Odiapua.com

ବଦଳିବ ଭଦ୍ରକ ସହରର ମାନଚିତ୍ର, ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ କାଳେ ବଦଳିବ ଭଦ୍ରକ ସହରର ମାନଚିତ୍ର । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ପ୍ରଶାସନ ପକ୍ଷରୁ ଜାରି ରହିଛି । ଇତିମଧ୍ୟରେ ମୋହନ ସରକାରଙ୍କ ଛାଟ ବାଜି ସରକାରୀ ଜମିରେ ଦୀର୍ଘବର୍ଷ ଧରି ବେଆଇନ୍ ଭାବେ କୋଠାବାଡି ଘର ନିର୍ମାଣ କରି ଜଳ ନିଷ୍କାସନ ଓ ସହର ଟ୍ରାଫିକ୍ ସମସ୍ୟାକୁ ଅଧିକ ଜଟିଳ କରୁଥିବା ଜବରଦଖଲକାରୀଙ୍କୁ ପ୍ରଶାସନ ହଟାଇ ଦେଇଛି । ଏହାସହିତ ସହରର ମୁଖ୍ୟ ରାସ୍ତାରେ ଅଯଥା ଜନଗହଳି ସୃଷ୍ଟି କରି ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ଉଠାଦୋକାନୀ ଓ ଟ୍ରଲି ବ୍ୟବସାୟୀଙ୍କୁ ପ୍ରଶାସନ ତଡିପାର କରିଦେଇଛି । ଭଂଗାରୁଜା ପରେ ସହରର ପରିମଳ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡିଛି । ଯେଉଁଠି ଚାହିଁବ, ସହର ତମାମ କୁଢ କୁଢ ଭଂଗା ଇଟା ପଥର ମାଟି, ଭଂଗା ଟିଣ ଓ ଅନାବନା ଜିନିଷପତ୍ର ଗଦା ହୋଇଛି । ସହରର ମାନଚିତ୍ର ଅତି କଦର୍ଯ୍ୟ ହୋଇପଡିଛି । ଏହି ଭଂଗାରୁଜା ସହରର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ଏବେ ଅଂଟା ଭିଡିଛି । ଜିଲାପାଳ ଖୋଦ୍ ନିଜେ ସହରର ବିଭିନ୍ନ ଅଂଚଳ ପ୍ରଶାସନିକ ଓ ଇଂଜନିୟରିଂ ଡିପାର୍ଟମେଂଟର ଅଧିକାରୀମାନଙ୍କ ସହ କ୍ଷେତ୍ର ପରିଦର୍ଶନ କରିଛନ୍ତି । ସହରର ଟ୍ରାଫିକ୍‌, ଜଳ ନିଷ୍କାସନ ଦୂର କରିବା ସହ ଜନଗହଳି ସ୍ଥାନରେ ଯାନବାହନର ପାର୍କିଂ ବ୍ୟବସ୍ଥା, ସହରର ଶୌଚାଳୟ, ପାନୀୟ ଜଳର ସୁବିଧା ଯୋଗାଇଦେବା ସହ ସ୍ମାର୍ଟ ରୋଡ୍ ଓ ଆଲୋକୀକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଭୁବନେଶ୍ୱରସ୍ଥିତ ଅଭିଜ୍ଞ ଆର୍କିଟେକ୍ ମାନଙ୍କୁ ଡକାଇ ଆଲୋଚନା ଜାରି କରାଯାଇଛି । ଆର୍କିଟେକ୍ ସଂସ୍ଥା ମଧ୍ୟ ସହରର ବିଭିନ୍ନ ଅଂଚଳ ପରିଦର୍ଶନ କରି ବିଭିନ୍ନ ସହର ଗୁଡିକର ମଡେଲ ପ୍ରଶାସନ ନିକଟରେ ଉପସ୍ଥାପନା କରିଛନ୍ତି । ଏଥିପାଇଁ ପାଖାପାଖି ୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆର୍ଥିକ ବ୍ୟୟବରାଦ ରଖାଯାଇଥିବାର ପ୍ରଶାସନିକ ସୂତ୍ରରୁ ଜଣାଯାଇଛି । ସହରକୁ ସୌନ୍ଦର୍ଯ୍ୟକରଣ କରିବା ସହ ସମ୍ଭାବ୍ୟ ପ୍ଲାନରେ ସହରର ୧.୨ କିଲୋମିଟର ରାସ୍ତାକୁ ସ୍ମାର୍ଟରାସ୍ତା କରିବା ସହ ରାସ୍ତାପାଶ୍ୱର୍ରେ ଷ୍ଟ୍ରିଟ୍ ଭେଣ୍ଡର ସେଲିଂ, ପାର୍କିଂ, ଯାତ୍ରୀଙ୍କ ସହଜ ଯାତାୟତ ପାଇଁ ଟ୍ରାଫିକ୍ ବ୍ୟବସ୍ଥା, ପାନୀୟ ଜଳ, ଡଷ୍ଟବିନ, ରେନ୍ ସେଡ୍ ଓ ବର୍ଷା ଜଳ ନିଷ୍କାସନ ଆଦି ପ୍ରସ୍ତାବମାନ ରହିଛି । ସହରର ସୌନ୍ଦର୍ଯ୍ୟକରଣ ସଂପର୍କିତ କେତେକ ପ୍ରସ୍ତାବିତ ଡିଜାଇନ୍ ମଧ୍ୟ ଆର୍କିଟେକ୍ ପକ୍ଷରୁ ପ୍ରଶାସନ ନିକଟରେ ଉପସ୍ଥାପନା କରାଯାଇଛି । ଏହି ପ୍ଲାନ୍ ଅନୁସାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ କଚେରୀ ବଜାର ଛକ, କଚେରୀ ବଜାର ଛକ ଠାରୁ ପୁରୁଣା ବସ୍‌ଷ୍ଟାଣ୍ଡ, ପୁରୁଣା ବସ୍‌ଷ୍ଟାଣ୍ଡ ଠାରୁ ଲୋକପ୍ରିୟ ଲୁଗା ଦୋକାନ, ଅଶୋକ ଜୁଏଲାରୀ ଓ ଜେଲ୍ ୬ଟି ସ୍ଥାନରେ ଏହିସବୁ ବ୍ୟବସ୍ଥା ଗୁଡିକ କରାଯିବା ପାଇଁ ପ୍ରସ୍ତାବ ରଖାଯାଇଛି । ଏହିସବୁ ବ୍ୟବସ୍ଥା ଗୁଡିକର ନିର୍ମାଣ ପାଇଁ ଭୁବନେଶ୍ୱରସ୍ଥିତ ଏସ ଏଣ୍ଡ ଜେ ଆସୋସିଏଟସ୍ ପକ୍ଷରୁ ଡିଜାଇନମାନ ଦିଆଯାଇଛି । ତେବେ ପ୍ରସ୍ତାବିତ ଡିଜାଇନ ଗୁଡିକର ସମୀକ୍ଷା କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।