Odiapua.com

ଫେସବୁକରେ ମାଲକାନଗିରିର ଯୁବତୀ ସହ ଦିଲ୍ଲୀ ନିବାସୀ ଯୁବକର ହେଲାପ୍ରେମ : ବିବାହ ବର ଶୋଭାଯାତ୍ରାର ଡିଜେ ଶବ୍ଦରେ ବର ପିତାର ଗଲା ଜୀବନ

ମାଲକାନଗିରି ୨୧।୦୪ (ଓଡ଼ିଆ ପୁଅ) ପେସବୁକ ଚାଟିଙ୍ଗରେ ମାଲକାନଗିରି ଜିଲ୍ଲାର ଜଣେ ଯୁବତୀ ସହିତ ଦିଲ୍ଲୀ ନିବାସୀ ଜଣେ ଯୁବକର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଶେଷରେ ଉଭୟ ପରିବାରଙ୍କ ସମ୍ମତି କ୍ରମେ ବିବାହ ସ୍ଥିର ହୋଇ ଯାଇଥିଲା। ପୁଅ ବିବାହ ପାଇଁ ବାପା ଦେଖିଥିଲେ ଅନେକ ସ୍ୱପ୍ନ। ଏଥିପାଇଁ ଦିଲ୍ଲୀରୁ ମାଲକାନଗିରିକୁ ଧାଇଁ ଆସିଥିଲେ ପରିବାର ସହ। ହେଲେ ବାପାର ଏହି ସ୍ୱପ୍ନ ପାଣି ଫୋଟାକା ପରି ମିଳେଇ ଯାଇଥିଲା। ପୁଅ ବିବାହ ଶୋଭାଯାତ୍ରାରେ ଚାଲିଗଲା ବାପାର ଜୀବନ। ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା।

ପୁଅର ବାହାଘର ପ୍ରସେସନ ଚାଲିଥିବା ବେଳେ ଡି.ଜେ ବାଜା ଶବ୍ଦରେ ବର ପିତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲା ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲାଙ୍କ ପୁଅ ଅଙ୍କିତ ରହିଲା ଫେସବୁକରେ ମାଲକାନଗିରି ଜିଲ୍ଲାସଦର ମହକୁମା ଲାଠିଆଗୁଡା ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରି ବସିଥିଲେ।

ପ୍ରେମ ପରେ ଉଭୟଙ୍କ ପରିବାର ଲୋକେ ଏକାଠି ବସି ବାହାଘର ମଧ୍ୟ ଠିକ୍ କରିଥିଲେ। ବୁଧବାର ରାତିରେ ମାଲକାନଗିରି ସହରର ହୋଟେଲ ଗୋଲଡେନ ଭିଉ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରିଥିଲା ଲାଠିଆଗୁଡା ଗାଁ ଅଭିମୁଖେ। ହେଲେ ପୁଅର ବାହାଘର ଶୋଭା ଯାତ୍ରା ଚାଲିଥିବା ବେଳେ ଅଧିକ ଶବ୍ଦରେ ଡିଜେ ସାଙ୍ଗକୁ ବାଜା ବାଜି ଥିଲା, ସେ ଶବ୍ଦ କାନ ପଠା ଶବ୍ଦସାଙ୍ଗକୁ ଛାତି ଧଡ଼ ଧଡ଼ ହୋଇଯାଉଥିଲା। ହଠାତ୍ ରାସ୍ତା ଉପରେ ବର ବାପାଙ୍କ ଛାତି ଯନ୍ତ୍ରଣା ହୋଇ ସେ ତଳେ ପଡି ତାଙ୍କର ଚେତା ପଳାଇଲା। ତାଙ୍କୁ ହସ୍ପିଟାଲ ନେବା ପରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ବୃଦ୍ଧଙ୍କ ମୃତ୍ୟୁ ଡି.ଜେ ଶବ୍ଦ ଯୋଗୁଁ ହୋଇଛି ବୋଲି ସେଠାରେ ଚର୍ଚ୍ଚା ହେଉଛି। ତେବେ ମୃତ୍ୟୁର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ। ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ସେପଟେ ବର ବାପାଙ୍କ ମୃତ୍ୟୁ ପରେ ଝିଅ ବାହା ଘର ବନ୍ଦ ରହିଥିବା ଜଣାପଡ଼ିଛି।