Odiapua.com

ଫେସବୁକ ମାଧ୍ୟମରେ ହେଉଛି ହାଇଟେକ୍ ଠକେଇ, ଯୁବତୀଙ୍କ ନକଲି ଆଇଡିରେ ଅଶ୍ଲିଳ ଭିଡିଓ କଲ ରେକଡିଂ କରି ଯୁବକମାନଙ୍କୁ କରାଯାଉଛି ବ୍ଲାକମେଲ

ଯୋଡା, ୧୨ା୫(ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏବେ ଠକେଇର ଶିକାର ହେଉଛନ୍ତି ୟୁଜର୍ସ । ଖାସକରି ଫେସବୁକ ୟୁଜର୍ସ ଏବେ ଅଧିକ ଠକାମୀର ଶିକାର ହେଉଛନ୍ତି । ଆଉ ୟୁଜର୍ସ ମାନେ ଏଭଳି ଢଙ୍ଗରେ ଠକେଇର ଶିକାର ହେଉଛନ୍ତି ଯାହା ଜାଣିଲେ ଆପଣ ଆଶ୍ଚର‌୍ୟ୍ୟ ହେବେ । କାରଣ ୟୁଜର୍ସ ମାନଙ୍କ ଫେକ୍ ଆଇଡି ପ୍ରସ୍ତୁତ କରି ଠକେଇ କରୁଛନ୍ତି କିଛି ହ୍ୟାକର୍ସ । ପୂର୍ବରୁ ଗୁଗୁଲପେ, ଫୋନପେ, ବ୍ୟାଙ୍କ ଖାତାରୁ ଓଠଟିପି ମାଧ୍ୟମରେ, ବିଭିନ୍ନ ଅନଲାଇନ ଖେଳ ମାଧ୍ୟମରେ ସାଇବର ଠକମାନ ବିଭିନ୍ନ ଲୋକଙ୍କୁ ଫସାଇ ଲକ୍ଷ ଲକ୍ଷ ଟଙ୍କା ହଡପ କରିନେବା ସହ କେତେକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଉଥିବା ଭଳି ଘଟଣା ବାରମ୍ବାର ନଜରକୁ ଆସୁଥିବା ବେଳେ ଏବେ ଏହି ସାଇବର ଠକ ମାନେ ଫେସବୁକ ଜରିଆରେ ଅଭିନବ ଉପାୟ ଅବଲମ୍ବନ କରି ଠକେଇ ଆରମ୍ଭ କରିଥିବା ଜଣାପଡିଛି । ଫେସବୁକ ଜରିଆରେ ଯୁବତୀମାନଙ୍କ ଫଟୋ ଦେଇ ଯୁବକମାନଙ୍କୁ ପ୍ରଲୋଭିତ କରି ପରବର୍ତ୍ତି ମୁହୁର୍ତ୍ତରେ ସେମାନଙ୍କ ଠାରୁ ବ୍ୟାକମେଲ କରି ଅର୍ଥ ଆଦାୟ କରୁଥିବା ଘଟଣା କିଛି ଦିନ ହେବ ଏଭଳି ମାମଲା ଏବେ ଯୋଡା, ବଡବିଲ ଭଳି ଖଣି ଅଞ୍ଚଳରେ ଅଧିକରୁ ଅଧିକ ସାମ୍ନାକୁ ଆସୁଛି । ସୁନ୍ଦରୀ ଯୁବତୀଙ୍କ ନାମରେ ଯଥା ଅନିତା ଶର୍ମା, ପ୍ରିୟା ଶର୍ମା, ପୂଜା ଶର୍ମା, ଏହିଭଳି ନାମରେ ଫେସବୁକରେ ମିଥ୍ୟା ଆଇଡି ଖୋଲି ସେଥିରେ ସୁନ୍ଦର ଫଟୋ ଲଗାଇ ସେମାନେ ଯୁବକମାନଙ୍କ ଫ୍ରେଣ୍ଡ ରିକ୍ୟେୱେଷ୍ଟ ପଠାଇଥାନ୍ତି । ତେବେ ଯୁବକ ଜଣଙ୍କ ଏହାକୁ ଗ୍ରହଣ କରିନେବା ପରେ ମେସେଞ୍ଜର ଚାଟ ମାଧ୍ୟମରେ ଯୁବକଙ୍କୁ ସାଙ୍ଗରେ କିଛି ସମୟ ଚାଟ କରିବା ପରେ ଅଶ୍ଳିଳ ତଥା ଯୈାନ ଉଦ୍ଦିିପକ ମେସେଜ ମାନ ପଠାଇ ସେମାନଙ୍କୁ ଆକୃଷ୍ଟ କରିଥାନ୍ତି । ଏବଂ କିଛି ସମୟ ପରେ ଯୁବକଙ୍କୁ ତାଙ୍କର ହ୍ୱାଟ୍ସଆପ ନମ୍ବର ମାଗିଥାନ୍ତି ଉକ୍ତ ଯୁବତୀ ଜଣଙ୍କ ଅଶ୍ଲିଳ ଭିଡିଓ କଲରେ କଥା ହେବା ପାଇଁ । ଯୁବକ ଜଣଙ୍କ ତାଙ୍କର ହ୍ୱାଟ୍ସଆପ ନମ୍ବର ଦେବା ପରେ ଯୁବକଙ୍କୁ ଭିଡିଓ କଲ କରି ଅଶ୍ଲିଳ ହେବାକୁ କହନ୍ତି ଓ ସେ ମଧ୍ୟ ଅଶ୍ଲିଳ ହେବି ବୋଲି କହିବା ପରେ ଯୁବକ ଜଣଙ୍କ ଅଶ୍ଲିଳ ହେବା ପରେ ଉକ୍ତ ଭିଡିଓ କଲଟି ଚତୁରତାର ସହ ରେକଡିଂ କରି ଦେଇଥାନ୍ତି । ପରବର୍ତ୍ତି ମୁହୁର୍ତ୍ତରେ ଉକ୍ତ ଭିଡିଓ ଟିରେ ଯୁବକଙ୍କର ଫଟୋ ସଂଲଗ୍ନ କରି ହ୍ୱାଟ୍ସଆପ ମାଧ୍ୟମରେ ତାଙ୍କୁ ପଠେଇ ବ୍ଲାକମେଲ କରିବା ଆରମ୍ଭ କରିଦେଇଥାନ୍ତି । ଭିଡିଓଟିକୁ ଡିଲିଟ କରିଦେବା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଥାନ୍ତି । ଏହି ଅର୍ଥ ପୈଠ ନକଲେ ତାଙ୍କର ଘର ପରିବାର ଏବଂ ସାଙ୍ଗସାଥିମାନଙ୍କୁ ଏହି ଭିଡିଓ ପ୍ରେରଣ କରି ତାଙ୍କର ସମ୍ମାନ ଉପରେ ଆଞ୍ଚ ଆଣିବା ପାଇଁ ଧମକ ଦେଇଥାନ୍ତି । ଏଥିରେ ସଫଳ ନହେଲେ କିଛି ଦିନର ବ୍ୟବଧାନ ପରେ ଅନ୍ୟ ଜଣେ ବ୍ୟକ୍ତି ଫୋନ କରି ନିଜକୁ ୟୁଟୁବର ପରିଚୟ ଦେବା ସହ ତାଙ୍କ ପାଖରେ ସମ୍ପୃ୍‌କ୍ତ ଯୁବକଙ୍କର ଅଶ୍ଲିଳ ଭିଡିଓ ଥିବା ଜଣାଇଥାନ୍ତି । ତାଙ୍କର ୟୁଟୁବରେ ୨କୋଟିରୁ ଉର୍ଦ୍ଧ୍ୱ ଅନୁସରଣକାରୀ ଥିବା କହିବା ସହ ଏହାକୁ ସେ ୟୁଟୁବରେ ପ୍ରସାର କରିବେ କି ନାହିଁ ସେଥିପାଇଁ ଅନୁମତି ମାଗିଥାନ୍ତି । ଭିଡିଓ ଟି ଯୁବକ ଜଣଙ୍କର ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ସେ ଏହାକୁ ସାମାଜିକ ଗଣମାଧ୍ୟମରେ ନଛାଡିବାକୁ ଅନୁରୋଧ କଲେ ଏଥି ପାଇଁ ୩୧୫୦ ଟଙ୍କା ଲାଗିବ ବୋଲି ଯୁବକଙ୍କୁ ଜଣାଇବା ସହ ସେଥି ମଧ୍ୟରୁ ୩ହଜାର ଟଙ୍କା ସେ ପରବର୍ତ୍ତି ମୂର୍ତ୍ତରେ ଫେରିପାଇବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି । ଏହି ଅର୍ଥ ତୁରନ୍ତ ପୈଠ ନକଲେ ଭିଡିଓଟିକୁ ସେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ କରିବେ ବୋଲି ଧମକ ଦେଇଥାନ୍ତି । ଫଳରେ ଅଧିକାଂଶ ଯୁବକ ଏହି ଠକେଇର ଶୀକାର ହେଉଥିବା ଏବେ ନଜରକୁ ଆସିଛି । ତେବେ ଏହି ଠକେଇରୁ ବର୍ତ୍ତିବା ପାଇଁ ଖଣି ଅଞ୍ଚଳର ଯୁବ ପୀଢିକୁ ସଚେତନ କରାଯିବ ସବ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ସାଧାରଣରେ ଦାବି ହେଉଛି ।