Odiapua.com

ଫନୀ ପରବର୍ତ୍ତୀ ପୁରୀର ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପୁନରୁଦ୍ଧାର ନେଇ ସମୀକ୍ଷା କଲେ ଧର୍ମେନ୍ଦ୍ର ଓ ପ୍ରତାପ

କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମ ଓଡିଶା ଗସ୍ତରେ ମହାପ୍ରଭୁଙ୍କ ଦର୍ଶନ ସହ
ବିଶ୍ୱ ଇସ୍ପାତ ଜଗତରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସ୍ଥିତିର ଲାଭ ଓଡିଶା ବିଶେଷ ଭାବରେ ଯୁବପିଢୀଙ୍କ ପାଖରେ ପହଁଚାଯିବ – ଧର୍ମେନ୍ଦ୍ର ପ୍ରଧାନ
ଫୋନି ପ୍ରଭାବିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର କରାଯିବ- ପ୍ରତାପ ଷଡଙ୍ଗୀ
– ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହେବା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହ କରାଯିବ ଆଲୋଚନା
– ମହାପ୍ରଭୁଙ୍କ ଭୂମି ପୁରୀର ଚମକ ଫେରାଇ ଆଣିବା ନେଇ ସବୁ କାମ କରାଯିବ
– ଇସ୍ପାତ କ୍ଷେତ୍ରର ଆନ୍ସିଲାରୀ ଇଣ୍ଡଷ୍ଟ୍ରିର ବଡ ହବ୍ ଭାବେ ଓଡିଶାକୁ ଗଢି ତୋଳିବା ପାଇଁ ହେବ ଉଦ୍ୟମ
– ମହାପ୍ରଭୁ ଜଗନ୍ନାଥ ତଥା ଦେଶ ଓ ରାଜ୍ୟର ସାଧାରଣ ଲୋକ ମୋଦିଙ୍କୁ ଅଭୁତପୂର୍ବ ସମର୍ଥନ ଦେଇଥିବାରୁ କୃତଜ୍ଞତା
– ନୂଆ କରି ଗଢାଯାଇଥିବା ମତ୍ସ୍ୟ, ପଶୁପାଳନ ଏବଂ ଏମଏସଏମଇ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଓଡିଆ ପୁଅ ପ୍ରତାପ ଷଡଙ୍ଗୀଙ୍କୁ ଦେଇଥିବାରୁ ଓଡିଶା ତରଫରୁ ମୋଦି ଓ ଅମିତ ଶାହଙ୍କୁ ସାଧୁବାଦ
– ଶ୍ରୀ ଷଡଙ୍ଗୀଙ୍କ ନେତୃତ୍ୱରେ ଓଡିଶା ରାଜ୍ୟର ଗ୍ରାମୀଣ ଅର୍ଥନୀତି ବୃଦ୍ଧି ହେବା ସହ ଚାଷ, ମତ୍ସ୍ୟଚାଷ, ଉଦ୍ୟାନ କୃଷି ତଥା ଛୋଟ ବ୍ୟବସାୟରେ ଓଡିଆ ଯୁବକମାନେ ଲାଭ ପାଇବେ ବୋଲି ଆଶା
– ସମୀକ୍ଷା ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ପୁରୀ ଓ ବ୍ରହ୍ମଗିରିର ନବନିର୍ବାଚିତ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ

ପୁରୀ, ଜୁନ ୦୮ (ଓଡ଼ିଆ ପୁଅ) – ଭାରତ ପୃଥିବୀର ଦ୍ୱିତୀୟ ଇସ୍ପାତ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଓଡିଶା ଦେଶର ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ। ବିଶ୍ୱର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଓଡିଶା ପ୍ରମୁଖ ଭୂମିକା ନେଇପାରିବ। ଏଥିପାଇଁ ନିଷ୍ଠାର ସହିତ କାମ କରିବା ସହ ଓଡିଶା ବିଶେଷ ଭାବରେ ରାଜ୍ୟର ଯୁବପିଢୀଙ୍କୁ ଏହି ସମ୍ଭାବନାର ସୁଯୋଗ ପହଁଚାଇବା, ଇସ୍ପାତ କ୍ଷେତ୍ରର ଆନ୍ସିଲାରୀ ଇଣ୍ଡଷ୍ଟ୍ରିର ବଡ ହବ୍ ଭାବେ ଓଡିଶାକୁ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାର ସହ ମିଶି ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ପେଟ୍ରୋଲିୟମ ସହ ନୂଆ କରି ଦେଶର ଇସ୍ପାତ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଫୋନି ପ୍ରଭାବିତ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଗୁଡିକର ପୁନରୁଦ୍ଧାର କରାଯିବା ସହ ପୁରୀରେ ନଡିଆ କତା ଶିଳ୍ପକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରଥମ ଥର କରି ସ୍ଥାନ ପାଇଥିବା ଏମଏସଏମଇ, ପ୍ରାଣୀସମ୍ପଦ, ଦୁଗ୍ଧ ଓ ମତ୍ସ୍ୟଚାଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ।

ମୋଦିଙ୍କ ଦ୍ୱିତୀୟ ମନ୍ତ୍ରୀମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ମନ୍ତ୍ରୀ ହେବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପରେ ପୁରୀ ସର୍କିଟ ହାଉସରେ ଫନୀ ପରବର୍ତ୍ତୀ ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପୁନରୁଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ, ହୋଟେଲ ଶିଳ୍ପ, ବ୍ୟାଙ୍କର୍ସ ଏବଂ ରାଇସ ମିଲର ସଂଘ ମାନଙ୍କ ସହିତ ଆଲୋଚନା ପରେ ପରେ ଏହା ଗଣମାଧ୍ୟମକୁ କହିଛନ୍ତି ଦୁଇ ନୂତନ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ବାତ୍ୟା ଫୋନି କ୍ଷତିର ଭରଣା ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ପୁରୀର ହୋଟେଲ ଶିଳ୍ପ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ କିପରି କମ୍ ସୁଧରେ ଋଣ ଦିଆଯିବ, ସେ ନେଇ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏହାର ବ୍ୟବସ୍ଥା କରାଯିବ। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହେବା ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପୁରୀର ସାଧାରଣ ଲୋକଙ୍କ ଇଚ୍ଛାଶକ୍ତି ବଳରେ ମହାପ୍ରଭୁଙ୍କ ଅଂଚଳ ପୁରୀରେ ଧୀରେ ଧୀରେ ସ୍ୱଭାବିକ ଅବସ୍ଥା ପରିଲିକ୍ଷିତ ହେଉଛି। ପୁରୀ ବଡ ଦେଉଳ ଓ କୋଣାର୍କ ମନ୍ଦିର ମରାମତି ପାଇଁ ପୂର୍ବରୁ ପେଟ୍ରୋଲିୟମ ବିଭାଗ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ପୁରୀ ସମୁଦ୍ର ବେଳାଭମିରେ କ୍ଷତିଗ୍ରସ୍ତ ହୋଇଥିବା ଷ୍ଟିଟ ଲାଇଟକୁ ପୁନରୁଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁ ସହଯୋଗ ଯୋଗାଇ ଦିଆଯିବ। ମହାପ୍ରଭୁଙ୍କ ଭୂମି ପୁରୀର ଚମକ ଫେରାଇ ଆଣିବା ନେଇ ସବୁ କାମ କରାଯିବ ବୋଲି ସେ କହିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଦେଶରେ ଦ୍ୱିତୀୟ ଥର ପାଇଁ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ଲୋକକଲ୍ୟାଣକାରୀ ସରକାର ପୁନଃଗଠିତ ହୋଇପାରିଛି। ଏହି ଅଭୁତପୂର୍ବ ଜନ ଆଶୀର୍ବାଦ ପାଇଁ ମହାପ୍ରଭୁ ଜଗନ୍ନାଥ ତଥା ସାରା ଭାରତର ସାଧାରଣ ଲୋକ ବିଶେଷତଃ ଓଡିଶାର ଜନସାଧାରଣଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ପ୍ରଧାନ। ଦେଶର ଗରିବ ଲୋକମାନଙ୍କ ଆଶୀର୍ବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରହିଛି। ମୋଦିଙ୍କ ସରକାରରେ ସମସ୍ତେ ମନପ୍ରାଣ ଦେଇ ଦେଶର ଆକାଂକ୍ଷାକୁ ପୂରଣ କରିବା କାମରେ ଲାଗିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଚଳିତ ଥର ମଧ୍ୟ କେନ୍ଦ୍ର ସରକାରରେ ୨ ଜଣ ଓଡିଆଙ୍କୁ ଦାୟିତ୍ୱ ଦେଇଥିବାରୁ ବିଶେଷ କରି ଦଳର ନେତା ପ୍ରତାପ ଷଡଙ୍ଗୀଙ୍କୁ ନୂଆ କରି ଗଢାଯାଇଥିବା ମତ୍ସ୍ୟ, ପଶୁପାଳନ ସହ ଏମଏସଏମଇ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବାରୁ ଓଡିଶା ତରଫରୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ନିକଟରେ ଗଭୀର କୃତଜ୍ଞତା ଜ୍ଞାପନ କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶ୍ରୀ ଷଡଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟର ଗ୍ରାମୀଣ ଅର୍ଥନୀତି ବିକାଶ ହେବା ସହ ଚାଷ, ମତ୍ସ୍ୟଚାଷ, ଉଦ୍ୟାନ କୃଷି ତଥା ଛୋଟ ବ୍ୟବସାୟରେ ଓଡିଆ ଯୁବକମାନେ ଲାଭ ପାଇବେ। ଉଲ୍ଲେଖନୀୟ ଯେ, ପୁରୀର ପର୍ଯ୍ୟଟନ ଶିଳ୍ପର ବିକାଶ ଓ ପୁନରୁଦ୍ଧାର ପାଇଁ ପୁରୀ ସର୍କିଟ ହାଉସରେ ବସିଥିବା ସମୀକ୍ଷା ବୈଠକରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସମେତ ପୁରୀ ଓ ବ୍ରହ୍ମଗିରି ନବନିର୍ବାଚିତ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ।