Odiapua.com

ଫସଲବୀମା ଦାବି ନେଇ ପଦଯାତ୍ରାରେ ଜିଲ୍ଲାପାଳଙ୍କ ଦପ୍ତରକୁ ଆସିଲେ ଶହଶହ ଚାଷୀ

ସମ୍ବଲପୁର, ୨୫/୯ (ଓଡ଼ିଆ ପୁଅ) ଗତ ବର୍ଷର ଫସଲ ବୀମା ପ୍ରଦାନ ଆଦି ଦାବି ନେଇ ଆଜି ସମ୍ବଲପୁର ଜିଲ୍ଲାର ଚାଷୀମାନେ ପଦଯାତ୍ରା କରିଛନ୍ତି। ବିଭିନ୍ନ ଅଣଜଳସେଚିତ ଗ୍ରାମର ଶହଶହ ଚାଷୀ ଜୁଜୁମୁରା ବ୍ଲକର ପଡ଼ିଆବାହାଲଠାରୁ ଏକ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ ଦପ୍ତରରେ ପହଂଚି ସେମାନଙ୍କ ଦାବିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ଜୁଜୁମୁରା ଜୟଦୁର୍ଗା କୃଷକ ସଂଘର ନେତୃତ୍ୱରେ ଏହି ଚାଷୀ ମାନେ ବାହାମ, ଟାମ୍ପରଗଡ଼ ଓ ଡ଼ଂଗରପଡ଼ା ଗ୍ରାମପଂଚାୟତର ବିଭିନ୍ନ ଗାଁ ମାନଙ୍କରୁ ଆସି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲାପାଳଙ୍କ ଦପ୍ତରରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କଲାଉତାରୁ ସଂଘର କର୍ମମର୍ତା ମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ୨୦୧୮ ବର୍ଷର ଫସଲବୀମା ରାଶି ପ୍ରଦାନ କରିବା ପାଇଁ ଏଥିରେ ଅନୁରୋଧ କରାଯାଇଛି। ଉକ୍ତ ବର୍ଷ ଉଭୟ ଖରପ ଓ ରବି ଋତୁରେ ପ୍ରଥମେ ଜଳାଭାବ ଓ ପରେ ଅଦିନିଆ ବର୍ଷା ଏବଂ ରୋଗପୋକ ଯୋଗୁ ବ୍ୟାପକ ଫସଲ ହାନୀ ହୋଇଥିଲା। ଏହା ସତ୍ୱେ କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ କିମ୍ବା ଫସଲ ବୀମା ନପାଇ ଆର୍ଥିକ ଅନାଟନରେ କାଳାତିପାତ କରୁଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇବା, ଚାଷୀମାନଙ୍କୁ ବୋନସ ପ୍ରଦାନ, ସମସ୍ତ ଚାଷୀ ଏବଂ ଭାଗଚାଷୀଙ୍କୁ ରିହାତି ଦରରେ କୀଟନାଶକ ଓ ଅନ୍ୟାନ୍ୟ ଆନୁଷାଂଗିକ କୃଷି ସାମଗ୍ରୀ ବିତରଣ, ଧାନ ଓ ଅନ୍ୟ ଫସଲ ପାଇଁ ସଠିକ ସମୟରେ ଉଚିତ ମାନର ବିହନ ଯୋଗାଣ, ଜୁଜୁମୁରା ବ୍ଲକରେ ଶତ ପ୍ରତିଶତ ଜଳସେଚନ ବ୍ୟବସ୍ତା କାର୍ଯ୍ୟକାରୀ କରାଯିବା, ବନ୍ୟପ୍ରାଣୀ କବଳରୁ ଫସଲ ସୁରକ୍ଷା ସକାଶେ ଉପଯୋଗୀ ପଦକ୍ଷେପ ଗ୍ରହଣ କରାଯିବା, ଫସଲହାନୀର ସଠିକ ଆକଳନ ସହିତ ପ୍ରକୃତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଚିତ କ୍ଷତିପୂରଣ ଦିଆଯିବା, ଖରିପ ଫସଲ ପାଇଁ ଚାଷୀ ପଞୀକରଣ ପ୍ରକ୍ରୀୟାକୁ ଅକ୍ଟୋବର ଦଶ ତାରିଖ ପର୍ଯ୍ୟନ୍ତ ବୃଦ୍ଦି କରାଯିବା, ବୁର୍ଲା ଭିମସାର ହସ୍ପାତାଲରେ ଚାଷୀଙ୍କ ସକାଶେ ସଂରକ୍ଷଣ ବ୍ୟବସ୍ତା ରଖାଯିବା ଓ କୃଷିଋଣ ସମ୍ପୂର୍ଣ ଛାଡ଼ କରାଯିବାକୁ ଏହି ସ୍ମାରକପତ୍ରରେ ରେ ଦାବି କରାଯାଇଛି। ସୁକାନ୍ତ ପାଣିଗ୍ରାହୀ, ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।