Odiapua.com

ଫେଲୋସିପ୍ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା, ଭଦ୍ରକ ଜଣେ ଭଲ ମଣିଷକୁ ଝୁରିବ

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କର ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ଯୁଗ୍ମ ଶାସନ ସଚିବ ପଦକୁ ବଦଳି ହୋଇଥିବାରୁ ତାଙ୍କୁ ଭଦ୍ରକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଫେଲୋସିପ୍ ପକ୍ଷରୁ ୱାନ୍ ଷ୍ଟପ୍ ସେଣ୍ଟର ପରିସରରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଫେଲୋସିପ୍‌ର ନିର୍ଦ୍ଦେଶକ ଲଲାଟେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଭାପତି ଡ. ସୁଦର୍ଶନ ବାରିକ, ଜିଳ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକ, ଏଇଏମ୍‌ଏର ଜିଲ୍ଳା ସମ୍ପାଦକ ଡା. ହରେକୃଷ୍ଣ ନାୟକ, ଆସିଷ୍ଟାଣ୍ଟ କଲେକ୍ଟର ବାସନ୍ତୀ ସାମଲ, ପୂର୍ବତନ ଡେପୁଟି କଲେକ୍ଟର ପଦ୍ମନ ରାୟ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ହୋଇଥିଲେ । ଫେଲୋସିପ୍‌ର ସମ୍ପାଦକ ଏସ.ଏମ୍‌. ଫାରୁକ୍ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଶ୍ୟାମଭକ୍ତ ମିଶ୍ର ଜଣେ ଅମାୟିକ, ଭଦ୍ର, ନମ୍ର ସ୍ୱଭାବ ସମ୍ପନ୍ନ ବ୍ୟକ୍ତିତ୍ୱ । ତାଙ୍କ ବଦଳିରେ ଭଦ୍ରକ ଜିଲ୍ଲା ଜଣେ ଭଲ ମଣିଷର ସାହଚର୍ଯ୍ୟ ହରାଇବ । ଭଦ୍ରକରେ ଗତ ୨୦୧୭ ଦଙ୍ଗା ପରେ ପରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଯୋଗ ଦେଇ ଉଭୟ ସଂପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଜିଲ୍ଲାର ଆଇନ ଶୃଙ୍ଖଳାକୁ ସୁପରିଚାଳନା କରିବାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ଶାନ୍ତନୁ ରାଉତ, ଶାନ୍ତିଲତା ନାଗ, ନିହାର ଦାସ, ପ୍ରଦୀପ ପ୍ରଧାନ ପ୍ରମୁଖ ଶ୍ରୀଯୁକ୍ତ ମିଶ୍ରଙ୍କର ଗୁଣାବଳୀର ଆଲୋଚନା କରିଥିଲେ । ଏହି ଅବସରରେ ଆଇଏମ୍‌ଏର ସମ୍ପାଦକ ଡା. ନାୟକ ଶ୍ରୀଯୁକ୍ତ ମିଶ୍ରଙ୍କୁ ସ୍ମାରକୀ ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପ୍ରାଧ୍ୟାପିକା ଶକୁନ୍ତଳା ନାୟକ ସ୍ୱରଚିତ କବିତା ପାଠ କରିବା ସହିତ ତାଙ୍କୁ ଉପହାର ପ୍ରଦାନ କରିଥିଲେ । ପରେ ଫେଲୋସିପ୍ ପକ୍ଷରୁ ଏସ୍‌.ଏମ୍‌. ଫାରୁକ ଉତ୍ତରୀୟ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଫେଲୋସିପ୍ ଓ ୱାନ୍ ଷ୍ଟପ୍ ସେଣ୍ଟରର କର୍ମଚାରୀମାନେ ସହଯୋଗ କରିଥିଲେ ।