Odiapua.com

ପ୍ଲାଜ୍‌ମା ଚିକିତ୍ସାରେ ଉତ୍ସାହ ଜନକ ସଫଳତା – ସୁସ୍ଥ ହୋଇ ଫେରିଲେ କଟକର ୪୮ ବର୍ଷୀୟ ମହିଳା, ପ୍ଲାଜ୍‌ମା ଦାନକୁ ଉତ୍ସାହିତ କରିବାକୁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୪-୭ (ଓଡ଼ିଆ ପୁଅ) କୋଭିଡ୍ ରୋଗର ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ଆମ ରାଜ୍ୟରେ ଉତ୍ସାହ ଜନକ ସଫଳତା ଆଣିଛି। ଆନନ୍ଦର କଥା ଏହି ଚିକିତ୍ସା ପଦ୍ଧତି ଦ୍ବାରା କଟକର ଜଣେ ୪୮ ବର୍ଷୀୟ ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଆଶା ସଞ୍ଚାର କରିଛି ପ୍ରାଜ୍ମା ଥେରାପି। ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିଛି।

ଗତ ସପ୍ତାହରୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜ୍‌ମା ଥେରାପି। କଟକରେ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ‘ମୋ ପାଇଁ ପ୍ରତିଟି ଲୋକର ଜୀବନ ମୂଲ୍ୟବାନ। ଓଡ଼ିଶାବାସୀଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବା ମୋର ଲକ୍ଷ୍ୟ।’ ପ୍ଲାଜ୍‌ମା ଥେରାପି ଏ ଦିଗରେ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଦେଶରେ ପ୍ଲାଜ୍‌ମା ଥେରାପି ଚିକିତ୍ସା ସୁବିଧା ମିଳୁଥିବା ଅଳ୍ପ କେତୋଟି ରାଜ୍ୟ ମଧ୍ୟରେ ଓଡିଶା ଅନ୍ୟତମ। କଟକର SCB ଓ ରାଉରକେଲାର IGH ରେ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ହେବା ସହ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରରେ ଆରମ୍ଭ ହୋଇଛି ପ୍ଲାଜ୍‌ମା ଥେରାପି। ଭୁବନେଶ୍ବର ଓ ବ୍ରହ୍ମପୁରରେ ମଧ୍ୟ ପ୍ଲାଜ୍ମା ବ୍ୟାଙ୍କ କରାଯିବା ପାଇଁ ସ୍ଥିର କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ କୋଭିଡ୍ରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିମାନେ ପ୍ଲାଜ୍ମା ଦାନ ପାଇଁ ଆଗେଇ ଆସୁଥିବା ଆନନ୍ଦର କଥା। ଜଣେ କୋଭିଡ୍ରୁ ସୁସ୍ଥ ହେବାର ଚାରି ସପ୍ତାହ ପରେ ପ୍ଲାଜ୍ମା ଦାନ କରିପାରିବେ। ଜଣେ ବ୍ୟକ୍ତି ଚାହିଁଲେ ଏକାଧିକବାର (ପ୍ରତି ଦୁଇ ସପ୍ତାହରେ ଥରେ) ପ୍ଲାଜ୍‌ମା ଦେଇପାରିବେ। ଗୋଟିଏ ୟୁନିଟ୍ ପ୍ଲାଜ୍ମା ଦ୍ୱାରା ଦୁଇ ଜଣଙ୍କ ଚିକିତ୍ସା କରାଯାଇପାରିବ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଆଜି ଦିନକ ମଧ୍ୟରେ ୮୦୮ ଜଣ ରୋଗୀ କୋଭିରୁ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ୧୫୨୦୦ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ପ୍ଲାଜ୍‌ମା ଥେରାପିର ମହତ୍ଵପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ପ୍ଲାଜ୍‌ମା ଦାନକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ବ ଦେଇଛନ୍ତି। ମନ୍ତ୍ରୀମାନେ ସେମାନଙ୍କୁ ଦାୟିତ୍ବ ଦିଆଯାଇଥିବା ଜିଲ୍ଲା ଗସ୍ତ କରି ଆରୋଗ୍ୟ ଲାଭ କରିଥିବା କୋଭିଡ୍ ରୋଗୀମାନଙ୍କ ସହିତ ଯୋଗାଯୋଗ ରଖି ସେମାନଙ୍କୁ ପ୍ଲାଜ୍‌ମା ଦାନ ପାଇଁ ଉତ୍ସାହିତ କରିବେ ଏବଂ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରିବେ। ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ଲାଜ୍‌ମା ଦାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀଙ୍କୁ ପୁରୀ ଜିଲ୍ଲାର ଦାୟିତ୍ବ ଦିଆଯାଇଥିବା ବେଳେ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମର ଦାୟିତ୍ବ ଦିଆଯାଇଛି। ସେହିପରି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବରଗଡ, ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଭଦ୍ରକ ଓ କେନ୍ଦ୍ରାପଡା, ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡା ଓ ବୌଦ୍ଧ, ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କୁ ମୟୁରଭଞ୍ଜ ଓ କଟକ, ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କୁ ନୟାଗଡ ଓ ଖୋର୍ଦ୍ଧା, ମନ୍ତ୍ରୀ ଶ୍ରୀ ସୁଦାମ ମରାଣ୍ଡୀଙ୍କୁ ସୋନପୁର, ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂଙ୍କୁ ବଲଙ୍ଗୀର ଓ ସମ୍ବଲପୁର, ମନ୍ତ୍ରୀ ଶ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଓ ନୂଆପଡା, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ଦେବଗଡ ଓ ସୁନ୍ଦରଗଡ, ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କୁ ଗଜପତି ଓ କୋରାପୁଟ, ମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଢେଙ୍କାନାଳ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ବର, ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକଙ୍କୁ କେଉଁଝର, ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର ଓ ଜଗତସିଂପୁର, ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କୁ ରାୟଗଡା ଓ ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରାଙ୍କୁ ମାଲକାନଗିରିର ଦାୟିତ୍ବ ଦିଆଯାଇଛି।