Odiapua.com

ବଜ୍ରକାପ୍ତା ଉଦ୍ଧାର: ପୂର୍ବତନ ସରପଞ୍ଚଙ୍କ ସମେତ ୭ ଗିରଫ

ସମ୍ବଲପୁର ୨୭-୫ (ଓଡ଼ିଆ ପୁଅ/ସରୋଜ ସାହୁ) ସମ୍ବଲପୁର ଜ଼ିଲ୍ଲା ନାକ୍ଟିଦେଉଳ ବ୍ଲକ ଅଂଚଳରୁ ବଜ୍ରକାପ୍ତା ଚୋରା ଚାଲାଣ ରେ ବନ ବିଭାଗ କୁ ସଫଳତା ମିଳିଛି। ଏକ ଅଢେଇ କିଗ୍ରାର ବଜ୍ରକାପ୍ତ ଉଦ୍ଧାର କରାଯିବା ସହିତ ୭ ଜଣଙ୍କୁ ଗିରଫ କରାଯାଇଥିବା ରେଢାଖୋଲ ଡିଏଫ୍‌ଓ ସଂଗ୍ରାମକେଶରୀ ବେହେରା ଆଜି ସଂଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବଜ୍ରକାପ୍ତାକୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ବେଳେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯାଇଥିଲା। ଦୀର୍ଘ ତିନିମାସ ହେଲା ଏହି ଚୋରାଚାଲାଣ କାରୀଙ୍କୁ ଧରିବାରେ ଜଙ୍ଗଲ ବିଭାଗ ଜାଲ ବିଛାଇଥିଲା। ଚୋରାଚାଲାଣ କାରୀମାନେ ବଜ୍ରକାପ୍ତାକୁ ଟିକିରାନଦୀ ପାଖରେ ମାଟି ତଳେ ହାଣ୍ଡି ଦେଇ ଲୁଚାଇକି ରଖିଥିଲେ। ରେଢାଖୋଲ ଜଙ୍ଗଲରୁ ବଜ୍ରକାପ୍ତା ବାହାରକୁ ଚାଲାଣ କରୁଥିବା ବେଳେ ୭ ଜଣଙ୍କୁ ଜଙ୍ଗଲ ବିଭାଗ ଗିରଫ କରିବାରେ ସଫଳ ହୋଇଛି। ଗିରଫ ହୋଇଥିବା ଅପରାଧୀମାନେ ହେଲେ ସୁଶୀଲ ସେଠୀ, ଲକ୍ଷ୍ମଣ ସେଠୀ, ଶ୍ରୀରାମ ଶବର, ଶିବ ଶବର, ଖିଜୁ ଶବର, ପୂର୍ବତନ ସରପଞ୍ଚ ଯଦୁମଣୀ ପାତ୍ର, ନେପାଳ ସାହୁ ବୋଲି ଡିଏଫ୍‌ଓଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବିରଳ ବଜ୍ରକାପ୍ତା ଜବତ କରିଥିବାରୁ ଜଙ୍ଗଲ ବିଭାଗ ଅଧିକାରୀ ସମସ୍ତଙ୍କ ଧନ୍ୟବାଦର ପାତ୍ର ହୋଇଛନ୍ତି।