Odiapua.com

ବଡବିଲ ଉପ କାରାଗାରରେ ଜଣେ ହତ୍ୟା ମାମଲାରେ ବନ୍ଦୀ ଥିବା ଅଭିଯୁକ୍ତା ମହିଳାଙ୍କ ଆତ୍ମହତ୍ୟା

ବଡ଼ବିଲ, ତା ୨୬ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)
କେନ୍ଦୁଝର ଜିଲ୍ଲା ବଡ଼ବିଲ ଉପକାରାଗାରରେ ଜଣେ ବିଚାରାଧୀନ ମହିଳା ଅନ୍ତେବାସୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ସବିତା ମୁଣ୍ଡା, ସେ ଏକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତା ଭାବେ ଗତ ମେ ମାସ ୧୬ ତାରିଖରୁ ଜେଲରେ ବନ୍ଦୀ ହେଇଥିଲେ । ଆଜି ସକାଳ ପ୍ରାୟ ୧୦ଟା ସମୟରେ ଜଳଖିଆ ଖାଇବା ପରେ ସବିତାଙ୍କୁ କିଛି ସମୟ ପାଇଁ ଖୋଲାରେ ବୁଲିବାକୁ ଛଡ଼ାଯାଇଥିଲା । ହେଲେ କିଛି ସମୟ ପରେ ଜେଲ ଭିତରେ ଥିବା ଏକ ଗଛରେ ସବିତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଗତ କିଛିଦିନ ହେବ ସବିତା ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଗତି କରୁଥିବା ଜେଲର କର୍ମଚାରୀମାନେ ସୂଚନା ଦେଇଛନ୍ତି । ହେଲେ ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ତେବେ ଖବର ପାଇ ବଡ଼ବିଲ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ବଡ଼ବିଲ ତହସିଲଦାର ଓ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ମୃତ ମହିଳାଙ୍କ ଘର ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିରେ ହୋଇଥିବା ବେଳେ ସେ ଗତ ମେ ମାସ ୯ ତାରିଖରେ ଡାହାଣୀ ସନ୍ଦେହରେ ନିଜର ସମ୍ପର୍କୀୟ ଶାଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।