Odiapua.com

ଫାଙ୍କା ପଡ଼ିଛି ଟିଏମସି, ଗାଁରେ ବୁଲୁଛନ୍ତି ଘର ବାହୁଡ଼ା ପ୍ରବାସୀ, ପ୍ରବାସୀଙ୍କୁ ସଂଗରୋଧରେ ରଖିବାକୁ ପ୍ରଶାସନର ନିର୍ଦ୍ଧିଷ୍ଟ ଯୋଜନା ନାହିଁ

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନାର ଦ୍ୱିତୀୟ ଲହର ଜିଲ୍ଲାରେ ଗୁରୁତର ଆକାର ଧାରଣ କରିଛି । ପ୍ରଥମ ବର୍ଷ ଅପେକ୍ଷା ଏହାର ପ୍ରଭାବ ବହୁତ ଅଧିକ । ଗତକାଲି ୪୪୩ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଜିଲ୍ଲାରୁ । ଯାହାକି ଜିଲ୍ଲା ପାଇଁ ଏକ ସର୍ବକାଳୀନ ରେକର୍ଡ଼ । ଏପରି ସଂକ୍ରମଣ ବୃଦ୍ଧି ଏବେ ଜିଲ୍ଲାବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । କୋଭିଡ ସଂକ୍ରମଣକୁ ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା କୁହାଯାଉଛି । ତଥାପି ଚଳିତ ବର୍ଷ ପ୍ରଶାସନର କୋଭିଡ ପରିଚାଳନାକୁ ନେଇ ଜିଲ୍ଲାବାସୀ ସନ୍ତୁଷ୍ଟ ନୁହନ୍ତି । ବିଶେଷକରି ବିଭିନ୍ନ ରାଜ୍ୟରୁ ଘର ବାହୁଡ଼ା ପ୍ରବାସୀଙ୍କୁ ନେଇ ପ୍ରଶାସନର କୌଣସି ନିର୍ଦ୍ଧିଷ୍ଟ ଯୋଜନା ଥିବା ପରି ମନେ ହେଉ ନାହିଁ । ପ୍ରଶାସନ ପକ୍ଷରୁ ୪ଟି ସହରାଞ୍ଚଳ ଓ ସମସ୍ତ ବ୍ଲକ ରେ କ୍ଲଷ୍ଟର ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ର(ଟିଏମସି) ସ୍ଥାପନ କରାଯାଇଛି । କିନ୍ତୁ ଏସମସ୍ତ ଟିଏମସିର ଅଧିକାଂଶ ଶଯ୍ୟା ଫାଙ୍କା ପଡ଼ିଛି । ଅପରପକ୍ଷେ ପ୍ରଶାସନିକ ତତ୍ପରତାର ଅଭାବରୁ ପ୍ରବାସୀମାନେ ଏ ସମସ୍ତ ଟିଏମସିରେ ସଂଗେରୋଧରେ ନରହି ଗାଁରେ ବୁଲୁଛନ୍ତି । ପ୍ରଶାସନିକ ସୂଚନା ଅନୁଯାୟୀ ଚଳିତ ବର୍ଷ ଭଦ୍ରକ ପୌରାଞ୍ଚଳରେ ଗୋଟିଏ, ବାସୁଦେବପୁର ପୌରାଞ୍ଚଳରେ ୨ଟି, ଚାନ୍ଦବାଲି, ଧାମନଗର ବିଜ୍ଞାପିତ ଅଞ୍ଚଳରେ ଗୋଟିଏ ଲେଖାଁ, ଏପରି ମୋଟ ୫ଟି କ୍ଲଷ୍ଟର ଟିଏମସି ସ୍ଥାପନ କରାଯାଇଛି ।

ଏସମସ୍ତ ଟିଏମସିରେ ରହିଛି ୧୨୨ଟି ଶଯ୍ୟା । କିନ୍ତୁ ଆଜିର ଦିନରେ ମୋଟ ୩୬ଜଣ ପ୍ରବାସୀ ସଂଗରୋଧରେ ରହିଛନ୍ତି । ସେହିପରି ପ୍ରଶାସନ ପକ୍ଷରୁ ଜିଲ୍ଲାର ବିଭିନ୍ନ ପଞ୍ଚାତରେ ଗତବର୍ଷ ୬ଶହରୁ ଉର୍ଦ୍ଧ୍ୱ ଟିଏମସି ସ୍ଥାପନ କରାଯାଇଥଲା । କିନ୍ତୁ ଚଳିତ ବର୍ଷ ପ୍ରଶାସନ ମୋଟ ୪୮ଟି କ୍ଲଷ୍ଟର ଟିଏମସି ପ୍ରତିଷ୍ଠା କରିଛି । ଏଥି ମଧ୍ୟରୁ ଆଜି ପର୍ଯ୍ୟନ୍ତ ୩୪ଟି କାର୍ଯ୍ୟକ୍ଷମ ହୋଇଛି । ତେବେ ସମସ୍ତ ୪୮ଟି କ୍ଲଷ୍ଟର ଟିଏମସିରେ ୨ହଜାର ୫୭୫ ଶଯ୍ୟା ପ୍ରସ୍ତୁତ କରାଯାଇଛି । ଆଜି ପର୍ଯ୍ୟନ୍ତ ଏସମସ୍ତ କ୍ଳଷ୍ଟର ଟିଏମସିରେ ୧ହଜାର ୮୧୮ଜଣ ପ୍ରବାସୀ ସଂଗରୋଧରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧ହଜାର ୧୮୩ ଜଣ ସଂଗରୋଧ ସାରି ଘରକୁ ଫେରିଥିବାବେଳେ, ୬୩୫ଜଣ ଏବେ ରହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଗତ ବର୍ଷ ୩୫ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ଲକଡାଉନ କଟକଣା ପରେ ଘରକୁ ଫେରିଥିଲେ । ସମସ୍ତ ପ୍ରବାସୀଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ଥିଲା । ତେଣୁ ଏସମସ୍ତ ପ୍ରବାସୀ ସଂଗରୋଧରେ ରହି ଘରକୁ ଫେରିଥିଲେ । ସଂଗରୋଧରେ ଥିବା ସମୟରେ, ଲକ୍ଷଣଯୁକ୍ତ ପ୍ରବାସୀଙ୍କ କୋଭିଡ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଚିହ୍ନଟ ଆକ୍ରାନ୍ତଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ନିର୍ଦ୍ଧିଷ୍ଟ ଭାବରେ କେତେ ପ୍ରବାସୀ ଫେରିଛନ୍ତି ତାହାର କୌଣସି ସଠିକ ତଥ୍ୟ ପ୍ରଶାସନ ନିକଟରେ ନାହିଁ । ପଞ୍ଚାୟତସ୍ତରରେ ଥିବା ସରକାରୀ ଏଜେନ୍ସିକୁ ଉପଯୋଗ କରି ମଧ୍ୟ ଘରକୁ ଫେରିଥିବା ପ୍ରବାସୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ପାଇ ପାରି ନାହିଁ ପ୍ରଶାସନ । ତେବେ ଏପର୍ଯ୍ୟନ୍ତ ୧୦ହଜାରରୁ ଉର୍ଦ୍ଧ୍ୱ ପ୍ରବାସୀ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ଦିଲ୍ଲୀ, ଉତ୍ତରପ୍ରଦେଶ, ତାମିଲ ନାଡ଼ୁ, କର୍ଣ୍ଣାଟକ ପରି ରାଜ୍ୟରୁ ଘରକୁ ଫେରିଛନ୍ତି । କିନ୍ତୁ ଏସମସ୍ତ ପ୍ରବାସୀଙ୍କୁ ଚିହ୍ନଟ କରି ସଂଗରୋଧରେ ରଖିବାକୁ ପ୍ରଶାସନ ବିଫଳ ହୋଇଛି । ଫଳରେ ସଂଗରୋଧରେ ନ ରହିବାକୁ ଚାହୁଁଥିବା ପ୍ରବାସୀମାନେ ଏବେ ଗାଁ ଦାଣ୍ଡରେ ବୁଲୁଛନ୍ତି । ସେମାନଙ୍କ ଉପରେ ପ୍ରଶାସନର କୌଣସି ନିୟନ୍ତ୍ରଣ ନାହିଁ । ପଞ୍ଚାୟତସ୍ତରରେ ମଧ୍ୟ କୌଣସି ସରକାରୀ ଏଜେନ୍ସି ସେମାନଙ୍କୁ ଟିଏମସିରେ ରଖିବାକୁ ସକ୍ଷମ ହୋଇ ପାରି ନାହିଁ । ତେଣୁ ଏସମସ୍ତ ପ୍ରବାସୀଙ୍କ ପାଇଁ ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ମତପ୍ରକାଶ ପାଇଛି । କାରଣ ଏବେ ଜିଲ୍ଲାର ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ପ୍ରତିଶତ ଗ୍ରାମାଞ୍ଚଳର ବୋଲି ଜଣାପଡ଼ିଛି । ତେବେ ଆସନ୍ତା ୨୪ ତାରିଖରୁ ହେବାକୁ ଥିବା ଘରକୁ ଘର ସର୍ଭେ ପରେ କରୋନା ନିୟନ୍ତ୍ରଣକୁ ଆସିବ ବୋଲି ଆଶା କରାଯାଉଛି ।