Odiapua.com

ଫ୍ଲାଇ ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ଯୋଗୁ ଲୋକେ ହନ୍ତସନ୍ତ

ସମ୍ବଲପୁର, – ୨-୬ (ଓଡ଼ିଆ ପୁଅ) ସମ୍ବଲପୁର ସହରର ଅତ୍ୟନ୍ତ ବ୍ୟସ୍ତ ବହୁଳ କଲେଜ ରୋଡ଼ର ଧୁଚୁରାପଡ଼ା ଛକରୁ ନେଲସନ ମାଂଡେଲା ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ଫ୍ଲାଇଓଭର୍ ବ୍ରିଜ ନିର୍ମାଣରେ ଧାର୍ଯ୍ୟ ତାରିଖ ଘୁଂଚିଘୁଂଚି ଯାଉଛି। ପ୍ରାୟ ୧୮୮୦ ମିଟର ଲମ୍ବ ଏହି ପ୍ରକଳ୍ପ ନିର୍ମାଣ କାମ ତିନି ବର୍ଷ ହେଲା ଚାଲିଛି। ସହର ମଧ୍ୟକୁ ଝାରସୁଗୁଡ଼ା ଓ ରାଉରକେଲା ପଟରୁ ତଥା ସହରର କଲେଜ ରୋଡ଼, ବୁଢାରଜା, ଅଇଁଠାପାଲି, ମୁଦିପଡ଼ା, ଶାସନ, ମାଝିପାଲ, ଏଲଏନ ଲେନ, ବିଜୟ କଲୋନୀ, ଗୋପାଲମାଲ, ଜଗନ୍ନାଥ ମନ୍ଦିର କଲୋନୀ ଆଦି ବ୍ୟାପକ ଇଲାକାରୁ ଆସୁଥିବା ମୁଖ୍ୟ ରାସ୍ତା ରେ ଏହି ଫ୍ଲାଇ ଓଭର ବ୍ରିଜ ନିର୍ମାଣ କରାଯାଉଥିବାରୁ ସାଧାରଣ ଲୋକେ ବର୍ଷ ବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକଳ୍ପର ମୂଳ ଡ଼ିଜାଇନରରେ ଅଦଳବଦଳ ହେତୁ ନିର୍ମାଣ ରେ ଆହେତୁକ ଡ଼େରି ହେଉଥିବା କୁହାଯାଉଛି। ଏଣେ ପ୍ରକଳ୍ପ ପାଇଁ ଘରୋଇ ଓ ସରକାରୀ ଜମି ଅଧିଗ୍ରହଣ କାମ ମଧ୍ୟ ବାକି ରହିଛି। ମୂଳ ରିପୋର୍ଟ ଅନୁଯାୟୀ ଉକ୍ତ ରାସ୍ତାର ମହିଳା ଥାନା ପାଖରୁ ମ୍ୟୁନିସିପାଲିଟୀ ଛକ ପର୍ଯ୍ୟନ୍ତ ୧୫୪୦ ମିଟର ରାସ୍ତା ଉପରେ ଫ୍ଲାଇ ଓଭର ନିର୍ମିତ ହେବାକୁ ଥିଲା। ଏଥିପାଇଁ ୬୨.୩୮ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖାଯାଇଥିଲା। ପରେ ଏହାକୁ ବଦଳାଯାଇ ୧୮୮୦ ମିଟର ଲମ୍ବ ଅର୍ଥାତ ଧୁଚୁରାପଡ଼ା ଛକରୁ ନେଲସନ ମାଂଡ଼େଲା କଚେରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଖର୍ଚ୍ଚ ଅଟକଳ ମଧ୍ୟ ୭୨.୭୮ କୋଟି ଟଙ୍କାକୁ ବୃଦ୍ଦି ପାଇଛି। ୨୦୧୬ ମସିହା ଫେବୃୟାରୀ ୧୨ ତାରିଖରୁ ପ୍ରକଳ୍ପର ନିର୍ମାଣ କାମ ଆରମ୍ବ ହୋଇଥିଲା ଓ ୨୦୧୭ ର ମଇ ମାସ ସୁଦ୍ଦା ଏହା କାର୍ଯ୍ୟକ୍ଷମ ହେବାର ଥିଲା। ଇତି ମଧ୍ୟରେ କାର୍ଯ୍ୟ ପୁରା କରିବାକୁ ତାରିଖ ପରେ ତାରିଖ ପରିବର୍ତ୍ତନ ହେଉଛି, ହେଲେ କାମ ସରୁନାହିଁ। ଫ୍ଲାଇ ଓଭର ବ୍ରିଜର ୫୧ଟି ପିଲର ନିର୍ମାଣ ସମ୍ପୁର୍ନ ହୋଇଛି। ଏବେ ଚଳିତ ବର୍ଷ ମଇ ମାସ ମଧ୍ୟରେ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୁରା କରାଯିବାକୁ ପୂର୍ତ ବିଭାଗ ଲକ୍ଷ୍ୟ ଧାର୍ଯ୍ୟକରିଛି। ପ୍ରାଥମିକ ଷ୍ଟ୍ରକଚର ନିର୍ମାଣ କାମ ପୁରା ହୋଇଛି। ଏବେ ଉପର ରାସ୍ତା କାମ ଆରମ୍ବ ହେବ। ସେହିଭଳି ତଳ ରାସ୍ତା ଓ ଏହାର ଉଭୟ ପାଶ୍ୱର୍ର ନାଳ କାମ ବାକିରହିଛି। ତେବେ ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ବ ହୋଇନାହିଁ। ୨୨ ଡ଼େସିମିଲ ଘରୋଇ ଜମି ସହିତ ଜବର ଦଖଲ ମଧ୍ୟ ଉଚ୍ଚେଦ କରାଯିବ। ଫ୍ଲାଇ ଓଭର ବ୍ରିଜ ନିର୍ମାଣରେ ବିଳମ୍ବ ହେତୁ ସହରରେ ଟ୍ରାଫିକ ସମସ୍ୟା ଉକ୍ତଟ ହେବାରେ ଲାଗିଛି। ସହରରେ କ୍ରମବର୍ଧିଷ୍ନୁ ଯାନବାହନ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏହି ଓଭର ବ୍ରିଜ ର ପରିକଳ୍ପନା କରାଯାଇଥିଲା। ହେଲେ ଅସମ୍ପୂର୍ନ ପ୍ରକଳ୍ପ ସହରର ବ୍ୟବସ୍ତକୁ ଗୁରୁତର ଭାବରେ ପ୍ରଭାବିତ କରିଛି।