Odiapua.com

ଫୋନି ପରେ ଟେଲିଫୋନ୍ ସେବା ସଚଳ ପାଇଁ ଟେଲିକମ୍ କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ନେଇ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଖୁବଶୀଘ୍ର ଟେଲିଫୋନ୍ ଓ ମୋବାଇଲ ସେବାରେ ଉନ୍ନତି ଆସିବ-ଧର୍ମେନ୍ଦ୍ର ପ୍ରଧାନ

– ପୁରୀ, ଭୁବନେଶ୍ୱର, କଟକ, ଖୋର୍ଧା, ଯାଜପୁର, ଜଗତସିଂହପୁର କେନ୍ଦ୍ରାପଡା ପରି ଅଂଚଳକୁ ପ୍ରାଥମିକତା
– ଯେଉଁ ସ୍ଥାନରେ ଟେଲିଫୋନ ଟାଓାର କାମ କରୁନି, ସେଠାରେ କାଓ ( ମୁଭିଂ ଟାଓାର )ଲଗାଇବା ପାଇଁ ଟେଲିକମ୍ କମ୍ପାନୀ ଗୁଡିକୁ ସହଯୋଗ ମଗାଯାଇଛି
– ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଆଶ୍ୱସ୍ତି କରିଛନ୍ତି, ଭାରତ ସରକାରଙ୍କ ଆଡୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ
– ଆଜି ପ୍ରଧାନମନ୍ତ୍ରୀ ତାଙ୍କ ସହ ଦୀର୍ଘସମୟ ଟେଲିଫୋନ ମାଧ୍ୟମରେ କଥା ହୋଇଥିଲେ
– ରେଳ, ପେଟ୍ରୋଲିୟମ୍ ପରି ବିଭାଗ ପକ୍ଷରୁ ମଧ୍ୟ ଯୁଦ୍ଧକାଳୀନ ଭିତିରେ କାମ ଚାଲିଛି
– ତତକାଳୀନ ସେବାପାଇଁ ସବୁ କମ୍ପାନୀ ମାନଙ୍କ ଠାରୁ ସହଯୋଗ ମଗାଯାଇଛି
– ବିଜୁଳି ପାଇଁ ରାଜ୍ୟ ସରକାରଙ୍କୁ ହଇରାଣ ନକରି ନିଜ ପ୍ରସ୍ତୁତିରେ କାମ କରିବା ପାଇଁ ଟେଲିକମ୍ କମ୍ପାନୀ ମାନଙ୍କୁ କୁହାଯାଇଛି
– ଟେଲିକମ୍ କମ୍ପାନୀ ମାନଙ୍କୁ ଡିଜେଲ ଯୋଗାଇବା ପାଇଁ ପେଟ୍ରୋଲିୟମ କମ୍ପାନୀ ମାନଙ୍କ ପକ୍ଷରୁ ୭-୮ ଟି ଡୋର ଡେଲିଭରି ଭେଇକିଲ୍ ବ୍ୟବସ୍ଥା କରାଯାଇଛି

ଭୁବନେଶ୍ୱର, ୮ ମଇ (ଓଡ଼ିଆ ପୁଅ) – ଫୋନି ବାତ୍ୟାର ପ୍ରକୋପରେ ଟେଲିକମ୍ କ୍ଷେତ୍ରରେ ବ୍ୟାପକ ଭାବେ କ୍ଷତି ହୋଇଛି। ଟେଲିକମ୍ କମ୍ପାନୀ ଗୁଡିକ ସକ୍ରିୟ ଅଛନ୍ତି। ଆଶା କରାଯାଉଛି ଖୁବଶୀଘ୍ର ଏହି ବ୍ୟବସ୍ଥାରେ ସୁଧାର ଆସିବ। ପୁରୀ, ଭୁବନେଶ୍ୱର, କଟକ, ଖୋର୍ଧା, ଯାଜପୁର, ଜଗତସିଂହପୁର କେନ୍ଦ୍ରାପଡା ପରି ଅଂଚଳକୁ ପ୍ରାଥମିକତା ଦିଆଯାଇଛି। ଯେଉଁ ସ୍ଥାନରେ ଟେଲିଫୋନ ଟାଓାର କାମ କରୁନି, ସେଠାରେ କାଓ ( ମୁଭିଂ ଟାଓାର )ଲଗାଇବା ପାଇଁ ଟେଲିକମ୍ କମ୍ପାନୀ ଗୁଡିକୁ ସହଯୋଗ ମଗାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ବିଭିନ୍ନ ଟେଲିକମ୍ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡିଶାବାସୀଙ୍କୁ ଆଶ୍ୱସ୍ତି କରିଛନ୍ତି। ଭାରତ ସରକାରଙ୍କ ଆଡୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଆଜି ସକାଳୁ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ସହ ଦୀର୍ଘସମୟ ଟେଲିଫୋନ ମାଧ୍ୟମରେ କଥା ହୋଇ ଓଡିଶାର ସ୍ଥିତି ଉପରେ ଅବଗତ ହୋଇଛନ୍ତି। ରେଳ, ପେଟ୍ରୋଲିୟମ୍ ପରି ବିଭାଗ ପକ୍ଷରୁ ମଧ୍ୟ ଯୁଦ୍ଧକାଳୀନ ଭିତିରେ କାମ ଚାଲିଛି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାରେ ବିଏସଏନଏଲ, ଜିଓ, ଏୟାରଟେଲ, ଭୋଡାଫୋନ୍ ସମେତ ଆଉ ୩ ଟି ଟେଲି ଇନଫ୍ରା କମ୍ପାନୀ କାମ କରୁଛନ୍ତି। ସବୁ କମ୍ପାନୀ ମାନଙ୍କର ସମନ୍ୱୟ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଅଧାରୁ ଅଧିକ ଟାଓାର ଭାଙ୍ଗିଯାଇଛି। ବିଜୁଳି ନଥିବାରୁ ଅଧିକାଂଶ ଟାଓାର ବନ୍ଦ ଅଛି। ରାସ୍ତା ସଫା, ଗଛ କଟା ସମୟରେ ଅଧିକାଂଶ ସ୍ଥାନରେ ଅପଟିକାଲ୍ ଫାଇଭର କଟିଯାଇଛି। ତେଣୁ ଏପରି ସ୍ଥିତିରେ ତତକାଳୀନ ସେବାପାଇଁ ସବୁ କମ୍ପାନୀ ମାନଙ୍କ ଠାରୁ ସହଯୋଗ ମଗାଯାଇଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଗୁଡିଏ କମ୍ପାନୀ ଏହା ମଧ୍ୟରେ କାଓ ଭେଇକିଲ୍ ବୁକ୍ କରିସାରିଛନ୍ତି। ସବୁ ବ୍ଲକ ହେଡକ୍ୱାଟରରେ ବିଏସଏନଏଲ ଲିଜ୍ ଗୁଡିକ ତୁରନ୍ତ ଠିକ୍ କରିବା କୁହାଯାଇଛି। ବିଜୁଳି ପାଇଁ ରାଜ୍ୟ ସରକାରଙ୍କୁ ହଇରାଣ ନକରି ନିଜ ପ୍ରସ୍ତୁତିରେ କାମ କରିବା ପାଇଁ ଟେଲିକମ୍ କମ୍ପାନୀ ମାନଙ୍କୁ କୁହାଯାଇଛି। ଟେଲିକମ୍ କମ୍ପାନୀ ମାନଙ୍କୁ ଡିଜେଲ ଯୋଗାଇବା ପାଇଁ ପେଟ୍ରୋଲିୟମ କମ୍ପାନୀ ମାନଙ୍କ ପକ୍ଷରୁ ୭-୮ ଟି ଡୋର ଡେଲିଭରି ଭେଇକିଲ୍ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ବିଏସଏନଏଲ ତରଫରୁ ଏସଏମଏସ ସେବାକୁ ମୁକ୍ତ କରିବା ତଥା ପୃଥକ ପୃଥକ ସେବାପ୍ରଦାନ କାରୀ ସଂସ୍ଥାଙ୍କ ସହ ଟେଲିଫୋନ କରିବା ବ୍ୟବସ୍ଥାକୁ ୧୩ ମେ ପର୍ଯ୍ୟନ୍ତ ଦେୟ ମୁକ୍ତ କରାଯାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ପୁରୀ ଜିଲ୍ଲାକୁ ବିଏସଏଏନଏଲ ପକ୍ଷରୁ ୨୦ଟି ମୋବାଇଲ ଟାଓାର ଲଗାଇବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ବ୍ୟାଙ୍କ ଓ ଅର୍ଥନୈତିକ ସଂସ୍ଥାକୁ ଦିଆଯାଇଥିବା ଲିଜ୍ ଲାଇନ ଗୁଡିକ ଆଗାମୀ ୫-୭ ଦିନ ମଧ୍ୟରେ ସ୍ୱାଭାବିକ୍ ହେବ ବୋଲି ବିଏସଏନଏଲ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିବା କଥା ଶ୍ରୀ ପ୍ରଧାନ କହିଛନ୍ତି।

ପୁରୀ ଜିଲ୍ଲ ମୁଖ୍ୟାଳୟ ଓ ବ୍ଲକ ମାନଙ୍କ ମଧ୍ୟରେ ଭିଡିଓକନଫରେନସିଂ ବ୍ୟବସ୍ଥା କରିବା ପାଇଁ ଶ୍ରୀ ପ୍ରଧାନ ନିର୍ଦେଶ ଦେଇଛନ୍ତି। ଏହା ହେଲେ ରିଲିଫ କାମକୁ ଆହୁରି ସହଜ ଓ ଶୃଙ୍ଖଳିତ କରାଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।