ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ଦ୍ୱାରା ପ୍ରାୟୋଜିତ ସୋସାଇଟି ଫର ଉଇକର କମ୍ୟୁନିଟି ଦ୍ୱାରା ପରିଚାଳିତ ଆସିଆନା ସ୍ୱଧାର ଗୃହର ଅନ୍ତେବାସୀ ଶିବାନୀ ହେମ୍ରମ (୧୯ ବର୍ଷ)ଙ୍କ ପ୍ରେମିକ ଶଶୀକାନ୍ତ ମାହାଲିଙ୍କ ସହ ଭଦ୍ରକ କଚେରୀବଜାର ସ୍ଥିତ ଲୋକନାଥ ମନ୍ଦିରରେ ବିବାହ ସମ୍ପନ୍ନ ହୋଇ ଯାଇଛି । ପ୍ରକାଶ ଯେ ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ଝାଡସରା ଗ୍ରାମର ଶିବାନୀ ପାଠ ପଢୁଥିବା ବେଳେ ସେହି ଗ୍ରାମର ଶଶିକାନ୍ତଙ୍କୁ ଭଲ ପାଇଥିଲେ । ଉଭୟଙ୍କ ପରିବାର ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଶିବାନୀ ଗତ ୨୦୧୯ ଅଗଷ୍ଟ ୧୫ ତାରିଖରେ ଶଶିକାନ୍ତଙ୍କ ଘରକୁ ପଳାଇ ଯାଇଥିଲେ । ସେଠାରୁ ଉଭୟ ଭୁବନେଶ୍ୱର ପଳାଇ ଯାଇଥିଲେ । ଏହି ଘଟଣା ପରେ ଶିବାନୀଙ୍କ ଭାଇ ଶଶିକାନ୍ତ ବିରୁଦ୍ଧରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶିବାନୀଙ୍କୁ ଉଦ୍ଧାର କରି ଜିଲ୍ଲା ଶିଶୁ ମଙ୍ଗଳ କମିଟିର ନିର୍ଦ୍ଦେଶରେ ଆସିଆନା ମୁକ୍ତାଶ୍ରୟରେ ରଖିଥିଲା । ଗତ ଫେବୃଆରୀ ୨୭ ତାରିଖରେ ଶିବାନୀ ସାବାଳିକା ହେବା ପରେ ତାଙ୍କୁ ଆସିଆନା ସ୍ୱଧାର ଗୃହରେ ରଖାଯାଇଥିଲା । ଆସିଆନାର ସମ୍ପାଦିକା ସୋଫିଆ ଶେଖ୍ଙ୍କ ନିର୍ଦ୍ଦେଶ କ୍ରମେ ପରାମର୍ଶଦାତ୍ରୀ ଅନିମା ପଣ୍ଡା ଉଭୟ ପରିବାରବର୍ଗଙ୍କୁ ଡାକି କାଉନ୍ସେଲିଂ କରିଥିଲେ । କିନ୍ତୁ ଶିବାନୀଙ୍କୁ ବୋହୁ କରିନେବାକୁ ଶଶିକାନ୍ତଙ୍କ ପରିବାର ରାଜି ହୋଇ ନଥିଲେ । ମାତ୍ର ଶଶିକାନ୍ତଙ୍କ ଏକାନ୍ତ ଜିଦ୍ ପରେ ଉଭୟ ପରିବାର ରାଜି ହେବାରୁ ଓ ପ୍ରେମୀଯୁଗଳ ସାବାଳକ ହୋଇଥିବାରୁ ଉଭୟଙ୍କୁ ଆସିଆନା ପକ୍ଷରୁ ମନ୍ଦିରରେ ବିବାହ କରାଇ ଦିଆ ଯାଇଛି । ଏଥିରେ କନ୍ୟା ତରଫରୁ ଶିବାନୀଙ୍କ ମାଆ ମାଣିକା ହେମ୍ବ୍ରମ, ଭାଇ ରାଜୀବ ହେମ୍ବ୍ରମ, ଶଶିକାନ୍ତଙ୍କ ତରଫରୁ ତାଙ୍କ ସମ୍ପର୍କୀୟ ଭାଇ ଶିବ ବେଶ୍ରା ଉପସ୍ଥିତ ଥିଲେ । ଏହି ଅବସରରେ ଆସିଆନାର ସମ୍ପାଦିକା ସୋଫିଆ ଶେଖ୍, ସମାଜସେବୀ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଇନିସ୍ପେକ୍ଟର ମନ୍ଦାକିନୀ ମହାନ୍ତ, ଇନରହୁଇଲ କ୍ଲବର ସଭାପତି ସ୍ନେହଲତା ବେହେରା, ସମାଜସେବୀ ନମିତା ବଳ, ଅଞ୍ଜନା ମିଶ୍ର, କଳ୍ପନା ଜେନା, ଡିସିପିୟୁ ପକ୍ଷରୁ ସୁବ୍ରତ ଦାସ, ସ୍ୱାଗତିକା ବାରିକ, ଦମୟନ୍ତୀ ଦାସ, ହ୍ୟୁମାନ ରାଇଟ୍ସ ଫାଉଣ୍ଡେସନ ପକ୍ଷରୁ ସଭାପତି ସଂଗ୍ରାମ ମହାନ୍ତି, ସମ୍ପାଦିକା ପ୍ରୀତି ରାୟ ଓ ଡ. ଶରତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଆସିଆନାର ସଂଯୋଜକ ରିଆଜ ଅହମ୍ମଦ, ପରାମର୍ଶଦାତ୍ରୀ ଅନମା ପଣ୍ଡା, ରାନୁବାଳା ଜେନା ପ୍ରମୁଖ ପରିଚାଳନା କରିଥିଲେ ।