ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଜଣାଶୁଣା ଛାତ୍ରବତ୍ସଳ ପ୍ରାଧ୍ୟାପକ ଲେଖକ ଭଗବାନ ଚନ୍ଦ୍ର ମହାନ୍ତିଙ୍କର ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି। ବାସୁଦେବପୁର ବ୍ଲକ୍ ବରଣ୍ଡୁଆ ପଂଚାୟତ ଦୀକ୍ଷିତବିନ୍ଧା ସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ୯୦ ବର୍ଷ ବୟସରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥା ମଧ୍ୟରେ ଚିକିତ୍ସା ହେଉଥିଲେ। ତାଙ୍କ ବାସଭବନରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପହଞ୍ôଚ ଶେଷ ଦର୍ଶନ କରିଛନ୍ତି। ତାଙ୍କର ବହୁ ଉଚ୍ଚପଦପଦବୀରେ ଥିବା ଛାତ୍ରଛାତ୍ରୀମାନେ ଗଭୀର ଶୋକ ପ୍ରକଟ କରି ଆତ୍ମାର ସଦ୍ଗତି କାମନା କରିଛନ୍ତି। ସେ ଦୀକ୍ଷିତାବିନ୍ଧାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜୀବନରେ ଶିକ୍ଷାଦାନ କରି ପିଲାଙ୍କୁ ଉପଯୁକ୍ତ କରାଇବା ଥିଲା ମୂଳ ଲକ୍ଷ୍ୟ। ସେ ସ୍ପଷ୍ଟବାଦୀ ବ୍ୟକ୍ତିିତ୍ୱର ଆଧାର ଥିଲେ। ଗାଁରେ ବିଦ୍ୟାଳୟ ପାଇଁ ମଧ୍ୟ ଜମି ଦାନ କରିଛନ୍ତି।
ବେତଡା ବିଦ୍ୟାଳୟ ଓ ଚାଲୁଣିଗାଁ ଉଚ୍ଚ ବିଦ୍ୟାଳୟ ସମୂହର ବିନ୍ଧାଣି ଥିଲେ। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ଥିଲେ। ଇଂରାଜୀରେ ସେ ସମୟରେ ଡିଗ୍ରୀ ଅଧ୍ୟୟନ କରି ଡିଗ୍ରୀ ସରିବା ପରେ ହାଇସ୍କୁଲ ଶିକ୍ଷକତାରୁ କଲେଜରେ ଚାକିରୀ କରିଥିଲେ। ବିଭିନ୍ନ ପରୀକ୍ଷା ସମୟରେ ତାଙ୍କ ଚାକିରୀ କାଳରେ ପରୀକ୍ଷା ନିୟନ୍ତ୍ରକ ଭାବେ ଏବଂ ପରୀକ୍ଷା ତଦାରଖ, ସେଣ୍ଟର ପରିଦର୍ଶନ ଦାୟିତ୍ୱ ତୁଲାଇ ବେଶ୍ ସୁନାମ ଅର୍ଜନ କରିଥିଲେ। ଜଗନ୍ନାଥ ପଟ୍ଟନାୟକଙ୍କ ଲିଖିତ ଇଂରାଜୀରେ ଓଡ଼ିଶା ଇତିହାସ ପୁସ୍ତକ ସମେତ ତାଙ୍କର ବହୁ ଇତିହାସ ଲିଖିତ ପୁସ୍ତକର ସମୀକ୍ଷା ସଂପାଦନା ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇଥିବାବେଳେ ବହୁ କବିତା ସଂକଳନ ରଚନା କରିଛନ୍ତି। ଦୀକ୍ଷିତବିନ୍ଧାସ୍ଥିତ ତାଙ୍କ ନିଜ ଗାଁରେ ଜ୍ୟେଷ୍ଠପୁତ୍ର ଅମୀୟ ଭୂଷଣ ମୁଖାଗ୍ନି ଦେଇଥିବାବେଳେ ମଧ୍ୟମପୁତ୍ର ଅମୂଲ୍ୟ ରତ୍ନ, କନିଷ୍ଠ ପୁତ୍ର ଅନୁପ ଚନ୍ଦ୍ର, କନ୍ୟା ଯୃଥିକା ଓ ଜ୍ୱାଇଁ ଜ୍ଞାନ ପ୍ରକାଶ ପାଣି, ବଡ ଜ୍ୱାଇଁ ଯୁଧିଷ୍ଠିର ପାଣିଗ୍ରାହୀ ଏବଂ ନାତି-ନାତୁଣୀ, ପଡୋଶୀ, ସ୍ଥାନୀୟ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀମାନେ ମର ଶରୀରକୁ ଏକ ଶୋଭାଯାତ୍ରାରେ ପରିକ୍ରମା କରିବା ପରେ ଶୋକାକୁଳ ପରିବେଶରେ ଶେଷକୃତ ସଂପନ୍ନ ହୋଇଛି।