Odiapua.com

ପ୍ରହସନ ପାଲଟିଛି ସଂରକ୍ଷଣ ବ୍ୟବସ୍ଥା……., ପୁରୁଷଙ୍କ ହାତରେ ମହିଳା ଜନପ୍ରତିନିଧିଙ୍କ କ୍ଷମତା

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)) – ସରକାର ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିବା ସହ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରିଛନ୍ତି । ରାଜନୀତି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବାରୁ ୨୦୧୭ ପଂଚାୟତ ନିର୍ବାଚନରେ ୫୦ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିଲା । ଗ୍ରାମପଂଚାୟତ ପୁର୍ନଗଠନ ଆଇନ ଅନୁଯାୟୀ ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ରେ ୨୬ଟି ନୂଆ ପଂଚାୟତ ଗଠନ ହୋଇଥିଲା ଏବଂ ପଂଚାୟତ ସଂଖ୍ୟା ୧୯୨ରୁ ୨୧୮ରେ ପହଂଚିଥିଲା । ୨୦୧୭ ପଂଚାୟତ ନିର୍ବାଚନରେ ୨୧୮ପଂଚାୟତ ମଧ୍ୟରୁ ୧୦୯ଟି ପଂଚାୟତରେ ମହିଳା ସରପଂଚ ଓ ସମିତିସଭ୍ୟା ନିର୍ବାତିତ ହୋଇଥିଲେ । ଏହି ପରିପ୍ରେକ୍ଷିରେ ବନ୍ତ ବ୍ଲକର ୨୫ଟି ପଂଚାୟତରୁ ପୁରୁଷଣ୍ଢ, ବଡ଼ମହିଁଷଗୋଠ, ମହାନ୍ତିପଡ଼ା, କାଦବରାଙ୍ଗ, ଆଡ଼ିଆ, କେନ୍ଦୁଆପଦା, ଟିଲୋ, ସେଣ୍ଡତିରା, ଓ ଗୋବିନ୍ଦପୁର ଏହିପରି ୯ଟି ପଂଚାୟତରେ ମହିଳା ସରପଂଚ କ୍ଷମତା ହାସଲ କରିଥିଲେ । ତନ୍ମଧ୍ୟରୁ ଆଗରପଡ଼ା ଥାନା ଅନ୍ତର୍ଗତ ପୁରୁଷଣ୍ଢ,ବଡ଼ମହିଁଷଗୋଠ,ମହାନ୍ତିପଡ଼ା,କାଦବରାଙ୍ଗ ଏବଂ ଆଡ଼ିଆ ପଂଚାୟତ ଅନ୍ୟତମ ।

ଉକ୍ତ ପଂଚାୟତର ପଂଚାୟତବାସୀ ବହୁ ଆଶା ରଖି ଉକ୍ତ ସରପଂଚଙ୍କୁ ବିଜୟୀ କରାଇଥିବାବେଳେ ଇତି ମଧ୍ୟରେ କାର୍ଯ୍ୟକାଳକୁ ୫ବର୍ଷ ବିତିସାରିଥିଲେ ସୁଦ୍ଧା ବହୁ କ୍ଷେତ୍ରରେ ମହିଳାମାନେ କେବଳ ସରପଂଚ ସିଟ୍‌କୁ ଜାବୁଡ଼ି ଧରିଥିବା ବେଳେ ସେମାନଙ୍କ ସ୍ୱାମୀ ସରପଂଚଙ୍କ କାର୍ଯ୍ୟ ନିର୍ବାହ କରୁଛନ୍ତି । ବହୁ ପଂଚାୟତବାସୀ ସରପଂଚଙ୍କୁ ଚିହ୍ନି ମଧ୍ୟ ପାରିନାହାନ୍ତି । ପ୍ରତ୍ୟେକ ସରକାରୀ କିମ୍ବା ବେସରକାରୀ ସଭାସମିତିରେ ସରପଂଚଙ୍କ ପରିବର୍ତ୍ତେ ସରପଂଚ ପ୍ରତିନିଧି ଅର୍ଥାତ ସେମାନଙ୍କ ସ୍ୱାମୀ ମାନଙ୍କ ଉପସ୍ଥିତି ପରିଲକ୍ଷିତ ହେଉଛି । ସରକାରୀ ଦପ୍ତରରେ ସରପଂଚଙ୍କ ପରିବର୍ତ୍ତେ ସେମାନଙ୍କ ସ୍ୱାମୀଙ୍କ ରାଜୁତି ଚାଲୁଛି । ପଂଚାୟତର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆସୁଥିବା ଅର୍ଥର ବ୍ୟବହାର କିପରି ହେଉଛି ଯଦି ପ୍ରଶ୍ନ କରାଯାଏ ତାହାର ଉତ୍ତର ମଧ୍ୟ ସରପଂଚଙ୍କ ଠାରୁ ମିଳିବା କଷ୍ଟକର ହୋଇପଡ଼ୁଛି । କୋଭିଡ଼-୧୯ ପରି ମହାମାରୀ ସମୟରେ ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଥିଲେ ସୁଦ୍ଧା ସେମାନେ ପଂଚାୟତବାସୀଙ୍କ ପାଇଁ ଆଖି ଦୃଶିଆ କାମ କରିଥିବା ନଜରକୁ ଆସିନାହିଁ । ତେଣୁ ମହିଳାମାନଙ୍କ ପାଇଁ ସଂରକ୍ଷିତ ବ୍ୟବସ୍ଥା କ’ଣ ପାଇଁ ବୋଲି ପ୍ରଶ୍ନ ଉଠିବା ସହ ଏହା ପ୍ରହସନରେ ପରିଣତ ହୋଇଥିବା ଜଣାପଡ଼ିଛି । ତେବେ ଆଗାମୀ ପଂଚାୟତ ନିର୍ବାଚନ ବେଳକୁ ଏହି ୫୦ ପ୍ରତିଶତ ସଂରକ୍ଷିତ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରି ମହିଳା ପ୍ରତିନିଧିମାନେ ରବର ଷ୍ଟାମ୍ପ ନହୋଇ ସେମାନଙ୍କ କାର୍ଯ୍ୟ ନିଜେ ସଂପାଦନା କରିବା ବ୍ୟବସ୍ଥା ସରକାରଙ୍କ ତରଫରୁ କରାଯିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।