Odiapua.com

ବଜରଙ୍ଗ ଦଳ ଭର୍ତ୍ତି ଅଭିଯାନ ପୁଣି ଅଯୋଧ୍ୟା ଯିବାକୁ ପଡ଼ିବ – ରାଷ୍ଟ୍ରୀୟ ସଂଯୋଜକ

ଭୁବନେଶ୍ୱର ୧୯-୪ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ବଜରଙ୍ଗ ଦଳ ପକ୍ଷରୁ ଭର୍ତ୍ତି ଅଭିଯାନ ଉପଲକ୍ଷେ ବ୍ରହ୍ମପୁର ଟାଉନ ହଲଠାରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ବଜରଙ୍ଗ ଦଳ ରାଷ୍ଟ୍ରୀୟ ସଂଯୋଜକ ମନୋଜ ବର୍ମା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବଢି ଚାଲିଥିବା ଧର୍ମାନ୍ତରୀକରଣ, ଲଭ ଜିହାଦ ଆଦିକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହାର ପ୍ରତିକାର ପାଇଁ ବଜରଙ୍ଗ ଦଳ ସବୁବେଳେ ସଜାଗ ରହିବାକୁ ଆହ୍ୱାନ କରିଥିଲେ। ଅନ୍ୟାନ୍ୟ ସଙ୍ଗଠନରେ ସଦସ୍ୟତା ଅଭିଯାନ ହେଉଥିବା ବେଳେ ରାଷ୍ଟ୍ର ଭାବନାରେ ଯୁବ ସମାଜକୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ବଜରଙ୍ଗ ଦଳରେ ସେନା ବାହିନୀ ପରି ଭର୍ତ୍ତି ଅଭିଯାନ ହୋଇଥାଏ ବୋଲି ଶ୍ରୀଯୁକ୍ତ ବର୍ମା କହିଥିଲେ ଏବଂ ଏହା ସହ ରାମ ମନ୍ଦିର ବାବଦରେ କହିବାକୁ ଯାଇ ସେ କହିଥିଲେ ଯେ ରାମ ମନ୍ଦିର ନିର୍ମାଣ ନିଶ୍ଚିତ ହେବ ଏବଂ ପୂର୍ବ ନିର୍ଦ୍ଧାରିତ ଢାଞ୍ଚା/ମଡେଲ ଅନୁଯାୟୀ ହିଁ ନିର୍ମାଣ ହେବ। ଯେବେ ସନ୍ଥ ସମାଜ ନିର୍ଦ୍ଦେଶ ଦେବ ବଜରଙ୍ଗ ଦଳ ପୁଣି ଥରେ ଅଯୋଧ୍ୟା ଯିବାକୁ ପ୍ରସ୍ତୁତ ରହିବାକୁ ମନୋଜ ବର୍ମା ଆହ୍ୱାନ କରିଥିଲେ।

ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ମାନସ ମହାନ୍ତି ତାଙ୍କ ଅଭିଭାଷଣରେ ଅନ୍ୟାନ୍ୟ ପ୍ରସଙ୍ଗ ଭିତରେ ପ୍ରଭୁ ଜଗନ୍ନାଥ ତଥା ଜଗନ୍ନାଥ ସଂସ୍କୃତି ପ୍ରତି କରାଯାଉଥିବା ବିଭିର୍ଣ୍ଣ ପ୍ରକାର ବିଭ୍ରାଟ ନେଇ ବିଶୋଦାଗାର କରିଥିଲେ।

ବିଶ୍ୱ ହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ସଭାପତି ଅଶୋକ କୁମାର ପାଳଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ମାର୍ଗ ଦର୍ଶକ ଚିନ୍ମୟାନନ୍ଦ ମହାରାଜ, ବିଭାଗ ସମ୍ପାଦକ ରମାକାନ୍ତ ରଥ,ଜିଲ୍ଲା ସମ୍ପାଦକ ଭବାନୀ ଶଙ୍କର ଦାସ, ଗୋରକ୍ଷା ପ୍ରାନ୍ତ ପ୍ରମୁଖ ଅମ୍ବିକା ପ୍ରସାଦ ଦାସ, ବଜରଙ୍ଗ ଦଳ ବିଭାଗ ସଂଯୋଜକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ସଂଯୋଜକ ଗୌତମ ମହାରଣା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ପାଠ କରା ଯାଇଥିବା ବେଳେ ଶେଷରେ ବଜରଙ୍ଗ ଦଳରେ ଭର୍ତ୍ତି ଅଭିଯାନ କରାଯାଇଥିଲା।