ୍ଚିନ୍ତା ବଢୁଛି, ଯାହା ପାଇଁ ଆତ୍ମହତ୍ୟା, ପାରିବାରିକ ବିଶୃଙ୍ଖଳା, ଚୋରି, ଲୁଟ୍ ଓ ବିଭିନ୍ନ ପ୍ରକାରର ହିଂସା ଘଟଣା ମାନ ସବୁ ଘଟୁଛି। ଆଧୁନିକ ଯୁଗ ସହିତ ତାଳ ଦେଇ ଚାଲିବାକୁ, ହେଲେ ସବୁରି ମୂଳରେ ଟଙ୍କା, ଯଦି ଟଙ୍କା ନାହିଁ ତ ସବୁ କାମ ବଙ୍କା। ଆଜିକାଲିକା ପିଲା କିଏ କାହା କଥା ମାନୁଛନ୍ତି ? ଯାହାର ଯାହା ଇଛା ହେଲା ସେ ତାହା କଲା। ଅନେକ ପିଲା ଅଛନ୍ତି, ଉପଦେଶ ତ ଦୂରର କଥା କାହାର ପରାମର୍ଶ ବି ସେମାନଙ୍କୁ ଭଲ ଲାଗେନି। ଭୁଲ ବାଟରେ ଯାଇଥାନ୍ତି, ଯେତେବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ସେତେବେଳକୁ ଆଉ ସମୟ ନଥାଏ, ଖାଲି ପଶ୍ଚାତାପ କରିବା କଥା।

ଆମ ଅଞ୍ଚଳର ଚିନ୍ତା ମଉସା ଙ୍କ ପୁଅ ବୀରବର, ଭୁବନେଶ୍ୱର ରେ ରହି ପଢୁଥିଲା କିନ୍ତୁ କିଛି ବର୍ଷ ହେଲା ଗାଁ ରେ ଅଛି। ଏମିତି ଗୋଟେ ଦିନ ମଉସା ଦେଖା ହୋଇଗଲେ ତେଣୁ ତାଙ୍କୁ ପଚାରିଲି ପୁଅ ର ପାଠ ପଢା ସରିଗଲାଣି କି ? ମଉସା କହିଲେ କ’ଣ କେମିତି ପଢୁଥିଲା କେଜାଣି ପାଠ ପଢା ତାର ଅଧାରେ ରହିଗଲା। ତାଙ୍କ କଥାକୁ ମୁଁ ବୁଝିପାରିଲିନି, ତେଣୁ ପଚାରିଲି ମଉସା ଏମିତି କ’ଣ କହୁଛନ୍ତି ? ସେ କହିଲେ ଖଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ ? ବହୁତ କଷ୍ଟ କରି ତାକୁ ପଢାଉଥିଲି। ନିଜେ ନଖାଇ ତାକୁ ମଣିଷ କରିବା ପାଇଁ ଚେଷ୍ଟା କରୁଥିଲି, ହେଲେ ସବୁ ବିଫଳ ହେଇଗଲା। ପାଠ ପଢା ଅଧାରୁ ଛାଡି ଘରେ ରହୁଛି, ରୋଜଗାର ଟଙ୍କାଟେ ନାହିଁ, ମୋ ଉପରେ ବୋଝ ହୋଇ ରହିଛି। ସେ ମୋତେ କ’ଣ ପୋଷିବ, ମୋ ପାଖରୁ ଟଙ୍କା ନେଇକି ବାଜେ ଖର୍ଚ କରୁଛି, ଟଙ୍କା ନଦେଲେ ଘରେ ବିଶୃଙ୍ଖଳା କରୁଛି। ତାର ନାମ ବୀର ରଖିଥିଲି, ଭାବିଥିଲି ବୀର ପରି କାର୍ଯ୍ୟ କରିବ। ସେ କେବଳ ନାଲି ପାଣି ପିଇବାରେ ବୀର ଆଉ ସବୁ କଥାରେ ସ୍ଥିର। ମଦ ଦୋକାନଟା ଦୂରରେ ଥିଲେ ଭଲ ହୋଇଥାନ୍ତା, ତେଲ ର ମୂଲ୍ୟ ଯାହା ହେଲାଣି, ଗାଡି ନେଇ ମଦ ଆଣିବାକୁ ଟିକେ ଅସୁବିଧା ହେଇଥାନ୍ତା କିନ୍ତୁ ଦୋକାନ ଟା ପାଖରେ ଥିବାରୁ ଚାଲି ଚାଲି ନେଇ ଆସୁଛି। ସାଙ୍ଗସାଥି ଙ୍କ ସହିତ ପିଇଦେଇ ଘରେ ଆସି ମୋବାଇଲ ସହିତ ସମୟ ଅତିବାହିତ କରୁଛି। ମଉସାଙ୍କର ଏପ୍ରକାର କଥା ଶୁଣି ଭାବିଲି ବୀରବର ସହିତ ଟିକେ କଥା ହେବି, ତେଣୁ ଦିନେ ମଉସାଙ୍କ ଘରକୁ ଗଲି, ଯାହା ହଉ ମଉସା ଆଉ ବୀରବର ଉଭୟ ଘରେ ଥିଲେ। ବେଶି କିଛି ଆଲୋଚନା ନକରି କେବଳ ପଚାରିଲି, ବୀରବର ତମେ ଘରେ ବସିଛ, ବୁଢା ବାପ ଟଙ୍କାରେ କେତେ ଦିନ ଏମିତି ଚଳୁଥିବ, ଘରେ ବସିଲେ ଚିନ୍ତା ବଢିବ, ଚିନ୍ତା ବଢିଲେ ଖରାପ ବାଟରେ ଯିବ ତେଣୁ କିଛି ଗୋଟେ କାମଧନ୍ଦା କର। ସେ କହିଲା କ’ଣ ଟା କରିବି ଯେ ? ବାପା ଯଦି କିଛି ଟଙ୍କା ଦିଅନ୍ତେ, ତାହେଲେ କିଛି ଗୋଟେ ବେପାର କରନ୍ତି, ବାପା ତ କିଛି ଶୁଣୁ ନାହାନ୍ତି। ମୁଁ କହିଲି ନିଜ ଚେଷ୍ଟାରେ କିଛି କର, ବାପା ତମର ବୁଢା ହେଲେଣି ତାଙ୍କ ଉପରେ ସବୁବେଳେ ନିର୍ଭର କରିବା ଠିକ୍ ନୁହେଁ। ବର୍ତମାନ ତମେ ତାଙ୍କର ଭଲ ମନ୍ଦ ବୁଝିବା କଥା। ବୀରବର କହିଲା ତେବେ ବିନା ଟଙ୍କାରେ କ’ଣ ଟା କରିବି ଯେ ? ମୁଁ କହିଲି, କୃଷି ଆମର ର ଅର୍ଥନୈତିକ ମେରୁଦଣ୍ଡ, କଥାରେ ଅଛି ଚାଷ ନାହିଁ ଯାହାର, ବାସ ନାହିଁ ତାହାର। ଆମ ଅଞ୍ଚଳର ଜଳବାୟୁ କୃଷି, ମାଛ ଚାଷ, ଗୋପାଳନ ପାଇଁ ଉପଯୋଗୀ ଅଟେ। ଆତ୍ମନିର୍ଭର ହେବାକୁ ଇଚ୍ଛା ଥିଲେ ମଧ୍ୟ ସମସ୍ତଙ୍କ ପାଖରେ ଆର୍ଥିକ ସମ୍ବଳ ଓ ବୈଷୟିକ ଜ୍ଞାନ ନାହିଁ। ତେଣୁ ବେକାରୀ ସମସ୍ୟାକୁ ଦୂରୀକରଣ କରିବାକୁ ସରକାର ବିଭିନ୍ନ ପ୍ରକାର ସମୟ ଉପଯୋଗୀ ଯୋଜନା କାର୍ଯ୍ୟକାରୀ କରି ପ୍ରୋତ୍ସହାନ ଦେଉଛନ୍ତି। ଯାହା କରିବାକୁ ତୁମର ଆଗ୍ରହ ଅଛି ସେହି ବିଭାଗ ର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଯୋଗାଯୋଗ କର। ଆର୍ଥିକ ସହାୟତା ଓ ରିହାତି ମିଳିବା ସହିତ ବୈଷୟିକ ତାଲିମର ସୁବିଧା ବି ମିଳିବ। ମଉସା କହିଲେ ଠିକ୍ କଥା କିନ୍ତୁ ବୀରବର କହିଲା ସହାୟତା ପାଇବାକୁ ହେଲେ ବହୁତ ଦୌଡିବାକୁ ପଡିବ। ତାର କଥା ଶୁଣି ମଉସା ରାଗିଗଲେ, କହିଲେ ଓହୋ, ନାଲି ପାଣି ଦୋକାନ କୁ କେମିତି ଦୌଡ଼ି ଯାଉଛୁ ? ସେତେବେଳକୁ କଷ୍ଟ ହଉନି କିନ୍ତୁ ସେମାନେ ଆର୍ଥିକ ଓ ବୈଷୟିକ ସହାୟତା ଦେବେ, ତାର ପୁଣି କେତେ ନିୟମ କାନୁନ ଥିବ, ସବୁ ଦେଖିକି ଦେବେ ନା ତୁ ଯାଇ ପହଞ୍ଚିଗଲେ ତୋ ପକେଟରେ ଟଙ୍କା ଗୁଡା ପୂରେଇଦେବେ। ମଉସାଙ୍କ ରାଗ ଦେଖି ମୁଁ କହିଲି ବାବା ବୀରବର ଟିକେ କଷ୍ଟ କର, କଷ୍ଟ କଲେ କୃଷ୍ଣ ମିଳନ୍ତି। ତମେ କୁହ କ’ଣ କରିପାରିବ ? ତୁମର କ’ଣ ସୁବିଧା ଅଛି ? କିଛି ସମୟ ପରେ ବୀରବର କହିଲା ଆମର ଜମି ଅଛି ଯାହା କି ମାଛ ଚାଷ ପାଇଁ ଉପଯୋଗୀ ହୋଇପାରିବ। ଆମ ଅଞ୍ଚଳରେ ମାଛ ର ବହୁତ ଚାହିଦା ଅଛି। ଆନ୍ଧ୍ରରୁ ଆସୁଥିବା ମାଛ ର ଭଲ ସ୍ୱାଦ ନଥିଲେ ବି ଲୋକ କିଣି ନେଇଯାଉଛନ୍ତି। ଆମ ଦେଶୀ ମାଛର ଚାହିଦା ବେଶି ଓ ଅଧିକ ମୂଲ୍ୟରେ ବି ବିକ୍ରି ହେଉଛି ତେଣୁ ଭାବୁଛି ମାଛ ଚାଷ କରିବି। ମୁଁ କହିଲି ବାବା ଯାହା କହିଲ ଏକଦମ ଠିକ୍ କଥା ତେଣୁ ତୁମେ ମତ୍ସ୍ୟ ଅଧିକାରୀଙ୍କ ସହିତ ଯୋଗାଯୋଗ କର। ସେମାନେ ତୁମକୁ ସବୁ ସାହାଯ୍ୟ ସହଯୋଗ କରିବେ, ଏତିକି କହି ମୁଁ ସେଦିନ ତାଙ୍କ ଘରୁ ବିଦାୟ ନେଇଥିଲି। ଅନେକ ଦିନ ପରେ ମଉସା ଫୋନ୍ କରି କହିଲେ ମୋ ପୁଅ ଏତେ ଭଲ ହେଇପାରିବ ବୋଲି ମୋର ବିଶ୍ୱାସ ନଥିଲା। ସେ ମାଛ ଚାଷ କରିଛି ଆଉ ସଫଳତା ବି ପାଇଛି। ସେ ଭଲ ମଣିଷ ହେଇଯାଇଛି। ମଉସାଙ୍କ କଥା ଶୁଣି ବହୁତ ଖୁସି ଲାଗିଲା।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା