Odiapua.com

ବଗଲା ଧର୍ମଶାଳାକୁ ନେଇ ଅନେକ ତଥ୍ୟ ପଦାକୁ ଆସିବାରେ ଲାଗିଛି

ପୁରୀ, ୨୨/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ବଗଲା ଧର୍ମଶାଳା ଜମିରେ କରାଯାଇଥିବା ପ୍ଲଟିଂ ରଦ୍ଦ କରିବା ସହ ସେଠାରେ ପୂର୍ବ ନିଷ୍ପତି ଅନୁଯାୟୀ ପ୍ରସାଦ ଯୋଜନାରେ କରାଯିବାକୁ ଥିବା ଶ୍ରୀଜଗନ୍ନାଥ ବିଶ୍ରାମ ସ୍ଥଳ ନିର୍ମାଣ କରିବାକୁ ଦାବି ଉଠିଛି। ଆଜି ଦ୍ୱିତୀୟ ଦିନରେ ବିଜେପି ପକ୍ଷରୁ ଧର୍ମଶାଳା ଠାରେ ଧାରଣା ଦିଆଯାଇଥିବା ବେଳେ ସରକାର ଜନକଲ୍ୟାଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ କୁହାଯାଇଛି। ଅନ୍ୟପଟେ ବଗଲା ଧର୍ମଶାଳାକୁ ନେଇ ବିଜେପି ତଥା ସେମାନଙ୍କ ନେତା ସମ୍ବିତ୍ ପାତ୍ର ଅଯଥା ଡ୍ରାମାବାଜି କରିବା ସହ ରାଜନୀତି କରଣ ନକରିବାକୁ ମହେଶ୍ୱର ମହାନ୍ତି ମତ ରଖିଥିବା ବେଳେ ଯାତ୍ରୀମାନଙ୍କ ସୁବିଧା ପାଇଁ ସରକାର ଆବଶ୍ୟକୀୟ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରୁଥିବା ଜଣାପଡିଛି। ପୁରୀ ବଗଲା ଧର୍ମଶାଳାକୁ ନେଇ ଦିନକୁ ଦିନ ନୁଆ ତଥ୍ୟ ପଦାକୁ ଆସୁଛି। ଧର୍ମଶାଳା ଜମି ବିସ୍ଥାପିତମାନଙ୍କୁ ଆବଣ୍ଟନ କରିବା ପ୍ରସଙ୍ଗରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ବେଆଇନ ବୋଲି ବିଜେପି ମତ ରଖିଛି। ଏପରିକି ଏହି ଜମିରେ ପୂର୍ବରୁ କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଶ୍ରୀଜଗନ୍ନାଥ ବିଶ୍ରାମସ୍ଥଳି ନିର୍ମାଣ ପାଇଁ କରିଯାଇଥିବା ଯୋଜନାକୁ ବନ୍ଦ କରି ସେଠାରେ ବିସ୍ଥାପିତ ମାନଙ୍କ ପାଇଁ ପ୍ଲଟ ଆବଂଟନ କରିବା ଉଚିତ୍ ନୁହେଁ ବୋଲି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର ମତ ରଖିଛନ୍ତି। କିଭଳି ଏବଂ କେଉଁ ପରିସ୍ଥିତିରେ ଯୋଜନାକୁ ବଦଳାଇ ଦିଆଗଲା ସେନେଇ ସରକାର ସ୍ପଷ୍ଟ କରିବା ପାଇଁ ସମ୍ବିତ୍ ଦାବି କରିଛନ୍ତି।