ଭଦ୍ରକ, ୧୦ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକାର ପ୍ରାକ୍ତନ ପୌରାଧ୍ୟକ୍ଷା ହେମାଙ୍ଗିନୀ ସାହୁଙ୍କ ଆଜି ସନ୍ଧ୍ୟାରେ ତାଙ୍କ ଭଦ୍ରକ ବଙ୍କସାହି ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୧ବର୍ଷ ବୟସ ହୋଇଥିଲା । ନିକଟରେ ସେ ବ୍ରେନ୍ ଷ୍ଟ୍ରୋକରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ନହେବାକୁ ତାଙ୍କୁ ପରିବାର ଲୋକେ ଘରକୁ ନେଇ ଆସିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ପ୍ରଶାନ୍ତ ସାହୁ, ଦିଅର ତଥା ୧୨ନମ୍ବର ୱାର୍ଡ କାଉନସିଲର ହେମନ୍ତ ସାହୁ, ପୁଅ ରାଜା ଓ ପୁରା ପରିବାର ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଗତ ୨୦୦୮ରୁ ୨୦୧୩ଯାଏଁ ସ୍ୱର୍ଗତା ହେମାଙ୍ଗିନୀ ସାହୁ ଭଦ୍ରକ ପୌରପାଳିକାର ପ୍ରଥମ ମହିଳା ପୌରାଧ୍ୟକ୍ଷା ଭାବେ ବିଜେଡି ସମର୍ôଥତ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ପରେ ସେ କଂଗ୍ରେସ ଦଳକୁ ଫେରିଥିଲେ । ଏହାବାଦ ୧୨ନମ୍ବର ବଙ୍କସାହି ୱାର୍ଡରୁ ୩ଥର କାଉନସିଲର ଭାବେ ବିଜୟୀ ହୋଇଥିଲେ । ଜଣେ ଦକ୍ଷ, ମେଳାପୀ ପୌରାଧ୍ୟକ୍ଷା ଭାବେ ସେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ ତାଙ୍କ ବାସଭବନକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା ଯାଇ ଶେଷଦର୍ଶନ କରି ଶ୍ରଦ୍ଧାଜଂଳି ଅର୍ପଣ କରିଛନ୍ତି ।