Odiapua.com

ପ୍ରାଚ୍ୟୁର୍ଯ୍ୟ ମଧ୍ୟରେ ଦାରିଦ୍ରତାର କରୁଣ ପ୍ରତିଛବି : ଛେଳି ଚରାଇ ପେଟ ପୋଷୁଛନ୍ତି ଆଦିବାସୀ ପରିବାର, ଦଦରା ଘରେ ବିତୁଛି ୭ ପ୍ରାଣୀ କୁଟୁମ୍ବଙ୍କ ଜୀବନ, ସରକାରୀ ସହାୟତା ସେମାନଙ୍କ ପାଇଁ ସାତ ସପନ

ଯୋଡା, ୩୦ା୭ (ଓଡ଼ିଆ ପୁଅ/ସେକ୍ ଜାବିର ମହମ୍ମଦ) : ଆଦିବାସୀଙ୍କ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି ହେଲେ ତାହା ଠିକ୍ ଲୋକ ପାଖରେ ପହଞ୍ଚି ପାରୁନାହିଁ। ଖଣି ଅଞ୍ଚଳରେ ପ୍ରଚ୍ୟୁର୍ଯ୍ୟର ପାଚେରି ଭିତରେ ଦାରିଦ୍ରତାର କରୁଣ ପ୍ରତିଛବି ସବୁବେଳେ ସଚେତନ ବ୍ୟକ୍ତିକୁ ଆନ୍ଦୋଳିତ କରୁଛି। ଏହିପରି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ଯୋଡା ବ୍ଲକ ଦେଓଝର ପଞ୍ଚାୟତ କୁଲଡୁମ ଗ୍ରାମର ମୁଣ୍ଡା ସାହିରେ। ସେଇଠି ରେକଣ୍ଡା ମୁଣ୍ଡା ଓ ସ୍ତ୍ରୀ ଚୁନ୍ଦୁରୀ ଏବଂ ତାଙ୍କର ୫ଟି ସନ୍ତାନ ନେଇ ପରିବାର ବସବାସ କରନ୍ତି। ଘର କହିଲେ ବଖୁରିଏ ଖପର ଘର। ସେଇଠି ୭ ପ୍ରାଣୀ କୁଟୁମ୍ବ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୁଅନ୍ତି। ଘର ଭିତରେ ସୂର୍ଯ୍ୟ, ଚନ୍ଦ୍ରଙ୍କ ଅବାଧ ପ୍ରବେଶ। ବର୍ଷା ଦିନେ ବର୍ଷା ଜଳ ଅଟକାଇବାକୁ ଘରେ ଥିବା ହାଣ୍ଡି, ଡେକଚି ନିଅଣ୍ଟ ପଡେ। ଏହି ଘରେ ରେକଣ୍ଡାଙ୍କ ପରିବାର ତାଙ୍କର ୨ ଭିନ୍ନକ୍ଷମ ସନ୍ତାନଙ୍କୁ ନେଇ ବାସ କରନ୍ତି। ରାତି ପାହିଲେ ରେକଣ୍ଡା ଓ ଚୁନ୍ଦୁରୀ ନିଜ ସାହିର ଗାଈ, ଛେଳି ନେଇ ଜଙ୍ଗଲକୁ ଚରାଇବାକୁ ଯାଆନ୍ତି। ବେଳ ବୁଡା ସମୟରେ ଘରକୁ ଫେରିଲେ ଗାଈ, ଛେଳି ମାଲିକଙ୍କ ଠାରୁ ଡବାଏ ଲେଖାଁ ଚାଉଳ ମିଳେ। ସେହି ଚାଉଳରେ ୭ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର ପଡେ। ଆହାର କହିଲେ ଭାତ ସାଙ୍ଗକୁ ଲୁଣ। ରେକଣ୍ଡା ମୁଣ୍ଡାଙ୍କର ରାସନ କାର୍ଡଟିଏ ଅଛି। ସେଥିରେ ପୂର୍ବରୁ ମାସିକ ୨୫ କିଲୋ ଚାଉଳ ମିଳୁଥିଲା। ଏବେ ସେଥିରୁ ୨ଜଣଙ୍କ ନାମ କଟିଯିବାରୁ ୨୫ କିଲୋ ବଦଳରେ ମିଳୁଛି ମାତ୍ର ୧୫ କିଲୋ, ଯାହା ୭ଦିନ ତାଙ୍କ ପରିବାର ପାଇଁ ନିଅଣ୍ଟ। ବାକି ଦିନ ଗୋରୋ, ଛେଳି ମାଲିକଙ୍କ ଠାରୁ ପାରିଶ୍ରମିକ ବାବାଦକୁ ମିଳୁଥିବା ଚାଉଳ ହିଁ ତାଙ୍କର ଭରସା। ରେକଣ୍ଡାଙ୍କ ୫ଟି ସନ୍ତାନ ଥିବା ବେଳେ ବଡ ଝିଅ ବେଲମତୀକୁ ମାତ୍ର ୧୨ ବର୍ଷ। ସେ ଅପପୃଷ୍ଟିର ଶୀକାର ହୋଇ ଦିନକୁ ଦିନ ଅକର୍ମଣ୍ୟ ହୋଇପଡିଛନ୍ତି। ତାଙ୍କର ହାତ ଗୋଡ ଚଳୁନାହିଁ। ହାତ ଆଙ୍ଗୁଳି ସବୁ ବଙ୍କା ହୋଇଗଲାଣି। ମା, ବାପା ଜଙ୍ଗଲକୁ ଚାଲିଯିବା ପରେ ଦିନ ତମାମ ସେ ଘରର ବାରଣ୍ଡାରେ ସେମାନଙ୍କ ଫେରିବା ବାଟକୁ ଜଗି ପଡିରହିଥାନ୍ତି। ସେହି ବିଛଣା ଉପରେ ହିଁ ତାଙ୍କୁ ସମସ୍ତ ନିତ୍ୟକର୍ମ କରିବାକୁ ପଡେ। ତାଙ୍କ ପାଇଁ ଭିନ୍ନକ୍ଷମ ଭତ୍ତା ଟିଏ ଆଜିଯାଏଁ ମିଳିପାରିଲାନାହିଁ। ତା ତଳକୁ ସୁକୃମଣୀଙ୍କ ବୟସ ୧୦ ବର୍ଷ, ପୁଅ ସୁକେଶକୁ ୯ ବର୍ଷ, ତା ତଳ ଝିଅ ସଙ୍ଗୀତାକୁ ୭ ବର୍ଷ, ସାନ ପୁଅ ବିଶାଲକୁ ମାତ୍ର ୫ ବର୍ଷ। ଅଶିକ୍ଷା ଓ ଅସାବଧନତା କାରଣରୁ ମା, ବାପା ଖୁବ କମ ବୟସରେ ପାଞ୍ଚ ପାଞ୍ଚଟି ସନ୍ତାନର ଜନକ। ଏତିକିରେ ତାଙ୍କ ଦୁଃଖ ସରିନାହିଁ। ବିଶାଲ ପୂର୍ବରୁ ଅଙ୍ଗନୱାଡିକୁ ପାଠ ପଢିବାକୁ ଯାଉଥିଲା। ତାକୁ ଥରେ ଜ୍ୱର ହେବାରୁ ମା, ବାପା ତାକୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଯାଇଥିଲେ। ଜ୍ୱର ଭଲ ହେଇଗଲା ସିନା ଅପପୃଷ୍ଟିର ଶୀକାର ହୋଇ ସେ ମଧ୍ୟ ଏବେ କଥାବାର୍ତ୍ତା କରିପାରୁନାହିଁ। ଅନ୍ୟମାନଙ୍କ ପାଠପଢାରେ କେଉଁ କାଳୁ ଡୋରି ବନ୍ଧା ସରିଛି। ଏବେ ୭ ପ୍ରାଣୀ କୁଟୁମ୍ବଙ୍କ ବୋଝ ରେକଣ୍ଡାଙ୍କ ଉପରେ। ତେବେ ରେକଣ୍ଡା ସରକାରୀ ଯୋଜନାରେ ଘର ଖଣ୍ଡିଏ ପାଇଁ ସରପଞ୍ଚଙ୍କ ନିକଟରେ ବହୁତ ନେହୁରା ହୋଇଛନ୍ତି। ଯୋଡା ବ୍ଲକ ଦୌଡି ଦୌଡି ନୟାନ୍ତ ହୋଇ ଶେଷରେ ନିରାଶ ହୋଇପଡିଛନ୍ତି। ଲାଞ୍ଚ ଦବା ପାଇଁ ତାଙ୍କ ପାଖରେ ଅର୍ଥ ନଥିବାରୁ ସେ ଘର ଖଣ୍ଡିଏ ପାଇପାରିନାହାନ୍ତି। ଏବେ ଭାଗ୍ୟକୁ ଆଦରି ସେହି ଦଦରା ଘରେ ପଡିରହିଛନ୍ତି। ଯେତେବେଳେକି ତାଙ୍କ ବଡ ଭାଇ ସରକାରଙ୍କ ସବୁ ସୁବିଧା ସୁଯୋଗ ପାଇବା ସହ ଆବାସ ଯୋଜନାରେ ଘର ପାଇଥିବା ବେଳେ ତାଙ୍କ ପାଇଁ ସରକାରଙ୍କ ନିର୍ଦୟତା ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଯୋଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନଙ୍କ ଦୃଷ୍ଟି ଆକର୍ଷଣ କରାଇବାରୁ, ଏ ଘଟଣା ତାଙ୍କ ନଜରକୁ ଆସିନଥିବା ସେ କହିବା ସହ ତୁରନ୍ତ ଉକ୍ତ ପରିବାରକୁ ଥଇଥାନ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ୭୫ ବର୍ଷ ପରେ ଦେଶ ସ୍ୱାଧିନତାର ଆମୃତ ମହୋତ୍ସବ ପାଳନ କରୁଥିବା ବେଳେ ଖଣି ପ୍ରାଚ୍ୟୁଯ୍ୟ ଭରା ଅଞ୍ଚଳରେ ଆଦିବାସୀ ପରିବାରଟିଏ ବାସହୀନ, ଅନାହାରରେ ଯେବେ ରୁହେ ତାହା ଏକ ବିଡମ୍ବନାର ବିଷୟ, ନିଶ୍ଚୟ।