Odiapua.com

ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

– ସମାରୋହରେ ଉପସ୍ଥିତ ରହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କିରେନ ରିଜିଜୁ

– ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜକ ଭାରତ ଓ ଆମେରିକା ମଧ୍ୟରେ ମୁକାବିଲା

ଭୁବନେଶ୍ବର, ୧୧ ଅକ୍ଟୋବର : (ଓଡ଼ିଆ ପୁଅ) କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଇଛନ୍ତି।

ଶ୍ରୀ ଠାକୁର ଭାରତ ଏବଂ ଆମେରିକା ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ମଧ୍ୟ ଦେଖିଥିଲେ। ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ କିରେନ ରିଜିଜୁଙ୍କ ମଧ୍ୟ ଉପସ୍ଥିତ ଥିଲେ।

୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ ସମେତ ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟସ୍‌ ଷ୍ଟାଡିୟମ ଏବଂ ଗୋଆର ପିଜେଏନ ଷ୍ଟାଡିୟମକୁ ମିଶାଇ ତିନୋଟି ସ୍ଥାନରେ ମିଳିତ ଭାବେ ଆୟୋଜନ କରାଯାଉଛି।

ଏହି କ୍ରୀଡ଼ା ମହାକୁମ୍ଭରେ ୧୬ଟି ଦେଶ ଭାଗ ନେଇଛନ୍ତି। ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଶ୍ବସ୍ତରୀୟ ଏହି ସମ୍ମାନଜନକ ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ୪ଟି ଗ୍ରୁପରେ ବିଭାଜିତ ହୋଇ ଦଳଗୁଡ଼ିକ ପରସ୍ପର ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଅକ୍ଟୋବର ୩୦ ତାରିଖରେ ନଭି ମୁମ୍ବାଇ ଠାରେ ଫାଇନାଲ ମୁକାବିଲା ଖେଳାଯିବ।

୧୭ ବର୍ଷରୁ କମ୍‌ ଫିଫା ମହିଳା ଫୁଟବଲ ବିଶ୍ବକପ ପ୍ରତିଯୋଗିତାରେ ତିନି ପୂର୍ବତନ ଚାମ୍ପିଅନ ଫ୍ରାନ୍ସ, ଜାପାନ ଏବଂ ସ୍ପେନ୍‌ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଅନ୍ୟପକ୍ଷରେ କାନାଡା, ଜର୍ମାନୀ, ନ୍ୟୁଜିଲାଣ୍ଡ ଓ ଜାପାନ ସବୁଥର ଭଳି ଚଳିତ ସଂସ୍କରଣରେ ମଧ୍ୟ ଭାଗ ନେବାର ରେକର୍ଡ ବଜାୟ ରଖିଛନ୍ତି।

ଏଭଳି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରୁଛି। ୨୦୧୭ରେ ୧୭ ବର୍ଷରୁ କମ୍‌ ପୁରୁଷ ଫୁଟବଲ ବିଶ୍ବକପ ପରେ ଭାରତୀୟ ମହିଳା ଦଳ ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ ରଖିଛି।

ଅନ୍ୟପକ୍ଷରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିଲେ।