Odiapua.com

ପ୍ରେମ, ପ୍ରତାରଣା ଓ ବିବାହ

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସ୍ଥାନୀୟ କଚେରୀ ବଜାରସ୍ଥିତ ଲୋକନାଥ ମନ୍ଦିର ଠାରେ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଆସିଆନା ସ୍ୱଧାର ଗୃହର ଅନ୍ତେବାସୀ ଲିଲି ମହନ୍ତଙ୍କ ବିବାହ ନିଜ ପ୍ରେମିକ ଜଗବନ୍ଧୁ ଜେନାଙ୍କ ସହ ସମ୍ପନ୍ନ ହୋଇଛି। ସମ୍ପାଦିକା ସୋଫିଆ ଶେଖ, ଇନରହୁଇଲ କ୍ଳବର ସଭାନେତ୍ରୀ ସ୍ନେହଲତା ବେହେରା, ପ୍ରାଧ୍ୟାପିକା ଡ. ପ୍ରଭାତ ନଳିନୀ ମହାପାତ୍ର, ଆସିଆନାର ପରାମର୍ଶଦାତ୍ରୀ ଅନିମା ପଣ୍ଡା ଓ ସଂଯୋଜକ ରିୟାଜ ଅହମଦ ଏହି ଅବସରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରକାଶଥାଉକି ଲିଲି ନାବାଳିକା ଥିବା ସମୟରେ ବନ୍ତ ବ୍ଳକ ପଧାନପଡ଼ା ଗ୍ରାମର ରମା ଜେନାଙ୍କ ପୁତ୍ର ଜଗବନ୍ଧୁଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏହାର ସୁଯୋଗରେ ଜଗବନ୍ଧୁ ତା’ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲା। କିନ୍ତୁ ଲିଲି ଗର୍ଭବତୀ ହେବା ପରେ ଜଗବନ୍ଧୁ ଏ ପିଲା ତା’ର ନୁହେଁ କହି ସମ୍ପର୍କ ଛିନ୍ନ କରିଥିଲା। ଲିଲି କୌଣସି ଉପାୟ ନପାଇ ନିଜ ବାପା ମା’ଙ୍କୁ ଜଣାଇବା ପରେ, ପରିବାର ପକ୍ଷରୁ ବନ୍ତ ଥାନାରେ ଏତଲା ଦେଇଥିଲେ। ପୁଲିସ ଏହି ମାମଲାରେ ଲିଲିକୁ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରିବା ପରେ କମିଟିର ନିର୍ଦ୍ଦେଶକ୍ରମେ ଆସିଆନା ମୁକ୍ତାଶ୍ରୟ କେନ୍ଦ୍ରରେ ରଖିଥିଲେ। ଆସିଆନା ପକ୍ଷରୁ ଲିଲିର ସମସ୍ତ ଚିକିତ୍ସା କରାଯିବା ସହ ଗତ ବର୍ଷ ମାର୍ଚ୍ଚ ମାସ ୪ ତାରିଖ ଏକ ଶିଶୁପୁତ୍ର ଭଦ୍ରକ ଡାକ୍ତରଖାନାରେ ଜନ୍ମ ଦେଇଥିଲା। ଲିଲି ସାବାଳିକା ହେବା ପରେ, ତାଙ୍କୁ ଗତବର୍ଷ ୨୯ ଏପ୍ରିଲରେ ଆସିଆନା ସ୍ୱଧାର ଗୃହକୁ ସ୍ଥାନାନ୍ତର କରାଯାଇଥିଲା। ଆସିଆନା ସଂପାଦିକାଙ୍କ ନିର୍ଦ୍ଦେଶକ୍ରମେ ଲିଲିକୁ କାଉନସେଲିଂ କରି ସେ ଜଗବନ୍ଧୁ ସହ ସଂସାର କରିବାରକୁ ଚାହୁଁଛି ବୋଲି ଜାଣିବାକୁ ପାଇଥିଲେ। ପରେ ସେ ଉଭୟ ପରିବାରଙ୍କ ସହ ଯୋଗସୂତ୍ର ସ୍ଥାପନ କରି ଆସିଆନା ମାଧ୍ୟମରେ ବିବାହ ସ୍ଥିର ହୋଇଥିଲା। ସେହି ଅନୁଯାୟୀ ଆଜି ଲୋକନାଥ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଥିବାବେଳେ, ଲିଲିର ବାପା ଶତୃଘ୍ନ ମହନ୍ତ, ଜଗବନ୍ଧୁର ବାପା ରମାଙ୍କ ସମେତ ବହୁ ମୁରବୀ ଉପସ୍ଥିତ ଥିଲେ।