Odiapua.com

ବଜରାପୁର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲାପାଳଙ୍କ ଅଫିସ୍ ଆଗରେ ଆମରଣ ଅନଶନ ୨ୟ ଦିନରେ, ଜିଲା ପ୍ରଶାସନ ଶୋଇଛି କୁମ୍ଭକର୍ଣ୍ଣ ନିଦ୍ରାରେ, ସମର୍ଥନ ଜଣାଇ ଜିଲା ପ୍ରଶାସନ ଉପରେ ବର୍ଷିଲେ କଂଗ୍ରେସ ନେତା

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଡ ବିଚିତ୍ର ଏ ସରକାର । ଆଉ ସବୁଠାରୁ ବିଚିତ୍ର ଭଦ୍ରକ ଜିଲା ପ୍ରଶାସନ । କାହିଁକି ନା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଏମଏନଆରଜିଏସ୍‌ରେ ବ୍ୟାପକ ଦୁର୍ନୀତି ନେଇ ଚାନ୍ଦବାଲି ବ୍ଲକ୍ ବଜରାପୁର ପଂଚାୟତର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନର ୨ୟ ଦିନ ବିତିଥିଲେ ବି କୌଣସି ଅଧିକାରୀଙ୍କ ଦେଖାନାହିଁ । ତେବେ ଏହି ଘଟଣାରେ ଭଦ୍ରକ ଜିଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର ଆଜି ଏହି ମଂଚକୁ ସମର୍ଥନ କରି ଜିଲା ପ୍ରଶାସନ ଉପରେ ବର୍ଷିଛନ୍ତି । ତାଙ୍କ କହିବା ମୂଳେ ଏହି ପଂଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯେଉଁସବୁ ଥିଲାବାଲା ଲୋକେ ଘରନକରି ଟଙ୍କା ଉଠାଇନେଇଛନ୍ତି ଏବଂ ଚାଳଘର ଥାଇ ଆବାସ ଯୋଜନାରୁ ଲକ୍ଷାଧିକ ଟଙ୍କା ହଡପ କରିଛନ୍ତି, କେବଳ ସେତିକି ନୁହେଁ ଗୋଟିଏ ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବିଲ୍ ଉଠାଯାଇଛି । ଫଳରେ ପ୍ରକୃତ ହିତାଧିକାରୀ ଓ ଚାଳଘର ଥିବା ବ୍ୟକ୍ତିବିଶେଷ ମାନେ ଏହି ଯୋଜନାରୁ ବଂଚିତ ହୋଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଚାନ୍ଦବାଲି ବ୍ଲକ୍ ଜନଶୁଣାଣିରେ ଜିଲାପାଳ ଓ ବିଡିଓଙ୍କୁ ମଂଚ ପକ୍ଷରୁ ଅଭିଯୋଗ ପତ୍ର ଦିଆଯାଇ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସ୍ଥାନୀୟ ବ୍ଲକ୍ ସମ୍ମୁଖରେ ଧାରଣା ଦିଆଯାଇଥିଲେ ମଧ୍ୟ ବିଡିଓଙ୍କ ଲିଖିତ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ତେଣୁ ବାଧ୍ୟହୋଇ ଏହି ବରିଷ୍ଠ ନାଗରିକ ମଂଚ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବାର ଚେତାବନୀ ଦେଇଛି । ଏଣୁ ଜିଲାପାଳ ତୁରନ୍ତ ଏଭଳି ଏକ ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭଦ୍ରକର ବିଭିନ୍ନ ଅନୁଷ୍ଠାନ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହୋଇଛି ।