Odiapua.com

ବଙ୍ଗାଳିପଦା ଗ୍ରାମରେ ସରକାରୀ ଜମି ଜବରଦଖଲ : କାର୍ଯ୍ୟାନୁଷ୍ଠାନ ଦାବିରେ ଅତିରିକ୍ତ ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ତହସିଲ ଅଧୀନ ତଳଦପା ମୌଜାର ବଙ୍ଗାଳିପଦା ଗ୍ରାମରେ କେତେକ ବ୍ୟକ୍ତି ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଗ୍ରାମବାସୀ ପ୍ରତାପ ଦାସଙ୍କ ନେତୃତ୍ୱରେ ଶ୍ରୀଧର ଦାସ, ସୁମନ୍ତ ଦାସ, ସୁଶାନ୍ତ ଦାସ, ସୁବା ଦାସ, ଭୀମସେନ ଦାସ, ରଶ୍ମିରଂଜନ ଦାସ ପ୍ରମୁଖ ବହୁ ଗ୍ରାମବାସୀ ଆଜି ଅତିରିକ୍ତ ତହସିଲଦାର ଲଗ୍ନଜିତ୍ ବେହେରାଙ୍କୁ ଭେଟି ଲିଖିତ ଅଭିଯୋଗ ଦେଇଥିଲେ। ଏହି ଅଭିଯୋଗର ତୁରନ୍ତ କ୍ଷେତ୍ରୀୟ ତଦନ୍ତ କରି ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ବଙ୍ଗାଳିପଡା ଗ୍ରାମରେ ଥିବା ଗୋଚର, ଗ୍ରାମ୍ୟ ଜଂଗଲ, ରକ୍ଷିତ ଅନାବାଦୀ ଇତ୍ୟାଦି ସରକାରୀ ଜମିକୁ ଜବରଦଖଲ କରି ଗୃହ ନିର୍ମାଣ, ଗୋରୁ ଗୁହାଳ ଓ ମାଟି ପକାଇ ପନିପରିବା ଚାଷକରି ଆସୁଛନ୍ତି। ଯାହାଫଳରେ ଗ୍ରାମର ସାଧାରଣ ଲୋକ ମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଏ ସଂପର୍କରେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହି ଗ୍ରାମର ସରକାରୀ ଜମି ଜବରଦଖଲ କରିଥିବା ଜଣେ ବ୍ୟକ୍ତିଙ୍କ ବିୋରଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ଅନ୍ୟ ଜବରଦଖଲକାରୀଙ୍କୁ କାହିଁକି ଅନୁକମ୍ପା ପ୍ରଦର୍ଶନ ଦେଖାଯାଇଛି ବୋଲି ଗ୍ରାମବାସୀମାନେ କହିଛନ୍ତି। ସମସ୍ତ ଜବରଦଖଲକାରୀଙ୍କ ବିରୁଦ୍ଧରେ ପଦକ୍ଷେପ ନିଆଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ତେବେ ଏ ସଂପର୍କରେ ଅତିରିକ୍ତ ତହସିଲଦାର ଲଗ୍ନଜିତ୍ ବେହେରାଙ୍କୁ ପଚାରିବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।