Odiapua.com

ବଡଓଷାରେ ବଡସିଂହାର ବେଶରେ ଦର୍ଶନ ଦେଲେ ବାବାମଣି, ରାହାସପୂର୍ଣ୍ଣିମାରେ ହରଗୌରୀ ବେଶ

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର କାର୍ତ୍ତିକ ମାସ ପଞ୍ଚୁକ ଓ ବଡଓଷା ତିଥିରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦିନ ତମାମ୍ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା । ବିଶେଷକରି ପଞ୍ଚୁକ ପାଇଁ ବ୍ରତ ରଖିଥିବା ହବିଷାଳି ଭକ୍ତ ଭୋର ମଣିବାବାଙ୍କୁ ଦର୍ଶନ କରିବା ପରେ ତୁଳସୀ ଚଉଁରାମୂଳରେ ମୁରୁଜ ପକାଇବା ସହ ତୁଳସୀ ମହାତ୍ମ୍ୟ ଓ କାର୍ତ୍ତିକ ମାହାମ୍ୟ ପାଠ କରିଥିଲେ । ପରେ ମଣିବାବାଙ୍କର ରୀତିନୀତି ଅନୁଯାୟୀ ମଙ୍ଗଳ ଆଳତୀ ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇଥିଲା । ଏପରିକି ଭକ୍ତ ନାମ ସଂକୀର୍ତ୍ତନରେ ଉତ୍ସବ ମୁଖର ହୋଇଉଠିଥିଲା ସମଗ୍ର ପୀଠ । ମଧ୍ୟାହ୍ନ ୧ ଟା ସୁଧା ସମୟ ସକାଳ ନୀତି ସାରିବା ପରେ ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ବଡ ଅନ୍ନନୀତି ଭୋଗ ଲାଗି କରାଯାଇଥିଲା । ଅପରାହ୍ନ ୪ଟାରେ ବଡଓଷା ଅବସରରେ ବଡସିଂହାର ବେଶରେ ମଣିବାବା ସଜ୍ଜିତ ହେବା ପରେ ଭକ୍ତଙ୍କ ଦର୍ଶନ ନିମନ୍ତେ ସାହଣମେଲା କରାଯାଇଥିଲା । ସନ୍ଧ୍ୟାରେ ଷୋଡଶ ଉପଚାର ପୂଜା ସହ ସନ୍ଧ୍ୟା ଆଳତୀ ଓ ରାତ୍ରରେ ବାଟୁଳା ଦହିପଖାଳ ଭୋଗ ଲାଗି କରାଯାଇଥିଲା । ଆସନ୍ତା ସୋମବାର ପବିତ୍ର ରାହାସପୂର୍ଣ୍ଣିମା ଅବସରରେ ଭୋର ଶିବଗଙ୍ଗା ପୁଷ୍ପରିଣୀରେ ଭକ୍ତଙ୍କ ଦ୍ୱାରା ବୋଇତ ଭସାଣ କରାଯିବା ସହ ମଣିବାବା ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ôଚଛି ।