Odiapua.com

ଫୋନି ବାତ୍ୟା ପରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସୁଧାର ପାଇଁ ଆରବିଆଇ ସମେତ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କର ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଫୋନି ପ୍ରଭାବିତ ଅଂଚଳରେ ମୋବାଇଲ୍ ଏଟିଏମ୍ ବ୍ୟବସ୍ଥା-ଧର୍ମେନ୍ଦ୍ର ପ୍ରଧାନ

– ରାଜ୍ୟରେ ସମସ୍ତ ବ୍ୟାଙ୍କ ମଧ୍ୟରେ ସମନ୍ୱୟ କରିବା ପାଇଁ ଆସନ୍ତାକାଲି ଖୋଲିବ ଏକ କଂଟ୍ରୋଲରୁମ୍
– ନଗଦ ଟଙ୍କାର ଅଭାବ ନଥିବା ଆରବିଆଇ ର ଆଶ୍ୱସ୍ତି
– ବ୍ୟାଙ୍କ୍ ଗୁଡିକ ପକ୍ଷରୁ ଜେନସେଟ୍ ଲଗାଯାଇଥିବା ବେଳେ ଜେନସେଟ ପାଖରେ ଡିଜେଲ ପହଁଚାଇବା ପାଇଁ ପେଟ୍ରୋଲିୟମ କମ୍ପାନୀ ଗୁଡିକ ତତ୍ପର ହେବେ
– ଯେଉଁ ଦୁର୍ଗମ ଅଂଚଳକୁ ଗାଡି ଯାଇ ପାରୁନାହିଁ ସେଠାକୁ କିପରି ଗାଡି ଯାଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡାଯାଇଛି
– କ୍ଷତି ସହିଥିବା ଛୋଟଚାଷୀ, ଛୋଟଦୋକାନୀ ଓ ପଶୁସମ୍ପଦ ହରାଇଥିବା ବ୍ୟବସାୟୀ ମାନଙ୍କୁ କିପରି କମ୍ ସୁଧରେ ଋଣ ମିଳିପାରିବ ତାହା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୦୯ ମଇ (ଓଡ଼ିଆ ପୁଅ) -ରାଜ୍ୟରେ ଟଙ୍କାର କୌଣସି ଅସୁବିଧା ରହିବ ନାହିଁ। ଏଟିଏମ୍ ଗୁଡିକ ଶୀଘ୍ର କାର୍ଯ୍ୟକ୍ଷମ ହେବାର ଯୋଜନା କରାଯାଉଛି। ବାତ୍ୟା ପ୍ରଭାବିତ ଅଂଚଳରେ ମୋବାଇଲ ଏଟିଏମ୍ ବ୍ୟବସ୍ଥା ପ୍ରଚଳନ ପାଇଁ ସମସ୍ତ ବ୍ୟାଙ୍କ ଗୁଡିକ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ରାଜ୍ୟରେ ସମସ୍ତ ବ୍ୟାଙ୍କ ମଧ୍ୟରେ ସମନ୍ୱୟ କରିବା ପାଇଁ ଆସନ୍ତାକାଲି ଏକ କଂଟ୍ରୋଲରୁମ୍ ରାଜ୍ୟରେ ଖୋଲିବ। ଏହାର ଦାୟିତ୍ୱ ଏସଏଲବିସିକୁ ଦିଆଯାଇଛି ବୋଲି ଆରବିଆଇ ସମେତ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କର ଅଧିକାରୀ ମାନଙ୍କ ସହ ଫୋନି ବାତ୍ୟା ପରବର୍ତ୍ତୀ କାମରେ ବ୍ୟାଙ୍କର ଭୂମିକା ଉପରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ବ୍ୟାଙ୍କିଙ୍ଗ୍ ନେଟଓାର୍କ ଗୁଡିକ ଠିକ୍ କାମ ପାଇଁ ଟେଲିକମ୍ କମ୍ପାନୀ ଗୁଡିକର ସହାୟତା ନିଆଯିବ। ପୁରୀ-ଭୁବନେଶ୍ୱର-ଖୋର୍ଦ୍ଦା ପରି ସ୍ଥାନରେ ମୋବାଇଲ ଏଟିଏମ୍ ଓ ପିଏସଓ ମେସିନ୍ ଯୋଗାଇବା ପାଇଁ କୁହାଯାଇଛି। ଏହାମଧ୍ୟରେ ଏସବିଆଇ ଏକ ମଡେଲ ଡେଭଲପ୍ କରିଛି। ଏହାକୁ ଅନ୍ୟାନ୍ୟ ବ୍ୟାଙ୍କ ଅନୁକରଣ କରିବାର ନିଷ୍ପତି ନିଆଗଲା। ବ୍ୟାଙ୍କ୍ ପାସବୁକ୍ ଦେଖାଇ ୨୦୦୦ ଟଙ୍କା ଯାଏଁ ନଗଦ ମିଳିପାରିବ। ଗ୍ରାହକଙ୍କୁ ପଇଷା ଦେବା ଏକ ବଡ ପ୍ରାଥମିକତା। ଆରବିଆଇ ଆଜି ବଡ ଆଶ୍ୱସ୍ତି କରିଛି ଟଙ୍କାର ଅଭାବ ରହିବ ନାହିଁ। ଯେଉଁ ଦୁର୍ଗମ ଅଂଚଳକୁ ଗାଡି ଯାଇ ପାରୁନାହିଁ ସେଠାକୁ କିପରି ଗାଡି ଯାଇପାରିବ ସେଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡାଯାଇଛି। ବ୍ୟାଙ୍କ୍ ଗୁଡିକ ପକ୍ଷରୁ ଜେନସେଟ୍ ଲଗାଯାଇଥିବା ବେଳେ ଜେନସେଟ ପାଖରେ ଡିଜେଲ ପହଁଚାଇବା ପାଇଁ ପେଟ୍ରୋଲିୟମ କମ୍ପାନୀ ଗୁଡିକ ତତ୍ପର ହେବେ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଆଜି ସମୟରେ ବ୍ୟାଙ୍କିଙ୍ଗ୍ ସେବା ବହୁତ ଅତ୍ୟାବଶ୍ୟକ ସେବା ହୋଇପଡିଛି। ବାତ୍ୟା ଯୋଗୁଁ ଗୁଡାଏ ସ୍ଥାନରେ ବ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଛି। ଏଟିଏମ ଗୁଡିକ କାମ କରୁନାହିଁ। ଏପରି ସ୍ଥିତିରେ କିପରି ତତକାଳ ସେବା ମିଳିପାରିବ ସେଥିପାଇଁ ୨୫ରୁ ଅଧିକ ବ୍ୟାଙ୍କର ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି। ରାଜ୍ୟରେ ବିଜୁଳି ଏବେ ଏକପ୍ରକାର ଆହ୍ୱାନ ଥିବାବେଳେ ବହୁତ ବ୍ୟାଙ୍କ୍ ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ଜେନସେଟ୍ ଆଣିସାରିଛନ୍ତି। ଆହୁରି ଅଧିକ ଜେନସେଟ୍ ଆଣିବା ପାଇଁ ବ୍୍ୟାଙ୍କ ଅଧିକାରୀ ମାନେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ବାତ୍ୟା ସମୟରେ ବ୍ୟାଙ୍କ୍ ଗୁଡିକର କାମ ପ୍ରଂଶସନୀୟ। ବାତ୍ୟାରେ ପୁରୀର ହୋଟେଲ ଶିଳ୍ପ ଧ୍ୱଂସ ହୋଇଯାଇଛି। ସେମାନେ କିପରି ତାଙ୍କର ବ୍ୟବସ୍ଥାରେ ସୁଧାର ଆଣିବେ ସେଥିପାଇଁ ତାଙ୍କୁ ବ୍ୟାଙ୍କ ମାନଙ୍କର ସହଯୋଗର ଆବଶ୍ୟକତା ରହିଛି। ସେମାନଙ୍କୁ ଋଣ ଦେବା ପକ୍ରିୟାରେ କିପରି ସରଳୀକରଣ ହେବ ତାହା ଉପରେ ଦୃଷ୍ଟି ଦେବାପାଇଁ ବ୍୍ୟାଙ୍କ ଅଧିକାରୀ ମାନଙ୍କୁ କୁହାଯାଇଛି। ସେହିପରି ଛୋଟଚାଷୀ, ଛୋଟଦୋକାନୀ ଓ ପଶୁସମ୍ପଦ ହରାଇଥିବା ବ୍ୟବସାୟୀ ମାନଙ୍କୁ କିପରି କମ୍ ସୁଧରେ ଋଣ ମିଳିପାରିବ ତାହା ଉପରେ ବ୍ୟାଙ୍କ ଅଧିକାରୀ ମାନଙ୍କ ସହ ଆଲୋଚନା ହୋଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାର ବିପଦ ସମୟରେ ଛିଡା ହେବାପାଇଁ ସମସ୍ତ ବ୍ୟାଙ୍କ କର୍ମଚାରୀ ମାନେ ନିଷ୍ପତି ନେଇଛନ୍ତି। ଏଥିପାଇଁ ସେମାନେ ଗୋଟିଏ ଦିନର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦେବାପାଇଁ ସ୍ଥିର କରିଛନ୍ତି। ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ।