Odiapua.com

ବଗଡା ପଞ୍ଚାୟତର ମିଶନଶକ୍ତି ଗୃହ ସଂରକ୍ଷିତ ଜମିକୁ ଜବରଦଖଲ ମୁକ୍ତ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

କେନ୍ଦ୍ରାପଡ଼ା, ୨୧ା୧୨ (ଓଡ଼ିଆ ପୁଅ/ଚିତିତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମପଞ୍ଚାୟତର ପ୍ରସ୍ତାବିତ ମିଶନ ଶକ୍ତି ଗୃହ ନିମନ୍ତେ ସଂରକ୍ଷିତ ଜମିକୁ ତୁରନ୍ତ ଜବରଦଖଲ ମୁକ୍ତ କରାଯିବା ପାଇଁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପଞ୍ଚାୟତ ମହିଳା ମଣ୍ଡଳ ଗୁଡିକର ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁଯାଇ କେନ୍ଦ୍ରାପଡା ତହସିଲ ଅନ୍ତର୍ଗତ ବଗଡା ମୈାଜାର ଖାତା ନଂ ୧୪୪୮ ପ୍ଲଟ ନମ୍ବର ୨୯୭୪ ଜମିଟି ମିଶନ ଶକ୍ତି ଗୃହପାଇଁ ସଂରକ୍ଷିତ ଥିବାବେଳେ ସଂପୃକ୍ତ ଜମିକୁ ସେହି ଗ୍ରାମର ପ୍ରମୋଦ କୁମାର ସାହୁ ନାମକ ଜନୈକ ବ୍ୟକ୍ତି ଅବରୋଧ କରି ରଖିଥିବାରୁ ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲେବି ମିଶନ ଶକ୍ତି ଗୃହ ନିର୍ମାଣ କାର୍ଯ୍ୟ ହୋଇପାରୁନଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବଗଡା ପଞ୍ଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକ ପକ୍ଷରୁ କେନ୍ଦ୍ରାପଡା ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ହେବାପରେ ସେ ଗତ ତା.୧୭.୦୮.୨୦୨୧ ଏବଂ ଗତ ତା.୨୧.୦୯.୨୦୨୧ରିଖରେ କେନ୍ଦ୍ରାପଡା ତହସିଲଦାରଙ୍କୁ ୨ଟି ପତ୍ର ଲେଖି ସମ୍ପୃକ୍ତ ସଂରକ୍ଷିତ ଜମିକୁ ଜବରଦଖଲ ମୁକ୍ତ କରିବା ପାଇଁ ଏବଂ ସମ୍ପୃକ୍ତ ଜମିର ଚର୍ତୁପାର୍ଶ୍ୱ ସୀମା ନିଦ୍ଧାରଣ କରିବାକୁ ଜଣାଇଥିଲେ। ତହସିଲଦାରଙ୍କ ନିର୍ଦେଶ କ୍ରମେ ବଗଡା ସର୍କଲର ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସମ୍ପୃକ୍ତ ଜମିକୁ ପ୍ରମୋଦ କୁମାର ସାହୁ ନାମକ ବ୍ୟକ୍ତି ଅବରୋଧ କରିଥିବା ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ଏସମ୍ପର୍କରେ ମହିଳାମାନେ ଜିଲ୍ଲାପାଳଙ୍କୁ ମଧ୍ୟ ପୂର୍ବରୁ ଅଭିଯୋଗ କରିଥିଲେ। ସେହି ଜମିଟି ଜବରଦଖଲ ମୁକ୍ତ ନହେବାରୁ ଏବେ କେନ୍ଦ୍ରାପଡା ବିଡିଓ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ତୁଣୁପୁର- ସଖୀବଟ ରାସ୍ତାର ‘ଆମ ଗାଁ ଆମ ବିକାଶ’ ଘର ଉପରେ ମିଶନଶକ୍ତି ଗୃହ ନିର୍ମାଣ କରିବାକୁ କାର୍ଯ୍ୟାଦ୍ଦେଶ ପ୍ରଦାନ କରିଛନ୍ତି। ସେହି ସ୍ଥାନଟି ଗ୍ରାମର ମଧ୍ୟସ୍ଥଳ ହୋଇନଥିବାରୁ ମହିଳାମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି କରିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁô ସେହି ସଂରକ୍ଷିତ ଜମିକୁ ତୁରନ୍ତ ଜବରଦଖଲ ମୁକ୍ତ କରାଯାଇ ପଞ୍ଚାୟତ ମିଶନ ଶକ୍ତି ଗୃହପାଇଁ ମଞ୍ଜୁର ହୋଇଥିବା ଅନୁଦାନରେ ଗୃହ ନିର୍ମାଣ ଆରମ୍ଭ କରାଯିବାକୁ ରିତାଞ୍ଜଳୀ ବାରିକ, ଲିଲି ମଲିକ, ଜୟନ୍ତୀ ଜେନା, ଶସ୍ମିତା ପ୍ରଧାନ, ଲୋଚନ ପ୍ରଧାନ, ରୂପବତୀ ଧଳ, ଝରାବତୀ ସାହୁ, ବିନୋଦିନୀ ବେହେରା, ସସ୍ମିତା ବାରିକ, ସୁକାନ୍ତି ସାହୁ, ଶାନ୍ତିଲତା ବେହେରା, ପ୍ରମିଳା ପରିଡା, ସସ୍ମିତା ପୃଷ୍ଟି, ରେବତୀ ସାହୁ, ଅନ୍ନପୂର୍ଣ୍ଣା ପରିଡା ପ୍ରମୁଖ ବଗଡା ପଞ୍ଚାୟତର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାମାନେ ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଅଭିଯୋଗ କରିଥିଲେ। କେନ୍ଦ୍ରାପଡା ତହସିଲ ଓ ବ୍ଲକ ପକ୍ଷରୁ ଅଧିକାରୀମାନେ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ସଂପୃକ୍ତ ଜମିକୁ ଜବରଦଖଲ ମୁକ୍ତ କରିବା ସହ ମିଶନଶକ୍ତି ଗୃହ ନିର୍ମାଣ ନିମନ୍ତେ ସୀମା ନିର୍ଦ୍ଧାରଣ କରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ବେହେରା ପ୍ରତିଶୃତି ଦେଇଥିବା ଜଣାପଡିଛି।