Odiapua.com

ପ୍ରେମ ଜନିତ ଘଟଣାକୁ ନେଇ ଯୁବକକୁ ହତ୍ୟା- ଅଭିଯୁକ୍ତ ଗିରଫ

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଳକ ଅନ୍ତର୍ଗତ ଧୂଷୁରୀ ଥାନାର ପାଳସାହି ପଂଚାୟତର ପ୍ରେମ ଜନିତ ଘଟଣାକୁ ନେଇ ଆଜି ଏକ ଅଭାବନିୟ ଘଟଣା ଘଟିଛି। ଉକ୍ତ ପଂଚାୟତର ଶାଆଁଳପୁର ଗ୍ରାମର ଭାଗିରଥୀ ଜେନାଙ୍କ ପୁଅ ନନ୍ଦକିଶୋର ଜେନା (୩୦) ପାଳସାହି ଗ୍ରାମର ସନ୍ତୋଷ ପ୍ରଧାନଙ୍କ ପୁଅ ଦେବାଶିଷ ପ୍ରଧାନଙ୍କୁ ଭୁଜାଲିମାରି ହତ୍ୟା କରିଛି। ଘଟଣାରୁ ପ୍ରକାଶ ଯେ ଆଜି ସନ୍ଧ୍ୟାରେ ଦେବାଶିଷ ପାଳସାହି ଛକ ନିକଟରେ ଚାଲି ଚାଲି ଆସୁଥିବାବେଳେ ପ୍ରତିଶୋଧ ପରାୟଣ ହୋଇ ନନ୍ଦକିଶୋର ଦେବାଶିଷକୁ ଭୁଜାଲିରେ ବାରମ୍ବାର ଆଘାତ କରିବା ଦ୍ୱାରା ଘଟଣା ସ୍ଥଳରେ ଦେବାଶିଷ ଟଳିପଡ଼ିଥିଲା। ସଂଗେ ସଂଗେ ସ୍ଥାନୀୟ ଲୋକମାନେ ଦେବାଶିଷକୁ ଭଦ୍ରକ ଡ଼ାକ୍ତରଖାନା ନେଇଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା। ଘଟଣାରୁ ପ୍ରକାଶ ଯେ ନନ୍ଦକିଶୋର ଜେନା ଦେବାଶିଷ ପ୍ରଧାନଙ୍କ ନାବାଳିକା ଭଉଣୀକୁ ୨୦୨୧ ମସିହାରେ ଏକତରଫା ପ୍ରେମକରି ତାଙ୍କୁ ଅପହରଣ କରି ବାଙ୍ଗାଲୁରୁରେ ରଖିଥିଲେ। ଦେବାଶିଷଙ୍କ ମା’ ସୁଶିଳା ପ୍ରଧାନ ଧୂଷୁରୀ ଥାନାରେ ଅଭିଯୋଗ କରିବା ପରେ ଥାନା କେସ୍ ନଂ ୮୦/୨୧ରେ ଏକ ମାମଲା ରୁଜୁ କରି ପୋଲିସ ବାଙ୍ଗାଲୁରୁରୁ ଉଭୟ ପୁଅ ଝିଅଙ୍କୁ ଉଦ୍ଧାର କରିଥିଲେ ଏବଂ ଅଭିଯୁକ୍ତ ନନ୍ଦଙ୍କୁ ଗିରଫ କରିଥିବାବେଳେ ନାବାଳିକା ଝିଅକୁ ପୋଲିସ ତାଙ୍କ ମା’କୁ ଜିମା ଦେଇଥିଲେ। ତେବେ ସେବେଠାରୁ ନନ୍ଦକିଶୋର ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ଏବଂ ପୂର୍ବରାଗ ରଖି ଆଜି ଜୈନିକ ନାବାଳିକାର ଭାଇ ଦେବାଶିଷକୁ ହତ୍ୟା କରିଥିଲା। ତେବେ ଘଟଣାସ୍ଥଳରୁ ନନ୍ଦକିଶୋର ଫେରାର ହୋଇଯାଉଥିବାବେଳେ ଧୂଷୁରୀ ପୋଲିସ ଅଭିଯୁକ୍ତଙ୍କୁ ବେତାଳିଗାଁ ବଜାରରୁ ଗିରଫ କରିବାରେ ସକ୍ଷମ ହୋଇପାରିଛି।