Odiapua.com

ପ୍ରେମ ବିବାହ ପରେ ଖାପ ପଞ୍ଚାୟତର ନିଷ୍ପତ୍ତି : ସ୍ତ୍ରୀକୁ ନ ପାଇ ସ୍ୱାମୀ କଲା ଆତ୍ମହତ୍ୟା

ମାଲକାନଗିରି, ୨୩/୫ (ଓଡ଼ିଆ ପୁଅ) ପ୍ରେମ ଏହି ଅଢେଇ ଅକ୍ଷର ପାଇଁ କିଏ ପାଗଳ ହେଉଛି ତ ଆଉକିଏ ଘର ଛାଡ଼ି ପଳଉଛି, ଆଉ କିଏ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟାକୁ ଆଦରି ନେଉଛି। ଏମିତି ଏକ ପ୍ରେମ ବିବିହାହ ପରେ ଖାପ ପଞ୍ଚାୟତର ନିଷ୍ପତ୍ତିର କରୁଣ ପରିଣତି ଘଟିଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ।

ଭିନ୍ନ ଭିନ୍ନ ଜାତି ହୋଇଥିବାରୁ ଗ୍ରାମର ବଡ଼ପଣ୍ଡାମାନେ ଖାପ ପଞ୍ଚାୟତରେ ନବଦମ୍ପତିଙ୍କୁ ବିଚ୍ଛେଦ କରିଦେଲେ। ଶେଷରେ ନବ ବିବାହିତା ସ୍ତ୍ରୀ କୁ ନ ପାଇ ସ୍ୱାମୀ ନିଜର ମାନସିକ ଭାରସାମ୍ୟ ହରାଇ ବିଷପିଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।

ଅନ୍ୟ ଜାତିର ଝିଅକୁ ବାହା ହେବାରୁ ପୁଅ ଠାରୁ ଝିଅକୁ ଛଡାଇ ନେଲେ ଝିଅ ବାପଘର ଲୋକେ। ଶେଷରେ ଫଳ ଏମିତି ହେଲା ଯେ, ମାନସିକ ଭାରସାମ୍ୟ ହରାଇ କିଟନାସକ ପିଇ ଆତ୍ମହତ୍ୟା କଲେ ଯୁବକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଥାନା ସ୍ଥ ଏମ.ଭି. ୯ ଗ୍ରାମରେ। ଏମ.ଭି.୯ ଗ୍ରାମର ସୁଜିତ ହାଲଦାର ନାମକ ଜଣେ ବଙ୍ଗୀୟ ଯୁବକ ପଡୋଶି ବୈଲାପାରି ଗ୍ରାମର ଜଣେ ଆଦିବାସୀ ଯୁବତୀ ଗାୟତ୍ରୀ ପଡିଆମିଙ୍କୁ ଭଲ ପାଉଥିଲେ। ଉଭୟଙ୍କ ବିବାହ ବୟସ ହୋଇଥିବାରୁ ଘରୁ ବାହାରି ଯାଇ କୋର୍ଟ ମେରେଜ ମଧ୍ୟ କରିଥିଲେ ଦୁହେଁ। ହେଲେ ସାତ ଜନ୍ମ କ’ଣ ସାତ ଦିନ ପର୍ଯ୍ୟନ୍ତ ଏକାଠି ରହି ପାରିଲେ ନାହିଁ ଦୁହେଁ। ପ୍ରେମ ଜାତି ଧର୍ମ କିଛି ମାନେ ନାହିଁ। ପ୍ରେମ ପ୍ରବିତ୍ର, ପ୍ରେମ ଅମର। ହେଲେ ଏଥିରେ ଯେତେ ବେଳେ ବାଧା ପଡ଼ିଯାଏ ସେତେ ବେଳେ ପ୍ରେମ ମରିଯାଏ। ବୈଲାପାରି ଗ୍ରାମର ଆଦିବାସୀ ଯୁବତୀ ଗାୟତ୍ରୀ ପଡିଆମିଙ୍କୁ ଭଲପାଇ ବସିଥିଲା ସୁଜିତ। କେବଳ ଭଲ ପାଇନଥିଲା ହାତ ଧରି ସାତ ଜନମ ଏକା ସାଙ୍ଗରେ ରହିବାର କଥା ମଧ୍ୟ ଦେଇଥିଲା। ଉଭୟ ପୁଅ ଓ ଝିଅ ଘର ଲୋକେ ଏଥିରେ ରାଜି ନଥିବାରୁ ଦୁହେଁ ଘରୁ ବାହାରି ଯାଇ କୋର୍ଟ ମେରେଜ କରିଥିଲେ। ପରେ ଜଣେ ସଂପର୍କୀୟଙ୍କ ଘରେ ଆସି ଦୁହିଙ୍କ ବଙ୍ଗୀୟ ରୀତିରେ ବାହା ଘର ମଧ୍ୟ ହୋଇଥିଲା। ବୋହୂକୁ ସାଥିରେ ନେଇ ପୁଅ ନିଜ ଘରକୁ ଫେରିଥିଲା। ହେଲେ ଏହାର ଦିନକ ପରେ ଝିଅ ଘର ଲୋକେ ଏମଭି ୯ ଗାଁକୁ ଯାଇ ଝିଅର ମା ଦେହ ଖରାପ ଅଛି ସେ ଦେଖି ପୁଣି ଶାଶୂଘରକୁ ଫେରି ଆସିବ କହି ଝିଅକୁ ପୁଣି ଥରେ ବାପ ଘରକୁ ଫେରାଇ ନେଇଥିଲେ। ବାଇଲାପାରୀ ଗ୍ରାମରେ ସଭା ବସିଥିଲା, ଖାପ ପଞ୍ଚାୟତ ରେ ଗାଁ ମୁଖିଆ ଓ ଉଭୟ ପୁଅ ଝିଅ ଘର ଲୋକଙ୍କୁ ଡ଼କାଯାଇଛି ନିଶାପ ହେଲା, ଝିଅ ଆଦିବାସୀ ଓ ପୁଅ ବଙ୍ଗାଳି ସମ୍ପ୍ରଦାୟର ହୋଇଥିବାରୁ ଏହି ବାହାଘରକୁ ସ୍ୱୀକାର କରି ନଥିଲେ ଝିଅ ଘର। ଝିଅକୁ ମଧ୍ୟ ତା ଶାଶୂଘରକୁ ଛାଡ଼ିନଥିଲେ।

ମାଆ ସହିତ ଦେଖା ହେବା ପରେ ଝିଅକୁ ଫେରାଇ ଦେବା କଥା କହି ଝିଅକୁ ଆଉ ନଦେବାରୁ ମାନସିକ ଭାରସାମ୍ୟ ହରାଇ ଗତ ତିନି ଦିନ ତଳେ କିଟନାସକ ପିଇ ଥିଲେ ସୁଜିତ। ତାକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ପରିବାର ଲୋକେ ଚିକିତ୍ସା ପାଇଁ ନେଇ ଯାଇ ଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋରୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ହୋଇଛି। ସୁଜିତର ମୃତ୍ୟୁ ପାଇଁ ପୁଅ ଘର ଲୋକେ ଝିଅ ଘରକୁ ଦାୟୀ କରିଛନ୍ତି। କାରଣ ଉଭୟ ଝିଅ ଓ ପୁଅ ପରଷ୍ପରକୁ ଭଲ ପାଉଥିବା ବେଳେ ସେମାନଙ୍କ ବାହାଘର ବୟସ ମଧ୍ୟ ହୋଇଥିଲା। ପୁଣି ସେମାନେ ନିଜ ଇଚ୍ଛାରେ କୋର୍ଟ ମେରେଜ ମଧ୍ୟ କରିଥିଲେ। ହେଲେ ଜଣେ ଆଦିବାସି ଝିଅକୁ ଅନ୍ୟ ଜଣେ ବଙ୍ଗୀୟ ଯୁବକ ବାହା ହେବା ଘଟଣାକୁ କିନ୍ତୁ ସହଜରେ ଗ୍ରହଣ କରି ପାରିନଥିଲେ ଗାଁ ଲୋକେ। ପଞ୍ଚାୟତରେ ସଭା ଡାକି ଖାପ ପଞ୍ଚାୟତ ରେ ବାହାର ଗାଁର କିଛି ଆଦିବାସୀ ନେତାଏ ସଂପୃକ୍ତ ଯୁବତୀଙ୍କୁ ଭରା ସଭାରେ ଅପମାନିତ କରିବା ପରେ ଯୁବତି ଜଣକ ଆଉ ଏମ.ଭି.୯ ଗ୍ରାମର ସୁଜିତ ହାଲଦାରଙ୍କ ପାଖକୁ ଯିବେ ନାହି ବୋଲି କହିଥିଲେ। ଏହି ଖବର ପାଇ ସୁଜିତ ଭାଙ୍ଗି ପଡିଥିବା ବେଳେ ଶେଷରେ କିଟନାସକ ପିଇ ଆତ୍ମହତ୍ୟା କରିଛନ୍ତି। ହେଲେ ଏହି ଆତ୍ମ ହତ୍ୟା ପାଇଁ ଝିଅ ଘର ଲୋକଙ୍କୁ ଦାୟୀ କରି ସୁଜିତ ଙ୍କ ପରିବାର ମାଲକାନଗିରି ଥାନାରେ ଏକ ଏତଲା ଦେଇଥିବାର ଜଣା ପଡ଼ିଛି। ପୁଲିସ ପକ୍ଷରୁ ମୃତ ଶରୀର ଜବତ କରି ଶବ ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଏପରି ଘଟଣା ଲାଗି ସିଧା ସଳଖ ଖାପ୍ ପଞ୍ଚାୟତକୁ ଦାୟୀ କରିଛନ୍ତି ବୁଦ୍ଧିଜୀବି। ପୁଅ ଝିଅ ଭିନ୍ନ ଜାତିର ଇଣ୍ଟର କାଷ୍ଟ ମାରେଜ ପାଇଁ ବାହା ଘର ପରେ ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଅଢେଇ ଲକ୍ଷ ଟଙ୍କାର ଅନୁଦାନ ଦିଆଯିବାର ବ୍ୟବସ୍ଥା ରହିଛି। ହେଲେ ଆମ ସମାଜ କାହିଁକି ଏପରି ବାହା ଘରକୁ ମାନ୍ୟତା ଦେବାରେ ପଛ ଘୁଞ୍ଚା ଦେଉଛନ୍ତି। ତାହା ଜନ ସଚେତନତା ଅଭାବରୁ ନାଁ କୁସଂସ୍କାର ଅନ୍ଧବିଶ୍ୱାସ ଯୋଗୁଁ?