Odiapua.com

ଫଟୋଯୁକ୍ତ ହେଉ ରଥ କଡ଼ନ ପାସ୍‌

ପୁରୀ, ୩ା୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ରଥକଡ଼ନ ପାସ୍‌ରେ ଫଟୋ ସଂଯୋଗ କରିବା ପାଇଁ ଦାବି କରାଯାଇଛି। ରଥ କଡ଼ନ ମଧ୍ୟକୁ ବହରାଗତ ତୀର୍ଥଯାତ୍ରୀ ଓ ବେଆଇନ୍ ଅନୁପ୍ରବେଶକାରୀଙ୍କୁ ରୋକିବା ଲାଗି ଜିଲ୍ଲାପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରୁ ଉପରୋକ୍ତ ଦାବି ହୋଇଛି। ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତିଯେ, ରଥଯାତ୍ରା ସମୟରେ ଅନେକ ଅନାମଧେୟ ବ୍ୟକ୍ତି କେତେକ ତଳିଆ ପ୍ରଶାସନିକ ଅଧିକାରୀଙ୍କୁ ଧରାଧରି କରି କଡ଼ନ୍ ପାସ୍ ହାତଉଛନ୍ତି। ପ୍ରତିବର୍ଷ ରଥଯାତ୍ରରେ ଏଭଳି ଅବ୍ୟବସ୍ଥା ନଜରକୁ ଆସେ। ତେବେ ଦୋଷ ଲୁଚାଇବାକୁ ଘଟଣାକୁ ଚାପି ଦିଆଯାଏ। ମହାମାରୀ କରୋନା ଜନତି ସଂକ୍ରମଣର ଭୟାବହତା ଯୋଗୁ ଗତ ଦୁଇବର୍ଷ ଧରି ଭକ୍ତଙ୍କ ବିନା ସମାଗମରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଚଳିତ ବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା କରାଯିବା ଲାଗି ପ୍ରସ୍ତାବ ରହିଛି। ଦୁଇ ବର୍ଷ ପରେ ଜଗନ୍ନାଥ ପ୍ରେମୀମାନେମାନେ ରଥାରୂଢ ଶ୍ରୀଜିଉଙ୍କୁ ଚର୍ମ ଚକ୍ଷୁରେ ଦର୍ଶନ କରିବାର ସୁଯୋଗ ପାଇବେ। ତେଣୁ ଚଳିତ ବର୍ଷ ରଥଯାତ୍ରାରେ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛି। କେତେକ ସେବାୟତ ଅନ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ପାସ୍‌କୁ ହତେଇ ଯାତ୍ରୀମାନଙ୍କୁ ରଥ ନିକଟକୁ ନେଇ ସେମାନଙ୍କ ଠାରୁ ମୋଟା ଅଙ୍କରେ ଅର୍ଥ ଆଦାୟ କରିବା ଏକ ଅଭ୍ୟାସରେ ପରିଣତ ହୋଇଗଲାଗି। ଏପରକି ଗତ ବର୍ଷ ଭକ୍ତଙ୍କ ବିନା ସମାଗମରେ ରଥଯାତ୍ରା ଚାଲିଥିବାବେଳେ କଡ଼ନ ମଧ୍ୟରୁ ବହରାଗତ ଯାତ୍ରୀ ଧରା ପଡ଼ିଥିଲେ। ଖୋଦ୍ ଏସ୍‌ପିଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ସେଠାରୁ ବାହାର କରାଯାଇଥିଲା। ପାସ୍ ଧାରୀଙ୍କୁ ଫଟୋଯୁକ୍ତ ପ୍ରବେଶ ଅନୁମତି ପତ୍ର ଦିଆଗଲେ ରଥ କଡ଼ନ ମଧ୍ୟରେ ବେଆଇନ୍ ଅନୁପ୍ରବେଶକାରୀ ପ୍ରବେଶ କରିବାର ସୁଯୋଗ ପାଆନ୍ତେ ନାହିଁ ବୋଲି ସେମାନେ ଦାବି କରିଛନ୍ତି।