Odiapua.com

ପ୍ରି’ସ୍କୁଲ ଶିଶୁ ୟୁନିଫର୍ମ ଯୋଗାଣକାରୀଙ୍କୁ ଶୋଷଣ ଅଭିଯୋଗ ଜିଲ୍ଲାପାଳଙ୍କଠାରେ ରେମୁଣା ଏସଏଚଜିଙ୍କ ଫେରାଦ

ବାଲେଶ୍ୱର, ୨୯ା୯(ଓଡ଼ିଆ ପୁଅ/ଅଭୟ ଦାସ): ଅଙ୍ଗନୱାଡ଼ିରେ ପାଠପଢ଼ୁଥିବା ପ୍ରି’ସ୍କୁଲ ଶିଶୁଙ୍କ ଡ୍ର୍ରେସ୍ ଯୋଗାଣ କରୁଥିବା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଅଙ୍ଗନୱାଡ଼ି କର୍ମୀ ଅର୍ଥ ଦାବି କରିବା ପ୍ରତିବାଦରେ ରେମୁଣା ବ୍ଲକର ଏକାଧିକ ଏସଏଚଜି ଆଜି ଜିଲ୍ଲାପାଳଙ୍କଠାରେ ଫେରାଦ ହୋଇଛନ୍ତି। ଆଇସିଡିଏସର ଚୟନ ପ୍ରକ୍ରିୟା ଅନୁସାରେ କୁରୁଡ଼ାର ଦିବ୍ୟଜୀବନ ଏସଏଚଜି, କଲ୍ୟାଣପୁରର ମାଆ ଜ୍ୟୋତିର୍ମୟୀ ଏସଏଚଜି, ଗରେଶ୍ୱରପୁରର ମ।। ଭକ୍ତି ଏସଏଚଜି ଓ ବିରୁଆଁ ଅଞ୍ଚଳର ବାବା ମୁକ୍ତେଶ୍ୱର ଏସଏଚଜି ପ୍ରି’ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ ପାଇଁ ଯେଗ୍ୟ ବିବେଚିତ ହୋଇଥିଲେ। ରେମୁଣା ବ୍ଲକର ୩୬ ଗୋଟି ପଞ୍ଚାୟତ ମଧ୍ୟରୁ ଅଧିକାଂଶ ଅଙ୍ଗନୱାଡ଼ିର ଛାତ୍ରଛାତ୍ରୀଙ୍କୁ ଏହି ଡ୍ରେସ୍ ପ୍ରଦାନ କରାଯାଇଥିବା ବେଳେ ବାକି ଅଙ୍ଗନୱାଡ଼ିର କର୍ମୀମାନେ ଡ୍ରେସ୍ ଗ୍ରହଣ କରୁ ନଥିବା ଏସଏଚଜି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ପ୍ରତି ଡ୍ରେସ୍ ପିଛା ୧୦ ଟଙ୍କା ଲେଖାଏଁ ଦାବି କରିବା ସହ ସେମାନେ ରିସିଭ୍‌ଡ ସ୍ଲିପ୍‌ରେ ବି ଦସ୍ତଖତ କରୁ ନାହାନ୍ତି ବୋଲି ଏସଏଚଜି କର୍ମକର୍ତ୍ତା ଆରୋପ ଉଠାଇଛନ୍ତି। ଅଙ୍ଗନୱାଡ଼ି କର୍ମୀ ସଂଘ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଆଘୋଷିତ ଆଇନ୍ ଜାରି କରି କର୍ମୀମାନେ ଏସଏଚଜି କର୍ମକର୍ତ୍ତା ଓ ସଦସ୍ୟାମାନଙ୍କୁ ହଇରାଣ ହରକତ୍ କରୁଥିବା ସେମାନେ ଆପତ୍ତି କରିଛନ୍ତି। ଏନେଇ ସିଡିପିଓ ଓ ଡିଏସଡବ୍ଲ୍ୟୁଙ୍କୁ ଜଣାଇବା ପରେ ବି ସେମାନେ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ବେଳେ ଶେଷରେ ଜିଲ୍ଲାପାଳଙ୍କଠାରେ ଆପତ୍ତି ପାଇଁ ସେମାନେ ନିଷ୍ପତି ନେଇଛନ୍ତି। ବ୍ୟାଙ୍କରୁ ଋଣ ଆଣି ଏହି ପ୍ରି’ସ୍କୁଲ ୟୁନିଫର୍ମ ଯୋଗାଣ କରୁଥିବା ବେଳେ ଏବେ ଅଙ୍ଗନୱାଡ଼ି କର୍ମୀଙ୍କ ଶୋଷଣ ନୀତି ଯୋଗୁଁ ସେମାନଙ୍କୁ ଡ୍ରେସ୍ ଅର୍ଥ ମିଳିପାରୁ ନାହିଁ। ଫଳରେ ସେମାନଙ୍କୁ ଅଯଥା ସୁଧ ଗଣିବାକୁ ପଡ଼ୁଛି। ତୁରନ୍ତ ଏହି ଘଟଣାର ବିଧିବଦ୍ଧ ତଦନ୍ତ ସହ ଅଙ୍ଗନୱାଡ଼ି କର୍ମୀ ସଂଘର ନେତୃତ୍ୱ ନେଉଥିବା କର୍ମୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ଏସଏଚଜି କର୍ମକର୍ତ୍ତାମାନେ ଦାବି କରିଛନ୍ତି। ନତୁବା ଆଗାମୀ ଦିନରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳ ସମ୍ମୁଖରେ ଅନଶନରେ ବସିବେ ବୋଲି ଏସଏଚଜି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି। ଏହି ଅବସରରେ ସେମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ବେଳେ ବିଭିନ୍ନ ଏସଏଚଜିରୁ ଉଷାରାଣୀ ପଢ଼ିଆରୀ, ବାସନ୍ତି ପାକଳ, ସରସ୍ୱତୀ ଦଳେଇ, ଶାନ୍ତିଲତା ଦାସ, ବାସନ୍ତି ଦାସ ପ୍ରମୁଖ ଉପସ୍ଥିତ ଥିଲେ।