Odiapua.com

ଫେରୁନି ଅପହୃତ ପୁଅ ବାପ ମା’ଙ୍କ ଆଖିରୁ ସୁଖିଲାଣି ଲୁହ

ନୟାଗଡ ୦୫/୦୩ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ସମାଜରେ ବୃଦ୍ଧ ବାପ ମା ନିଜ ରୋଜଗାରିଆ ପୁଅ ଉପରେ ଶେଷ ଜୀବନରେ ଭରଷା କରିଥାନ୍ତି। ସେହି ରୋଜଗାରିଆ ପୁଅ ଅପହରଣର ଏକ ମାସ ବିତିବାକୁ ଯାଉଥିବା ବେଳେ ଅପହୃତ ପୁଅକୁ ପୋଲିସ ଉଦ୍ଧାର ନକରିବା ପୁଅ ଘରକୁ ନଫେରିବା ଯୋଗୁଁ ବାପ ମା’ କାନ୍ଦି କାନ୍ଦି ଆଖିରୁ ଲୁହ ସୁଖିବାକୁ ବସିଲାଣି। ସେହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଥାନା ନୂଆପଲ୍ଲି ଗ୍ରାମରେ। ନୂଆପଲ୍ଲି ଗ୍ରାମର ପଞ୍ଚାନନ ସ୍ୱାଇଁଙ୍କ ପୁଅ ମାନସ କୁମାର ସ୍ୱାଇଁ ଭୁବନେଶ୍ୱରର ଉକ ଷ୍ଟୁଡିଓରେ କ୍ୟାମେରା ମ୍ୟାନ୍ ଭାବେ କାର୍ଯ୍ୟକରି ପରିବାର ପ୍ରତି ପୋଷଣ କରନ୍ତି। ଗତ ଫେବୃୟାରୀ ୫ ତାରିଖରେ ଘରୁ ବାହାରି ଭଦ୍ରକ ଜିଲ୍ଲା ଚାନ୍ଦିପୁର ଥାନା ଅଂଚଳକୁ ଏକ ବିବାହ ଫଟୋ ଚିତ୍ର ଉତ୍ତୋଳନ ପାଇଁ ଯାଇଥିଲେ। ଫେବୃୟାରୀ ୭ ତାରିଖ ସକାଳୁ ବସର ରହଣି ସ୍ଥଳକୁ ଫେରିବା ସମୟରେ ନାଲୁମୁଣ୍ଟା ପଳାଶପୁର ଛକରୁ ଏକ କାର୍ ଯୋଗେ ଜଣେ ମହିଳା ଓ ୨ ଜଣ ଯୁବକ ମାନସକୁ ଅପହରଣ କରି ନେଇଥିଲେ।

ଅପହରଣ ଖବର ପାଇଲା ପରେ ମାନସର ବାପା ପଞ୍ଚାନନ ସ୍ୱାଇଁ ଫରବୃୟାରୀ ୧୪ ତାରିଖରେ ଚାନ୍ଦିପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାନସ ବ୍ୟବହାର କରିଥିବା ମୋବାଇଲଟି ପୋଲିସ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଂଚଳର ଜଣେ ଯୁବକ ଠାରୁ ଜବତ କରୁଥିଲେ ମଧ୍ୟ ଏ ଯାଏଁ ଅପହୃତ ମାନସକୁ ଉଦ୍ଧାର କରି ପାରିନାହିଁ। ଚାନ୍ଦବାଲି ପୋଲିସ ମାନସର ଆଦାରକାର୍ଡଟି ମଗାଇ ନେଇଛି। ମାନସର ବାପ, ମା ଓ ସ୍ତ୍ରୀ ଚାନ୍ଦିପୁର ଥାନାକୁ ଦଉଡି ଦଉଡି ପୋଲିସ ଉପରୁ ଭରଷା ତୁଟାଇ ସାରିଲେଣୀ। ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରସ୍ଥ ହେବେ ବୋଲି କହୁଛନ୍ତି। ଏ ସର୍ମ୍ପକେ ଭଦ୍ରକ ଜିଲ୍ଲା ଚାନ୍ଦିପୁର ଥାନା ନିରୀକ୍ଷକ କରୁଣାକର ରାଉତଙ୍କ ସହ ମୋବାଇଲ ଯୋଗେ ଯୋଗାଯୋଗ କରାଯଇଥିଲେ ମଧ୍ୟ ସେ ବାବୁ ଖାଇବାକୁ ଯାଇଛନ୍ତି କହି ଫୋନ୍ ଉଠାଇ ନଥିବା ଜଣାପଡିଛି। ମୋବାଇଲ ଫୋନ ଟି ସରକାରୀ ବୋଲି ଜଣାପଡିଛି। ଅପରପକ୍ଷେ ବାପ, ମା, ସ୍ତ୍ରୀ ଓ ପିଲା ମାନସ ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି।