ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ତହସିଲ ପୀରହାଟ ଥାନା ହରସିଂହପୁର ପଂଚାୟତ ଅଧୀନ ଚଣ୍ଡିସାହି ଗ୍ରାମରେ ବଜ୍ରପାତରେ ଦୁଇଭାଇଙ୍କର ମୃତ୍ୟୁ ହୋଇ ଦୁଃଖଦ ଘଟଣା ଘଟିଛି। ଏଥିପାଇଁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି। ସୋମବାର ମଧ୍ୟାହ୍ନରେ ଚଣ୍ଡିସାହି ଗ୍ରାମର ଜଗବନ୍ଧୁ ମହାରଣାଙ୍କ ଦୁଇ ପୁଅ ମଦନ ମହରଣା (୬୦) ଓ ହୃଦାନନ୍ଦ ମହାରଣା (୫୭) ବିଲକୁ ଚାଷ କରିବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ବଜ୍ରପାତରେ ମଦନ ଓ ହୃଦାନନ୍ଦ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ସେହିପରି ହରସିଂହପୁର ପଂଚାୟତ ଅଧୀନ ବାରବାଟିଆ ଗ୍ରାମର ଗିରଧାରୀ ମହାଳିକ (୬୪) ନାମକ ଜଣେ ବୃଦ୍ଧ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା। ସେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ। ଗୁରୁତର ଅହତ ଅବସ୍ଥାରେ ତାଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିବା ଜଣାଯାଇଛି। ଏ ସମ୍ପର୍କରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଖବର ପାଇ ସରପଂଚ ଅଜୟ ମହାନ୍ତି, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେପି ନେତା ସଂଗ୍ରାମ ମହାନ୍ତି, ଶିକ୍ଷାବିତ୍ ସୁଶାନ୍ତ ପଣ୍ଡା, ପୂର୍ବତନ ସରପଂଚ ପ୍ରଫୁଲ୍ଲ ପାଢ଼ୀ ପ୍ରମୁଖ ଡାକ୍ତରଖାନାରେ ପହଂଚି ସହାୟତା କରିବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି।