Odiapua.com

ପ୍ରିୟ ଶିକ୍ଷକଙ୍କ ବଦଳିକୁ ନେଇ ଚଣ୍ଡୀଗାଁରେ ତୀବ୍ର ଗଣଅସନ୍ତୋଷ ,ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ, ଆଦେଶ ବାତିଲ ନହେଲେ ବ୍ୟାପକ ଆନ୍ଦୋଳନ ଚେତାବନୀ

ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ନିବିଡ଼ ସମ୍ପର୍କର ଏକ ଭାବପୂର୍ଣ୍ଣ ତଥା ପ୍ରତିବାଦର ଚିତ୍ର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚଣ୍ଡୀଗାଁ ପଂଚାୟତରେ। ସ୍ଥାନୀୟ ଚଣ୍ଡିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜନପ୍ରିୟ ଶିକ୍ଷକ ପ୍ରଦୀପ କରଙ୍କ ବଦଳି ଆଦେଶ ପ୍ରକାଶ ପାଇବା ପରେ ଏହାକୁ ନେଇ ସ୍କୁଲ ପରିସରରେ ତୀବ୍ର ଉତେଜନା ସହ ଜନ-ଅସନ୍ତୋଷ ପ୍ରକାଶ ପାଇଛି। ପ୍ରିୟ ଶିକ୍ଷକଙ୍କୁ ବିଦ୍ୟାଳୟରୁ ନଛାଡ଼ିବା ପାଇଁ କୋମଳମତି ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ ଜିଦ୍‌ରେ ଅଡ଼ି ବସିଛନ୍ତି। ଏହି ସମସ୍ୟାର ସମାଧାନ ତଥା ବଦଳି ଆଦେଶ ବାତିଲ ପାଇଁ ଗ୍ରାମବାସୀ ଓ ଅଭିଭାବକଙ୍କ ପକ୍ଷରୁ ଉଚ୍ଚ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି।ଉକ୍ତ ବିଦ୍ୟାଳୟର ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ମୋଟ ୭୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷକ ପ୍ରଦୀପ କରଙ୍କ ଉଚ୍ଚକୋଟୀର ଶିକ୍ଷାଦାନ ଶୈଳୀ ଏବଂ ପିଲାମାନଙ୍କ ପ୍ରତି ଥିବା ସ୍ନେହପୂର୍ଣ୍ଣ ବ୍ୟବହାର ଯୋଗୁଁ ସେ ସମସ୍ତଙ୍କର ଅତି ପ୍ରିୟ ହୋଇପାରିଥିଲେ। ଏଭଳି ସ୍ଥିତିରେ ତାଙ୍କର ହଠାତ୍ ବଦଳି ହେବା ଦ୍ୱାରା ପିଲାମାନଙ୍କର ପାଠପଢ଼ାରେ ଗୁରୁତର ବ୍ୟାଘାତ ସୃଷ୍ଟି ହେବ ଏବଂ ଶିକ୍ଷାର ମାନ ହ୍ରାସ ପାଇବ ବୋଲି ଅଭିଭାବକମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।ପ୍ରଦୀପ ସାରଙ୍କ ବଦଳି ଖବର ଶୁଣିବା ପରେ ସ୍କୁଲରେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହେବା ସହ କିଛି ଛାତ୍ରଛାତ୍ରୀ ନିଜ ପ୍ରିୟ ଶିକ୍ଷକଙ୍କୁ ନଛାଡ଼ିବା ପାଇଁ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି। ଗ୍ରାମବାସୀମାନେ ସ୍କୁଲ ସମ୍ମୁଖରେ ଏକତ୍ରିତ ହୋଇ ପ୍ରଶାସନ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଉଚ୍ଚ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗ୍ରାମବାସୀମାନେ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ଶିକ୍ଷା ବିଭାଗ ତୁରନ୍ତ ଏହି ବଦଳି ଆଦେଶକୁ ପ୍ରତ୍ୟାହାର କରୁ, ନଚେତ୍ ଆଗାମୀ ଦିନରେ ଏହି ଆନ୍ଦୋଳନ ଆହୁରି ବ୍ୟାପକ ରୂପ ନେବ ଏବଂ ପିଲାମାନେ ସ୍କୁଲ ବର୍ଜନ କରିବେ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖିରେ ରଖି ପ୍ରଶାସନ ଏହି ସମସ୍ୟାର ସକାରାତ୍ମକ ସମାଧାନ କରୁ ବୋଲି ସ୍ଥାନୀୟ ଅଂଚଳରେ ଦୃଢ଼ ଦାବି ହେଉଛି।