Odiapua.com

ପ୍ଲାଜମା ଦାନରେ ଓଡିଶା ପୋଲିସର ୧୦୦୦ ସଂଖ୍ୟା ଅତିକ୍ରମ କଲା

ଓଡିଶା ପୋଲିସର ୧୦୦୦ ରୁ ଉର୍ଦ୍ଧ୍ୱ କରୋନା ଯୋଦ୍ଧା କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରି ଏକ ଇତିହାସ ସୃଷ୍ଟି କରିଛନ୍ତି । ଓଡିଶା ପୋଲିସ ପାଇଁ ଏହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ। ରାଜ୍ୟ ପୋଲିସର ଜନସେବା କ୍ଷେତ୍ରରେ ନିଃସ୍ୱାର୍ଥପରତା, ଆନ୍ତରିକତା ଓ ସମର୍ପଣ ଭାବର ଏହା ଆଉ ଏକ ନମୁନା । ଏହି ପ୍ଲାଜମା ଦାନ ଅନେକ ଗୁରୁତର କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଓଡିଶା ପୋଲିସର ଏହି ପ୍ଲାଜମା ଦାନର ଯାତ୍ରା ପ୍ରଥମେ ତା ୨୪.୦୭.୨୦୨୦ ରେ ଆରମ୍ଭ ହୋଇଥିଲା ଯେଉଁଦିନ ଓ.ଏସ୍‌.ଏ.ପି ତୃତୀୟ ବାଟାଲିୟନ, କୋରାପୁଟର ଦୁଇଜଣ ଯବାନ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ବପ୍ରଥମେ ପ୍ଲାଜମା ଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଆହ୍ୱାନ କ୍ରମେ ଇତି ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା, ବାଟାଲିୟନ ଓ ପୋଲିସ ପ୍ରତିଷ୍ଠାନରୁ ୧୦୦୦ ରୁ ଉର୍ଦ୍ଧ୍ୱ ଯବାନ କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କରିଛନ୍ତି ।
ଏ ବାବଦରେ ଏକ ଗ୍ରାଫ ନିମ୍ନରେ ପ୍ରଦାନ କରାଯାଇଛି
ଖୁସିର କଥାଯେ ଓଡିଶା ପୋଲିସର ନିଃସ୍ୱାର୍ଥପର ଯବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ଲାଜ୍‌ମା ସାରା ରାଜ୍ୟର ପ୍ଲାଜମା ସଂଗ୍ରହର ୪୬ ପ୍ରତିଶତ ଅଟେ । ସମସ୍ତ ରାଜ୍ୟରେ ୨୧୬୬ ଜଣ ପ୍ଲାଜ୍‌ମା ପ୍ରଦାନ କରିଥିବା ବେଳେ ସେଥିମଧ୍ୟରୁ କେବଳ ଓଡିଶା ପୋଲିସର ୧୦୦୨ ଜଣ ଅଛନ୍ତି । ଯବାନ ମାନଙ୍କ ଏହି ମହତ କାର୍ଯ୍ୟପାଇଁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସମସ୍ତଙ୍କୁ ପ୍ରଶଂସା କରିଛନ୍ତି । ଆଜି ସେହି ସାହାସୀ ଓ ନିଃସ୍ୱାର୍ଥପର ଯବାନ ମାନଙ୍କୁ ସେମାନଙ୍କ ନିଃସ୍ୱାର୍ଥପର ସେବାର ପ୍ରମାଣ ସ୍ୱରୂପ ଏକ ପ୍ରଶଂସା ସ୍ମାରକୀ ପ୍ରଦାନ କରାଯାଇଛି ।

ଆଜି ମଧ୍ୟ ଏହି ଅବସରରେ ଓଡିଶା ପୋଲିସ ତାର ୪୮ ଜଣ ବୀର ଯବାନଙ୍କୁ ମନେ ପକାଉଛି ଯେଉଁମାନେ କୋଭିଡର ଲମ୍ବା ଯୁଦ୍ଧରେ ସାମିଲ ହୋଇ ପ୍ରାଣବଳୀ ଦେଇଛନ୍ତି । ଓଡିଶା ପୋଲିସ ଏହି ଯୋଦ୍ଧାମାନଙ୍କ ତ୍ୟାଗ ପାଇଁ ଖୁବ୍ ଗର୍ବୀତ ।

ପ୍ଲାଜମା ଦାନ କରିଥିବା ଏହି ୧୦୦୦ ଯବାନ ନିଶ୍ଚିତ ଧନ୍ୟବାଦର ପାତ୍ର । ସେମାନଙ୍କ ଏହି ନିଃସ୍ୱାର୍ଥପର ସେବା ଅନ୍ୟ ଯବାନ ଓ କର୍ମଚାରୀଙ୍କୁ ରାଜ୍ୟବାସୀଙ୍କୁ ସମର୍ପୀତ ସେବା ପ୍ରଦାନ ଦିଗରେ ଅଧିକ ପ୍ରେରଣା ଓ ଉତ୍ସାହ ପ୍ରଦାନ କରିବ ।