Odiapua.com

ଫେଲ୍ ମାରୁଛି ଦାମଙ୍କ ମୁଲଚାଲ

ଭୁନନେଶ୍ୱର ୧୨-୧୧ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) : ଏବେ ମଧ୍ୟ କଂଗ୍ରେସ ଓ ବିଜେପି ସହିତ ମୁଲଚାଲ ପରିସ୍ଥିତିରେ ଅଛନ୍ତି ବିଜେଡ଼ିରୁ ବହିଷୃତ ବରିଷ୍ଠ ନେତା ଦାମୋଦର ରାଉତ। ବିଜେଡ଼ିରୁ ବିଦା ହେଲା ପରେ ତାଙ୍କୁ ଏହି ଦୁଇ ପ୍ରମୁଖ ରାଜନୈତିକ ଦଳ ତରଫରୁ ବିଭିନ୍ନ ପ୍ରକାରର ରାଜନୈତିକ ପ୍ରତିଶୃତି ଦିଆଯାଇଥିଲା। ମାତ୍ର ଦାମ ନିଜକୁ ଓଡ଼ିଶା ରାଜନୀତିର ଭିଷ୍ମ ପିତାମହ ଭାବି ନିଜର ଗୋଡ଼ ଲମ୍ବାଇବାକୁ ଆରମ୍ଭ କଲେ। ତେଣୁ ଦାମଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ କୌଣସି ଦଳ ଗ୍ରହଣ କଲେ ନାହିଁ।

ଗତ କିଛି ଦିନ ପୂର୍ବେ “କଂଗ୍ରେସରେ ଯୋଗ ଦେବେ ଦାମ – ମନ ସ୍ଥିର” ଶୀର୍ଷକ ଏକ ଖବର “ଓଡ଼ିଆ ପୁଅ”ର ପ୍ରଥମେ ପ୍ରକାଶ ପାଇଥିଲା। ମାତ୍ର ଦାମ ଓ କଂଗ୍ରେସ ମଧ୍ୟରେ କୌଣସି ଚୁଡ଼ାନ୍ତ ନିଷ୍ପତ୍ତି ହୋଇପାରି ନଥିଲା। ଦାମଙ୍କ ତରଫରୁ ଦିଆଯାଇଥିବା ପ୍ରସ୍ତାବ ଶୁଣି କଂଗ୍ରେସ ପଛଘୁଞ୍ଚା ଦେଲା। ଏହାପରେ ଦାମ ଏହି ଦୁଇ ବୃହତ ଦଳ ଉପରେ ରାଜନୈତିକ ଚାପ ସୃଷ୍ଟି କରିବା ପାଇଁ ତାଙ୍କର ବିଜେଡ଼ି ବିରୋଧି ଗତିବିଧି ଗୁଡ଼ିକୁ ଆହୁରି ଚଳଚଞ୍ଚଳ କରିବାକୁ ଲାଗିଲେ। ଗତକାଲି ବିଭିନ୍ନ ୱେବ ଚ୍ୟାନେଲରେ ଏକ ଭିଡ଼ିଓ ଭାଇରାଲ ହୋଇଥିବାର ଦୃଷ୍ଟି ଗୋଚର ହେଉଛି। ଏଥିରେ ଦାମ କହୁଛନ୍ତି କଂଗ୍ରେସ ଦଳ ମୋତେ ମୁଖ୍ୟମନ୍ତ୍ରୀ ପ୍ରାର୍ଥିକରି ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି। ଦାମଙ୍କର ଏ ବୟାନ ପରେ ଓଡ଼ିଶା ରାଜନୀତିରେ ଏକ ସ୍ପଷ୍ଟ ଚିତ୍ର ଯାଉଛିଯେ, ଦାମଙ୍କର ରାଜନୈତିକ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧକାର। ଏହି ଖବର ମଧ୍ୟ ଦାମ ବିଜେଡ଼ିରୁ ବହିଷୃତ ହେଲା ପରେ ଆମେ ପ୍ରଥମେ ପ୍ରକାଶ କରିଥିଲୁ।

ବିଜେପି ଏବଂ କଂଗ୍ରେସ ଠାରୁ କୌଣସି ସଠିକ ମୁଲଚାଲ ନହେବା ପରେ ଦାମ ଏକ ନୂତନ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଏକ ନୂତନ ଆଞ୍ଚଳିକ ଦଳ ଗଠନ କରିବା ପାଇଁ ଯେଉଁ ଅର୍ଥର ଆବଶ୍ୟକତା ରହିଛି ତାହା ଦାମ ବାବୁଙ୍କ ପାଖରେ ନାହିଁ କି ଯୋଗାଡ଼ କରିବାର କ୍ଷମତା ମଧ୍ୟ ନାହିଁ। ଯେଉଁ କେତେଜଣ ତୁଙ୍ଗ ତଥା ତଥାକଥିତ ରାଜନେତାଙ୍କ ସହିତ ଏ ନୂତନ ରାଜନୈତିକ ଦଳ ସମ୍ପର୍କରେ ଆଲୋଚନା କରିଥିଲେ। ମାତ୍ର ଏଥିରୁ ମଧ୍ୟ କୌଣସି ସ୍ପଷ୍ଟ ଚିତ୍ର ଦାମ ପାଇପାରିଲେ ନାହିଁ। ତେଣୁ ଆଉ କୌଣସି ଚାରା ଦାମଙ୍କ ପାଖରେ ନାହିଁ। ତେଣୁ ଦାମଙ୍କର ଏହି ରାଜନୈତିକ ଜୁଆରରେ ମଧ୍ୟ ଭଟ୍ଟା ପଡ଼ିବା ସୁନିଶ୍ଚିତ।