Odiapua.com

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ଚାଷୀଙ୍କୁ ସଚେତନତାଠାରୁ ଆବଶ୍ୟକ ସହାୟତା ଯୋଗାଇ ଦିଅନ୍ତୁ: ପିସିସି କିଷାନ କଂଗ୍ରେସ

ଭୁବନେଶ୍ୱର, ୩/୧୨ (ଓଡ଼ିଆ ପୁଅ) – ଓଡ଼ିଶା ଚାଷୀଙ୍କ ଦୁଃଖ ସରୁନି, ଚାଷୀ ଚିନ୍ତାରେ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସହ ସରକାରଙ୍କ ଘୋଷିତ ସହାୟତା ଯୋଜନା କେବଳ ପ୍ରଚାର ସର୍ବସ୍ୱ ହୋଇଛି। ଅନେକ ସମୟରେ ଚାଷୀ ଏହାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଗତ ଖରିଫରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ୨୫ ପ୍ରତିଶତ ଉତ୍ପାଦନ ହ୍ରାସ ପାଇଥିବା ବେଳେ ପରବର୍ତ୍ତୀ ସମୟରେ ଅତିଶୟ ବର୍ଷା ଏବଂ ଅକ୍ଟୋବର ଓ ନଭେମ୍ବର ମାସର ଅଦିନିଆ ବର୍ଷା ଓ ଚକଡ଼ା ପ୍ରଭୃତି ପୋକ ଯୋଗୁଁ ରାଜ୍ୟର ୨୪ଟି ଜିଲ୍ଲାରେ ୩୦ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ଫସଲ ନଷ୍ଟ ହୋଇଛି। ଏଯାବତ୍ ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରାୟ ୮୫ ପ୍ରତିଶତ ଓ ଆଭ୍ୟନ୍ତରିଣ ଜିଲ୍ଲାଗୁଡ଼ିକର ୪୦ ପ୍ରତିଶତ ଧାନ ଅମଳ ହୋଇନାହିଁ। ଫଳରେ ଏହା ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହେବ। ଶୀତିଦିନିଆ ପନିପରିବା ୫୦ ଭାଗ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ବିଶେଷ କରି ବର୍ତ୍ତମାନ ଆଳୁ ଆଉ ପିଆଜ ଚାଷ ବିଶେଷ ପ୍ରଭାବିତ। ପୂର୍ବାନୁମାନ ଅନୁସାରେ ୩ ରୁ ୫ ତାରିଖ ମଧ୍ୟରେ ଅତିଶୟ ବର୍ଷା ହେଲେ ଉଭୟ ଚାଷୀ ଓ ରାଜ୍ୟବାସୀଙ୍କ ଅବସ୍ଥା ଅସମ୍ଭାଳ ହେବ। ସରକାର ଚାଷୀଙ୍କୁ ଏହି ବିପଦରୁ ରକ୍ଷା ପାଇବା ପାଇଁ କେବଳ ଆଗୁଆ ସଚେତନତା ପାଇଁ ସୂଚନା ପ୍ରଦାନ କଲେ ହେବ ନାହିଁ, ବରଂ ଅତ୍ୟାବଶ୍ୟକ କୃଷି ସହାୟତା ଯୋଗାଇ ଦେବା ଏବଂ ଅନୀୟମିତ ଜଳବାୟୁ ଦ୍ୱାରା କୃଷି ଉପରେ ପଡ଼ୁଥିବା ପ୍ରଭାବର ମୁକାବିଲା ପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ଏକାନ୍ତ ଜରୁରୀ ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ, ଉପାଧ୍ୟକ୍ଷ ସୁବାଷ ରାଉତ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

ଅତିଶୟ ବର୍ଷା ପୂର୍ବରୁ ଚାଷୀଙ୍କୁ ମାଗଣା ପଲିଥିନ୍‌, ବିଲରେ ଜମିବାକୁ ଥିବା ପାଣିକୁ ନିଷ୍କାସନ କରିବାର ବ୍ୟବସ୍ଥା, କ୍ଳଷ୍ଟର ଭିତ୍ତିରେ ହାର୍ଭେଷ୍ଟର ଜରିଆରେ ଧାନ କାଟିବା ଏବଂ ଏହାର ସୁରକ୍ଷିତ ପାଇଁ ଆର୍ôଥକ ସହାୟତା, ପରବର୍ତ୍ତୀ ସମୟରେ କ୍ଷୟ କ୍ଷତିର ସଠିକ୍ ଆକଳନ କରି ଚାଷୀଙ୍କୁ ବିଭିନ୍ନ ପନିପରିବା ଚାରା ଓ ବିହନ ଯୋଗାଣ, କୃଷି ଋଣ ଛାଡ଼, ଜାତୀୟ ଓ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ପ୍ରଚଳିତ କୃଷି ଇନପୁଟ୍ ସହାୟତାର ୨ ଗୁଣା ବୃଦ୍ଧି ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଚ୍ଛା ୨୦ ହଜାର ଟଙ୍କା ନତୁବା ଏହି ଚାଷୀ ପରିବାରଙ୍କୁ ୬ ମାସ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ସହାୟତା ଓ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଥିବା ସର୍ତ୍ତାବଳୀ ଅନୁଯାୟୀ ଆଗୁଆ କ୍ଷତିପୂରଣ ଦେବାକୁ ପିସିସି କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବି କରାଯାଇଛି।