Odiapua.com

ବଡବିଲ ପୋଲିସକୁ ମିଳିଛି ବଡ଼ ସଫଳତା, ଗିରଫ ହେଲେ ମାଙ୍ଗାନିଜ ମାଫିଆ

ବଡ଼ବିଲ, ତା ୨୮ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ପୋଲିସ ଏକ ମାଙ୍ଗାନିଜ ଚୋରା ଚାଲାଣକାରୀ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ବଡ଼ବିଲ ଉପକଣ୍ଠରେ ଅବସ୍ଥିତ ଲସର୍ଦା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ମାଙ୍ଗାନିଜ ଉତ୍ତୋଳନ କରି ବାହାର ରାଜ୍ୟକୁ ଚୋରା ଚାଲାଣ କରୁଥିଲା ଏହି ଗ୍ୟାଙ୍ଗ । ଗତକାଲି ରାତିରେ ସେହି ସ୍ଥାନରେ ଅତର୍କିତ ଚଢ଼ାଉ କରିଥିଲା ବଡ଼ବିଲ ପୋଲିସ, ଘଟଣାରେ ସମ୍ପୃକ୍ତ ୫ଜଣ ମାଫିଆଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ଏକ ମାଙ୍ଗାନିଜ ବୋଝେଇ ଟ୍ରକ ଜବତ କରିବା ସହ ମାଫିଆମାନଙ୍କ ଦ୍ୱାରା ବ୍ୟବହୃତ ଏକ ବୋଲେରୋକୁ ଜବତ କରିଛି ପୋଲିସ ।ଟ୍ରକରେ ପ୍ରାୟ ୨୦ଟନ ମାଙ୍ଗାନିଜ ବୋଝେଇ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।ଗିରଫ ମାଫିଆମାନେ ହେଉଛନ୍ତି ଭେଟେରାନ ମାଫିଆ ଏମଡି ଫିରୋଜ, ଏମଡି ରଫିକ, ସୟୁମ ଅନସାରି, ବାଦଲ ପାତ୍ର ଓ କ୍ଷୀରୋଦ ବୁଲୁରି । ଏମାନେ ସମସ୍ତେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ପୂର୍ବରୁ ମଧ୍ୟ ଏମାନଙ୍କ ନାମରେ ଖଣିଜ ଚୋରିର କେଶ ରହିଛି । ଅତ୍ୟନ୍ତ ସତର୍କତାର ସହ ନକଲି ଟିପି ଓ ଚାଲାଣ ସବୁ ତିଆରି କରି ଏଭଳି କାରବାର ଚଳାଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସର ଅଧିକ ତଦନ୍ତ ଜାରି ରହିଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ ଦାସ ସୂଚନା ଦେଇଛନ୍ତି ।