Odiapua.com

ଫେକର ଚାର୍ଜକ୍ରୋମ ଦୁର୍ଘଟଣା, ଜଣକ ପରେ ଅନ୍ୟଜଣଙ୍କର ମଧ୍ୟ ମୃତ୍ୟୁ , କ୍ଷତିପୂରଣ ଓ କାରଖାନାରେ ନିରାପତ୍ତା ନେଇ ସମୀକ୍ଷା କଲେ ଜିଲ୍ଲାପାଳ

ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଏପ୍ରିଲ ମାସ ୧୧ ତାରିଖରେ ଭଦ୍ରକର ରାନ୍ଦିଆ ସ୍ଥିତ ବେଦାନ୍ତ ଫେକର ଚାର୍ଜକ୍ରୋମ ଦୁର୍ଘଟଣାରେ ପୋଡ଼ି ଆହତ ହୋଇଥିବା ୨ଜଣ କାର ଚାର୍ଜିଂ ଅପରେଟର କର୍ମଚାରୀଙ୍କ ମଧ୍ୟରୁ ଗତ ୧୬ରେ ରତିକାନ୍ତ ସୂତାରଙ୍କ ମୃତ୍ୟୁ ପରେ ଗତକାଲି ୨୧ ତାରିଖ ସନ୍ଧ୍ୟାରେ ଅନ୍ୟ ଆହତ ବିଜୟ ମହାପାତ୍ରଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ମୃତକ ସ୍ୱର୍ଗତ ମହାପାତ୍ରଙ୍କ ପରିବାରକୁ ଉଚିତ୍ କ୍ଷତିପୂରଣ ବାବଦ କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଆର୍ଥିକ ସହାୟତା ପ୍ରଦାନ, ତାଙ୍କର ଯୋଗ୍ୟ ଉତ୍ତରାଧିକାରୀଙ୍କୁ ଚାକିରୀ ପ୍ରଦାନ ସହ କାରଖାନା କର୍ମଚାରୀଙ୍କ ନରାପତ୍ତା ଦିଗରେ ନିଆଯିବାକୁ ଥିବା ପଦକ୍ଷେପ ସମ୍ବନ୍ଧରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଏସ୍‌.ପି. ବରୁଣ ଗୁଣ୍ଟୁପାଲି, ଫେକର ସି.ଇ.ଓ. ସୁଜଲ ଶାହା, ଫେକର ଏଚ୍‌.ଆର୍‌. ମୁଖ୍ୟ ସୁନୀତି କୁମାର ଧଳ, ଜିଲ୍ଲା ସୂଚନ ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।

ଆହତ ଦୁଇଜଣଙ୍କ ଜୀବନ ରକ୍ଷା ପାଇଁ ଯଥାଶୀଘ୍ର ଭଦ୍ରକରୁ ଭୁବନେଶ୍ୱର ନେଇ ଭୁବନେଶ୍ୱର ରୁ ମୁ୍‌ମ୍ବାଇକୁ ଏୟାର ଲିଫିଟିଂ କରାଯାଇ ଚିକିତ୍ସା କରାଯାଇଥିଲେ ବି ଦୁଇ ଜଣ ଯାକ ମୃତ୍ୟୁ ବରଣ କରିବା ଅତୀବ ଦୁଃଖଦ ଘଟଣା ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । କ୍ଷତିପୂରଣ ବାବଦ ଆର୍ଥିକ ସହାୟତା, ଚାକିରୀ, ପେନସନ୍ ଆଦି ପ୍ରଦାନ ପୂର୍ବକ ମୃତକମାନଙ୍କ ପରିବାରକୁ ସାମାଜିକ ସୁରକ୍ଷା ଯୋଗାଇଦେବା ସହିତ ଆଗକୁ ଯେପରି ଏମିତି ଦୁର୍ଘଟଣା ନ ଘଟିବ ସେଦିଗରେ ଆରମ୍ଭ କରାଯାଇଥିବା ପ୍ରକ୍ରିୟା ସମ୍ବନ୍ଧରେ ଜିଲ୍ଲାପାଳ ସି.ଇ.ଓ.ଙ୍କ ଠାରୁ ଟିକିନିଖି ପଚାରି ବୁଝିଥିଲେ । କର୍ମଚାରୀମାନଙ୍କ ନିରାପତ୍ତା ପାଇଁ ସମସ୍ତ ଦୃଷ୍ଟି କୋଣକୁ ଅଡ଼ିଟ୍ କରି, କର୍ମଚାରୀମାନଙ୍କ ମଧ୍ୟରେ ଆସ୍ଥା ଓ ବିଶ୍ୱାସ ଆଣିବା ପାଇଁ ନିରାପତ୍ତା ବିଷୟକୁ ଶତପ୍ରତିଶତ ସୁନିଶ୍ଚିତ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ବିଦେଶରୁ ଆସିବାକୁ  ଖୁବ୍ ବୈଷୟିକ ବିଶେଷଜ୍ଞ ମାନଙ୍କ ସହିତ ଯୋଗାଯୋଗ ଚାଲିଥିବା ସହ ଖୁବ୍ ନିକଟରେ ଆମ ଦେଶର ସଂପୃକ୍ତ ବୈଷୟିକ ବିଶେଷଜ୍ଞ ଦଳ ଦ୍ୱାରା ଅଡ଼ିଟ୍ ଆରମ୍ଭ କରାଯିବା ପାଇଁ ପ୍ରସ୍ତୁତି ସରିଥିବା ନେଇ ସି.ଇ.ଓ. ସୂଚନା ଦେଇଥିଲେ । କ୍ଷତିପୂରଣ, ଚାକିରି , ପେନସନ୍ ଆଦି ପ୍ରଦାନ ନେଇ ବୈଠକରେ ଆଲୋଚନାର ନିଷ୍ପତ୍ତି ଅନୁଯାୟୀ ସି.ଇ.ଓ. ସମ୍ମତି ପ୍ରକାଶ କରିଥିଲେ ।