Odiapua.com

ବତୀଘର ନିର୍ମାଣ ପାଇଁ ଜାଗା ମିଳୁନି : ୧୦ ବର୍ଷ ହେଲା ବୁଲୁଛି ଫାଇଲ୍‌

ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୦ ବର୍ଷରୁ ଅଧିକ ଦିନ ହୋଇଗଲା ଧାମରା ମୁହାଣରେ ବତୀଘରଟିଏ ନିର୍ମାଣ ପାଇଁ ଜାଗା ମିଳୁନି । ଧାମରା, ଚୂଡାମଣି, ଚନ୍ଦନିପାଳ ଅଂଚଳରୁ ହଜାର ହଜାର ଟ୍ରଲର ସମୁଦ୍ରକୁ ମାଛ ମାରିବାକୁ ଯାଉଥିବାବେଳେ ଧାମରା ସାମୁଦ୍ରିକ ବନ୍ଦରକୁ ଅନେକ ବିଦେଶୀ ଜାହାଜ ଆସୁଛନ୍ତି ଓ ବନ୍ଦରରୁ ଯାଉଛନ୍ତି । ଏମାନଙ୍କ ପାଇଁ ଜରୁରୀ ହୋଇପଡିଛି ଦିଗବାରିଣୀ ଯନ୍ତ୍ର । କାହିଁକି ବତୀଘର ଦ୍ୱାରା ଏହା ସମ୍ଭବ । ବତୀଘର ଲାଇଟ୍‌କୁ ଦେଖି ଜାହାଜର କପ୍ତାନମାନେ ବନ୍ଦରରେ ପହଞ୍ôଚବା ସୁବିଧା ହୁଏ । କିନ୍ତୁ ଏବେ ଏହା ନିର୍ମାଣ ହୋଇପାରୁନି । ସୂଚନା ଅନୁସାରେ ବ୍ରିଟିଶ ଶାସନ ବେଳେ ୧୯୨୮ ମସିହାରେ ଚାନ୍ଦବାଲିରେ ଏକ ନୌବାଣିଜ୍ୟ କେନ୍ଦ୍ର ସ୍ଥାପନ ହୋଇଥିଲା । ସୁଦୂର କଲକାତା, ରେଙ୍ଗୁନ, ଜାଭା, ସୁମାତ୍ରା ଆଦି ଦେଶରୁ ଆସୁଥିବା ଛୋଟ ଛୋଟ ଜାହାଜ ଓ ଷ୍ଟିମରଗୁଡିକୁ ରାତିରେ ଦିଗ ନିର୍ଣ୍ଣୟ କରିବା ପାଇଁ ଏକ ବତୀଘର ନିର୍ମାଣ ହୋଇଥିଲା । ଏହି ବତୀଘରଟି ଧାମରା ଉପକୂଳରେ ଥିବା କନିକା ବାଲିଦ୍ୱୀପ ସନ୍ନିକଟରେ ସ୍ଥାପନ ହୋଇଥିଲା । ତେବେ କନିକା ବାଲିଦ୍ୱୀପରେ ଥିବା ଏହି ବତୀଘର ରକ୍ଷଣାବେକ୍ଷଣ ଅଭାବରୁ ବ୍ରିଟିଶ ଶାସନ ପତନ ପରେ ନଷ୍ଟ ହୋଇଗଲା । ଖାଲି ସେତିକି ନୁହଁ, ଚାନ୍ଦବାଲି ବନ୍ଦରରୁ ଜାହାଜ ବି ଆଉ ଚାଲିଲା ନାହିଁ । ଏପରିକି କନିକା ବାଲିଦ୍ୱୀପରେ ନୌବାଣିଜ୍ୟ କେନ୍ଦ୍ରରେ ଗୁରୁତ୍ୱ ହ୍ରାସ ପାଇବାକୁ ଲାଗିଲା । ରକ୍ଷଣାବେକ୍ଷଣ ଅଭାବ ସାଙ୍ଗକୁ ଲୁଣା ପବନ ଯୋଗୁଁ କନିକା ବାଲିଦ୍ୱୀପରେ ଥିବା ବତୀଘର ଭୁଶୁଡି ଯାଉଛି । ବତୀଘରର ପୁନରୁଦ୍ଧାର ପାଇଁ କେହି ଧ୍ୟାନ ଦେଲେନାହିଁ । ଫଳରେ ତାହା ଆଜି ଭଗ୍ନସ୍ତୁପରେ ପରିଣତ ହୋଇଛି । ୨୦୦୫ ମସିହାରେ କେନ୍ଦ୍ର ସରକାର ୨ କୋଟି ଟଙ୍କା ବ୍ୟୟ ଅଟକଳରେ ଧାମରାରେ ଏକ ବତୀଘର ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ । କେନ୍ଦ୍ର ସରକାରଙ୍କ ଚିଠି ପରେ ରାଜ୍ୟ ସରକାର ଧାମରା ଠାରେ ଥିବା ଜଂଗଲ ଜମି ଯୋଗାଇ ଦେବା ପାଇଁ ଭୁବନେଶ୍ୱରରେ ଥିବା ମୁଖ୍ୟ ବନ୍ୟା ସଂରକ୍ଷକ (ବନ୍ୟଜନ୍ତୁ) ବିଭାଗକୁ ଜମି ଯୋଗାଇ ଦେବା ପାଇଁ ଚିଠି ଲେଖିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ କେତେଗୁଡିକ ଜାଗା ଚିହ୍ନଟ କରାଗଲା, ସେହି ସ୍ଥାନକୁ ସଂଯୋଗୀକରଣ ରାସ୍ତା ନଥିବାରୁ ବତୀଘର ନିର୍ମାଣକାରୀ ସଂସ୍ଥା ପଛକୁ ଫେରିଲେ ।

 

 

ତେବେ ୨୦୧୬ ଜାନୁଆରୀ ୨୯ ରେ ଗୋପାଳପୁର ବତୀଘର ଦାୟିତ୍ୱରେ ଥିବା ଡେପୁଟି ଡାଇରେକ୍ଟର ଓ ଚାନ୍ଦବାଲି ଡିଏଫ୍‌ଓ ଧାମରା ବନ୍ଦର ନିକଟସ୍ଥ ସାବିତ୍ରୀ ସରାଇ ମୌଜାରେ ବତୀଘର ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ୪୦ ମିଟର ଲମ୍ବ ଏବଂ ୩୦ ମିଟର ଓସାର ଜାଗାର ଅନୁଧ୍ୟାନ କରିଥିଲେ । ମାତ୍ର ସେହି ଜାଗାକୁ ସଂଯୋଗୀକରଣ ରାସ୍ତା ନଥିବାରୁ ଭୁବନେଶ୍ୱର ପିସିସିଏଫ୍‌ଙ୍କୁ ରାସ୍ତା ନିର୍ମାଣ ଅନୁରୋଧ କରିଥିଲେ । ତାହା ଫସର ଫାଟିଲା । ଫଳରେ ୨୦୦୫ ମସିହାରୁ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ବତୀଘର ନିର୍ମାଣ ପାଇଁ ୨ କୋଟି ଟଙ୍କା ଫେରିଗଲା । ବନ ବିଭାଗର ହଜାର ହଜାର ହେକ୍ଟର ଜମି ଜବରଦଖଲରେ ଥିବାବେଳେ ବତୀଘର ପାଇଁ ଦରକାର ହେଉଥିବା ଏ୦.୩୩୨ ହେକ୍ଟର ଜମି ଯୋଗାଇ ନପାରିବା ରାଜ୍ୟ ସରକାରଙ୍କ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୬ ମାର୍ଚ୍ଚ ସୁଦ୍ଧା ରାଜ୍ୟ ସରକାର ଜାଗା ଚିହ୍ନଟ କରି ବତୀଘର କାର୍ଯ୍ୟ ଆରମ୍ଭ ନକରନ୍ତି, ତେବେ ଏହି ଅନୁଦାନ ରାଶି ଫେରିଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା । ତଥାପି ଶୁଣିଲେ ନାହିଁ ସ୍ଥାନୀୟ ପ୍ରଶାସନ । ଟଙ୍କା ଫେରିଯିବା ପରେ ଜିଲା ରାଜସ୍ୱ ବିଭାଗ ଧାମରା ବନ୍ଦର ସନ୍ନିକଟ ଦୋସିଙ୍ଗା ପଂଚାୟତ ଅନ୍ତର୍ଗତ ବାଲିସାହି ରାଜସ୍ୱ ଗ୍ରାମ ନିକଟରେ କ୍ଷେତ୍ରୀୟ ତଦନ୍ତ କରି ସମୁଦ୍ର କୂଳିଆ ଜାଗା ଚିହ୍ନଟ କରିଥିଲେ । ଏପରିକି ଏହି ଜମିକୁ କେନ୍ଦ୍ର ସରକାରଙ୍କ ଏହି ବତୀଘର ନିର୍ମାଣକାରୀ ବିଭାଗକୁ ହସ୍ତାନ୍ତର କରିବାକୁ ମସୁଧା ଚାଲିଥିଲା । ଏବେ ଧାମରା ବନ୍ଦର କେବଳ ରାଜ୍ୟସ୍ତରର ନୁହେଁ, ଜାତୀୟସ୍ତରରେ ନ୧ମ୍ବର ମାନ୍ୟତା ପାଇଥିବାବେଳେ ଧାମରାରେ ବତୀଘରର ଆବଶ୍ୟକତା ଜରୁରୀ ହୋଇପଡିଛି । ଏହି ବତୀଘର କାର୍ଯ୍ୟକ୍ଷମ ହେଲେ ତାହା କେବଳ ଧାମରା ଠାରେ ଥିବା ମତ୍ସ୍ୟଜୀବୀଙ୍କ ସମେତ ଧାମରା ବନ୍ଦରକୁ ଆସୁଥିବା ସମସ୍ତ ବିଦେଶୀ ଜାହାଜକୁ ଏହା ଦିଗ ନିର୍ଣ୍ଣୟର ସହାୟକ ହେବ । ଏ ବାବଦରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କୁ ପଚାରିବାରୁ ସେ ଏନେଇ ଅବଗତ ନାହାଁନ୍ତି, ତାଙ୍କ ଜ୍ଞାତସାରକୁ ଆସିଲେ, ତଦନ୍ତ କରିବେ ବୋଲି ଶ୍ରୀ ସୂତାର କହିଥିଲେ ।