Odiapua.com

ପ୍ରି ସ୍କୁଲରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର, ଶିକ୍ଷକ ଓ ଶିକ୍ଷାୟତନ ବିକାଶ ପାଇଁ ଐତିହାସିକ ପଦକ୍ଷେପ-ଧର୍ମେନ୍ଦ୍ର ପ୍ରଧାନ

– ଦେଶରେ ସମଗ୍ର ଶିକ୍ଷା ଯୋଜନା ୨.୦କୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ମୋହର
– ୨, ୯୪, ୨୮୩.୦୪ କୋଟି ଟଙ୍କାର ଯୋଜନାରେ କେନ୍ଦ୍ରର ଅଂଶ ରହିବ ୧, ୮୫, ୩୯୮.୩୨ କୋଟି
– ୧.୧୬ ନିୟୁତ ସ୍କୁଲ, ୧୫୬ ନିୟୁତରୁ ଭର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏବଂ ୫.୭ ନିୟୁତ ଶିକ୍ଷକ, ଶିକ୍ଷୟତ୍ରୀ – ଉଭୟ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ମାନେ ହେବେ ଲାଭବାନ୍।
– ଶିକ୍ଷା ପାଇଁ ଏସଡିଜି-୪ ଲକ୍ଷ୍ୟ ପୂରଣ ତଥା ନୂଆ ଶିକ୍ଷାନୀତି-୨୦୨ଠର ଅନ୍ତର୍ଭୁକ୍ତି କରଣ ଏବଂ ଉଚ୍ଚମାନର ଶିକ୍ଷା ପ୍ରଦାନ ପାଇଁ ହେବ ଲାଭଦାୟକ
– କେନ୍ଦ୍ର ସରକାରଙ୍କୁ ମହତ୍ୱକାଂକ୍ଷୀ ଯୋଜନା ୨୦୨୧ ରୁ ୨୦୨୬ ଆଗାମୀ ୫ ବର୍ଷରେ ହେବ କାର୍ଯ୍ୟକାରୀ।
– ସରକାରୀ ସ୍କୁଲରେ ବି ଆରମ୍ଭ ହେବ ପ୍ଲେ ସ୍କୁଲ
– ବିବିଧ ଭାଷା ଓ ବିଭିନ୍ନ କ୍ଷମତା ପୃଷ୍ଠଭୂମିର ପିଲାମାନଙ୍କୁ ଶ୍ରେଣୀଗୃହ ଶିକ୍ଷା ପକ୍ରିୟାରେ ସକ୍ରିୟ କରାଯିବାର ବ୍ୟବସ୍ଥା ମାଷ୍ଟର ଟ୍ରେନର ମାନଙ୍କର ଉପଯୁକ୍ତ ତାଲିମ, ଅଙ୍ଗନବାଡି କର୍ମୀ ମାନଙ୍କର ବିଶେଷ ତାଲିମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା।
– ସ୍କୁଲର ଛାତ୍ରଛାତ୍ରୀମାନେ କିଛିଦିନ ବିନା ବ୍ୟାଗରେ ଆସି ଆନୁଷଙ୍ଗିକ ଶିକ୍ଷା ନେବାର ବ୍ୟବସ୍ଥା
– ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ କମ୍ ସମୟରେ ପ୍ରଦାନ
– ୫ ବର୍ଷ ମଧ୍ୟରେ ଅନ୍ୟୁନ ଥରେ ସବୁ ସ୍କୁଲର ସୋସିଆଲ୍ ଅଡିଟ୍ ବ୍ୟବସ୍ଥା।

ଭୁବନେଶ୍ୱର/ନୂଆଦିଲ୍ଲୀ, ୪ ଅଗଷ୍ଟ (ଓଡ଼ିଆ ପୁଅ) ଦେଶରେ ସମଗ୍ର ଶିକ୍ଷା ଯୋଜନା ୨.୦କୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ୨, ୯୪, ୨୮୩.୦୪ କୋଟି ଟଙ୍କାର ଯୋଜନାରେ କେନ୍ଦ୍ରର ଅଂଶ ରହିବ ୧, ୮୫, ୩୯୮, ୩୨ କୋଟି। ଏପ୍ରିଲ ୧, ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ୫ ବର୍ଷ ଧରି ଏହା କାର୍ଯ୍ୟକାରୀ ହେବ। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଏ ସମ୍ବନ୍ଧରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ସ୍କୁଲ ଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ। ପ୍ରି ସ୍କୁଲରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଯୋଜନାରେ ହେବେ ସାମିଲ୍। ସାର୍ବଜନୀନ ଶିକ୍ଷା ସହିତ ସ୍କୁଲର ଭିଭିଭୂମି ଓ ପିଲାମାନେ କେମିତି ସ୍କୁଲ ଛାଡି ଯିବେ ନାହିଁ ଏହା ଉପରେ ରହିବ ଗୁରୁତ୍ବ। ଲିଙ୍ଗଗତ ବିଭେଦ ଦୂର, ଭନ୍ନତ ମାନ ଓ ନବସୃଜନ ଶିକ୍ଷକ ଦରମାରେ ସହାୟତା ଡିଜିଟାଲ ବିକାଶ, ଶିକ୍ଷା ଅକାରରେ ୟୁନିଫର୍ମ ଓ ପାଠ୍ୟପୁସ୍ତକ, ଧନ୍ଦାମୂଳକ ଶିକ୍ଷା, କ୍ରୀଡା ଓ ଶାରୀରିକ ଶିକ୍ଷା, ଶିକ୍ଷକ ଶିକ୍ଷା ଉପରେ ଏହି ଯୋଜନାରେ ରହିବ ସବୁଠୁ ଅଧିକ ଗୁରୁତ୍ତ୍ୱ।

ସରକାରୀ ସ୍କୁଲରେ ବି ଆରମ୍ଭ ହେବ ପ୍ଲେ ସ୍କୁଲ। ଯାହାଦ୍ୱାରା ଦେଶରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ନୂଆ ଯୁଗର ଆରମ୍ଭ ହେବ। ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ଦିଗରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ବ ଦେଇ ଆସୁଥିବା ବେଳେ ଏହି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷା କ୍ଷେତ୍ରରେ ଥିବା ଦୂରଦୃଷ୍ଟିକୁ ସଠିକ୍ ଭାବେ କ୍ରିୟାନ୍ବିତ କରିବାରେ ବଡ ସହାୟକ ହେବ ବୋଲି ସେ କହିଛନ୍ତି। ଶିକ୍ଷା ପାଇଁ ନିରନ୍ତର ବିକାଶ ଯୋଜନା ବା ଏସଡିଜି-୪ ଲକ୍ଷ୍ୟ ନୂଆ ଶିକ୍ଷାନୀତି-୨୦୨୦ର ଅନ୍ତର୍ଭୁକ୍ତି କରଣ ଏବଂ ସ୍କୁଲ ଶିକ୍ଷା କ୍ଷେତ୍ରରେ ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ କରିବାରେ ସଫଳ ହେବ। ବିଭିନ୍ନ ପୃଷ୍ଠଭୂମିରୁ ଆସୁଥିବା ସବୁ ଶ୍ରେଣୀର ପିଲାମାନଙ୍କୁ ଉପଯୁକ୍ତ ଶ୍ରେଣୀଗୃହ ଶିକ୍ଷା ଦେବା ସମଗ୍ରଶିକ୍ଷା-୨.୦ର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ବିବିଧ ଭାଷା ଓ ବିଭିନ୍ନ କ୍ଷମତା ପୃଷ୍ଠଭୂମିର ପିଲାମାନଙ୍କୁ ଶ୍ରେଣୀଗୃହ ଶିକ୍ଷା ପକ୍ରିୟାରେ କିପରି ସକ୍ରିୟ କରାଯିବ ଏହି ଯୋଜନା ଏହାକୁ ସଫଳ କରିବା ପାଇଁ ଉଦିଷ୍ଟ।

ଏହି ଯୋଜନାରେ ମାଷ୍ଟର ଟ୍ରେନରମାନଙ୍କର ଉପଯୁକ୍ତ ତାଲିମ, ଅଙ୍ଗନବାଡି କର୍ମୀମାନଙ୍କର ବିଶେଷ ତାଲିମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସରକାରୀ ସ୍କୁଲରେ ପିଲା ମୁଣ୍ଡପିଛା ୫୦୦ ଟଙ୍କା ବ୍ୟୟରେ ଶିକ୍ଷା ଉପକରଣ ଯୋଗାଇ ଦେବାର ପ୍ରି-ପ୍ରାଇମେରୀ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ତୃତୀୟରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ଛାତ୍ରଛାତ୍ରୀ ଯେପରି ପଢ଼ିବା ଲେଥିବା ଓ ହିସାବ କରିପାରିବେ ସେଥିପାଇଁ ଛାତ୍ର ମୁଣ୍ଡପିଛା ୫୦୦ ଟଙ୍କା ଏବଂ ଶିକ୍ଷକ ମାନଙ୍କ ପାଇଁ ମୁଣ୍ଡପିଛା ୧୫୦ ଟଙ୍କାର ଟିଚର ମାନ୍ୟୁଆଲ୍ ଯୋଗାଇ ଦିଆଯିବ। ପ୍ରତି ଜିଲ୍ଲାରେ ଏହା ସଫଳ ରୂପାୟନ ହୋଇଛି କି ନାହିଁ ଏହାର ମୂଲ୍ୟାଙ୍କନ ପାଇଁ ଜିଲ୍ଲା ପିଛା ୧୦ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସ୍କୁଲ ଗୁଡିକର ଭିତ୍ତିଭୂମି ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଯାତାୟତ ପାଇଁ ବାର୍ଷିକ ମୁଣ୍ଡପିଛା ପର୍ଯ୍ୟନ୍ତ ୬ ହଜାର ଟଙ୍କାର ବ୍ୟବସ୍ଥା କରାଯାଇଛି। ସ୍କୁଲ ବାହାରେ ଥିବା ରୁ ୧୯ ବର୍ଷର ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କ ପାଇଁ ବିଶେଷ ଅର୍ଥ ଖେଳ ପାଇଁ ବିଶେଷ ଯୋଜନା କରାଯାଇଛି।

ସ୍କୁଲର ଛାତ୍ରଛାତ୍ରୀମାନେ କିଛିଦିନ ଯେମିତି ବିନାବ୍ୟାଗରେ ଆସି ସ୍ଥାନୀୟ ହସ୍ତକଳା ଇତ୍ୟାଦି କାରିଗର ମାନଙ୍କ ଠାରୁ ଶିକ୍ଷାଗ୍ରହଣ କରିପାରିବେ ସେଥିପାଇଁ ନୂଆ ଚିନ୍ତନ ଆରମ୍ଭ କରାଯାଇଛି। ଛାତ୍ରୀନିବାସ ମାନଙ୍କ ପାଇଁ ଆର୍ଥିକ ସୁବିଧା, ଛାତ୍ରୀମାନଙ୍କ ପାଇଁ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ପାଇଁ ମୁଣ୍ଡପିଛା ଖର୍ଚ୍ଚ ୩ ହଜାର ଟଙ୍କାରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଛାତ୍ରଛାତ୍ରୀ ମାନେ ଯେଉଁ ଆର୍ଥିକ ସହାୟତା ପାଇବେ ତାହା ଡିବିଟି ମାଧ୍ୟମରେ ବ୍ୟାଙ୍କ ଖାତାରେ କମ୍ ସମୟରେ ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାରେ ବର୍ଷକୁ ୨୦ ପ୍ରତିଶତ ହିସାବରେ ୫ ବର୍ଷରେ ଶତପ୍ରତିଶତ ସ୍କୁଲର ସୋସିଆଲ୍ ଅଡିଟ୍ ବ୍ୟବସ୍ଥା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଏହାସହ ଏହି ଯୋଜନା କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ରାଜ୍ୟମାନଙ୍କର ଗୋଟିଏ କ୍ରିୟାବୟନ ସଂସ୍ଥା ମାଧ୍ୟମରେ ଏହାକୁ ସଫଳ କରିପାରିବ ତାହାର ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର କ୍ରିୟାନ୍ୱୟନ କଣ କଣ ସୁଫଳ ଆଣିବ ଓ ବିଶେଷ ଭାବରେ ସମାଜର ବଞ୍ଚିତ ବର୍ଗକୁ ଅଧିକ ସହାୟକ ହୋଇପାରିବ ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତାର ହାତ ବଢାଯାଇପାରିବ ଏହି ନୀତି ଅଧିକ ଗୁରୁତ୍ବ ଦେଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।