Odiapua.com

ପ୍ରହସନ ପାଲଟିଛି ସରକାରୀ ଯୋଜନା : ପଂଚାୟତ ପ୍ରଥମ ପ୍ରକଳ୍ପ ଅଧାପନ୍ତରିଆ!!!

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ଭାବେ ପଂଚାୟତ ଗଠନ ହେବାପରେ ସରକାରଙ୍କ ଅନୁଦାନରେ ନିର୍ମିତ ପ୍ରଥମ ପ୍ରକଳ୍ପ ଅଧାପନ୍ତରିଆ ଅବସ୍ଥାରେ ରହିବା ସରକାରଙ୍କ ପଂଚାୟତ ଗଠନ ଆଭିମୁଖ୍ୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଠାରେ । ସୂଚନା ଅନୁଯାୟୀ:ଗ୍ରାମପଂଚାୟତ ଗୁଡ଼ିକର ସର୍ବାଙ୍ଗିନ ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବାସହ ଏହାର ସଫଳ ରୁପାୟନକୁ ନଜରରେ ରଖି ଓଡ଼ିଶା ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ପଂଚାୟତ ପୁର୍ନଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ଜିଲା ବନ୍ତ ବ୍ଲକରେ ୩ଗୋଟି ନୂତନ ଗ୍ରାମପଂଚାୟତ ଗଠନ ଘୋଷଣା କରାଯାଇଥିଲା । ତଦନୁସାରେ ବନ୍ତ ବ୍ଲକ ଅଧିନରେ ୨୨ଟି ପଂଚାୟତ ପରିବର୍ତ୍ତେ ୨୫ଟି ପଂଚାୟତ କାର୍ଯ୍ୟ କରିଥିଲା । ତନ୍ନମଧ୍ୟରୁ କାଦବରାଙ୍ଗ ପଂଚାୟତକୁ ଭାଗକରାଯାଇ ନୂତନ ଭାବେ ବଡ଼ବର୍ଚ୍ଚିକୟାଁ ପଂଚାୟତ ଗଠନ କରାଯାଇଥିଲା । ୬ ଗୋଟି ରାଜସ୍ୱ ଗ୍ରାମ ଯଥା ବଡ଼ବର୍ଚ୍ଚିକୟାଁର ୧୧୮୦ଜଣ, ବିଶଲକଣାର ୧୦୭୪ଜଣ, ଆପ୍ତିରାଷଡ଼ଙ୍ଗୀର ୮୨୦ଜଣ, ରାଉତରାଗଡ଼ିଆର ୭୨୬ଜଣ, କୁସୁନନଗରର ୭୩୫ଜଣ ଓ ଜୟସିଂହପୁରର ୨୧୬ଜଣ ଲୋକସଂଖ୍ୟା ମୋଟ ୪୭୫୧ ଲୋକସଂଖ୍ୟାକୁ ନେଇ ଗଠିତ ହୋଇଥିଲା ଏହି ପଞ୍ଚାୟତ । ନୂତନ ପଂଚାୟତ ଗଠନ ହେବାକୁ ଇତି ମଧ୍ୟରେ ୪ବର୍ଷ ପୁରିବାକୁ ବସିଥିଲେ ସୁଦ୍ଧା ଉକ୍ତ ପଂଚାୟତରେ ସରକାରଙ୍କ ପ୍ରଦତ୍ତ ବିଭିନ୍ନ ଯୋଜନାର ରୂପରେଖକୁ ଦେଖିଲେ ଏହା ସରକାରଙ୍କ ପଂଚାୟତ ଗଠନ ଆଭିମୁଖ୍ୟ ପ୍ରତି ଅଙ୍ଗୁଳ ନିର୍ଦ୍ଦେଶ କରୁଛି ।

ପଂଚାୟତ ଗଠନ ହେବା ପରେ ଉକ୍ତ ପଂଚାୟତ ଅର୍ନ୍ତଗତ କୁସୁନନଗର ଠାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଏକ ଗୋଷ୍ଠିକେନ୍ଦ୍ର ନିର୍ମାଣ ନିମନ୍ତେ ସିଏଫସି ପାଣ୍ଠିରୁ ୨ ଲକ୍ଷ ୫୦ ହଜାର ଟଙ୍କା ମଂଜୁର ହୋଇଥିଲା । ଯାହାକି ଉକ୍ତ ପଂଚାୟତର ପ୍ରଥମ ପ୍ରକଳ୍ପ ବୋଲି ସୂଚନା ମିଳିଛି । ଇତି ମଧ୍ୟରେ ୪ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଉକ୍ତ ପ୍ରକଳ୍ପଟି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଗ୍ରେଡ଼ବିମରେ ଅଟକି ରହିଛି ପ୍ରକଳ୍ପ ନିର୍ମାଣ । ବିଭିନ୍ନ ପାରିପାଶ୍ୱିକ ପରିସ୍ଥିତିକୁ ଅନୁଧ୍ୟାନକୁ ନେଲେ ଉକ୍ତ ପ୍ରକଳ୍ପ ନିର୍ମାଣ ସ୍ଥାନଟି ପ୍ରକଳ୍ପ ନିର୍ମାଣ ପାଇଁ ଉପଯୁକ୍ତ ହୋଇ ନଥିବା ସ୍ଥଳେ କେଉଁ ପରିସ୍ଥିତିରେ ଏଠାରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନ ତରଫରୁ ମଂଜୁରିି ପ୍ରଦାନ କରାଯାଇଥିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ପଂଚାୟତ ଅଧିକାରୀମାନେ ସରକାରୀ ଯୋଜନାକୁ ପ୍ରହସନରେ ପରିଣତ ନକରି ପ୍ରକଳ୍ପ ନିମନ୍ତେ ମଂଜୁର ଅର୍ଥର ସଦୁପଯୋଗ କଲେ ପଂଚାୟତବାସୀ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।