Odiapua.com

ପ୍ରହସନ ପାଲଟିଛି ଟିକିରା-ଶ୍ରୀରାମପୁର ସେତୁ ନିର୍ମାଣ : ଆପ୍ରୋଚ ରୋଡ଼ ସମସ୍ୟାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଭଦ୍ରକ, ୧୩-୬ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)- ପ୍ରକଳ୍ପ ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କାର ଅର୍ଥ ମଂଜୁର କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ପ୍ରକଳ୍ପ ନିର୍ମାଣରେ ନାନାଦି ଅସୁବିଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସ୍ଥିତ ଟିକିରା-ଶ୍ରୀରାମପୁର ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ସାଳନ୍ଦୀ ନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ବିଜୁ ସେତୁ କ୍ଷେତ୍ରରେ। ଉକ୍ତ ସ୍ଥାନରେ ପ୍ରକଳ୍ପ ନିର୍ମାଣ ହେଉଛି ସତ କିନ୍ତୁ ପ୍ରକଳ୍ପ ନିର୍ମାଣ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ପୂର୍ବରୁ ବିଭାଗୀୟ ଅଧିକାରୀ ଏଥିନେଇ ଲାଗି ରହିଥିବା ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ନବେଇଥିବାରୁ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଛି। ଉକ୍ତ ରୋଡ଼ ନିର୍ମାଣକୁ ନେଇ କ୍ଷତି ଗ୍ରସ୍ତ ପରିବାରଙ୍କ ଅଭିଯୋଗ ପରେ ଶନିବାର ପ୍ରଶାସନିକ ଅଧିକାରୀ କ୍ଷେତ୍ର ପରିଦର୍ଶନ କରିଥିବା ଜଣାପଡ଼ିଛି। ଏଠାରେ ପ୍ରକାଶ ଥାଉକି;ଟିକିରା-ଶ୍ରୀରାମପୁର ଅଂଚଳର ପ୍ରମୁଖ ବ୍ୟବସାୟୀକ କେନ୍ଦ୍ର ଆଗରପଡ଼ା କିନ୍ତୁ ସାଳନ୍ଦୀ ନଦୀ ଏଥି ପାଇଁ ବାଧକ ସୃଷ୍ଟି ହେଉଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଦାବି ଫଳରେ ସ୍ୱର୍ଗତ ତତ୍କାଳିନ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ ଓ ବିଧାୟକଙ୍କ ସହଯୋଗରେ ବିଜୁ ସେତୁ ନିର୍ମାଣ ପାଇଁ ୪ କୋଟି ୨୧ ଲକ୍ଷ ୯୨ ହଜାର ୪୨୦ ଟଙ୍କାର ପ୍ରକଳ୍ପ ମଂଜୁର ହୋଇଥିଲା। ଏହାର ଲମ୍ବ ୬୦.୧୫ ମିଟର ଓ ପ୍ରସ୍ଥ ୮.୩୫ ମିଟର। ବିଜୁ ସେତୁ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେବା ପରେ ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟର ଫଳକକୁ ଉଦ୍‌ଘାଟନ କରିଥିଲେ। ୨୦୧୬ ଫେବୃୟାରୀ ୪ ତାରିଖରେ ନିର୍ମାଣ ହୋଇ ୨୦୧୭ ଅକ୍ଟୋବର ୩ରେ କାର୍ଯ୍ୟ ଶେଷ ହେବାର ଥିଲା। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରୁ ଅବଧି ସରିବାର ବହୁ ବିଳମ୍ବରେ ସେତୁ କାର୍ଯ୍ୟ ସମାପ୍ତି ହୋଇଥିଲେ ସୁଦ୍ଧା ବର୍ତ୍ତମାନ ରାସ୍ତା ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ ଆଉ ଏକ ସମସ୍ୟା ରୂପେ ଠିଆ ହୋଇଛି। ଶ୍ରୀରାମପୁର ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ସମସ୍ୟା ସମାଧାନ ହୋଇ ଏହା ନିର୍ମାଣାଧିନ ଥିବାବେଳେ। ଟିକିରା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ନେଇ ଦେଖା ଦେଇଥିବା ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ଯଦ୍ୱାରା ଏହା ସର୍ବସାଧାରଣ ରାସ୍ତା ସହିତ ସଂଯୋଗ କରାଯାଇ ପାରୁନାହିଁ। ଇତି ମଧ୍ୟରେ ବିଜୁ ସେତୁ ନିର୍ମାଣକୁ ୫ରୁ ଅଧିକ ସମୟ ପୂରିବା ସହ ନିର୍ମାଣ ଅବଧି ସରିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବିଜୁ ସେତୁ ସଂପୂର୍ଣ୍ଣ ହେବାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷଭାବ ପ୍ରକାଶ ପାଇଛି। ଶ୍ରୀରାମପୁର, ସାହୁପଡ଼ା, ଗୋପୀନାଥପୁର, ମାର୍କଣ୍ଡପୁର ଆଦି ଗ୍ରାମବାସୀମାନେ ସେତୁ ନିର୍ମାଣ ହୋଇନଥିବାରୁ ଯାତାୟାତ କରିବାରେ ନାନାଦି ଦୂର୍ଦ୍ଦଶାଦେଇ ଗତି କରୁଛନ୍ତି। ଅଧିକ ରାସ୍ତା କାଣ୍ଡବା ସେତୁ ଦେଇ ଦୈନ୍ୟଦିନ ଯାତାୟାତ କରୁଛନ୍ତି ନ ହେଲେ ବିପଦ ସଙ୍ଗୁଳ ପରିସ୍ଥିତିରେ ନଦୀ ଉପରେ ଅସ୍ଥାୟୀ ଖୁମ୍ବରେ ପଡ଼ିଥିବା ବାଉଁଶ ଚାରରେ ଯାତାୟତ କରୁଛନ୍ତି। ଲୋକମାନଙ୍କ ସମେତ ରୋଗୀମାନେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରୀ ସ୍ତରରେ ଯୋଜନା ପରେ ଯୋଜନା କରାଯାଉଛି କିନ୍ତୁ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଯୋଜନା ଗୁଡ଼ିକ ସଫଳ ହେବା ପରିବର୍ତ୍ତେ ବିଫଳ ହେବା ସହ ନିମ୍ନମାନର କାର୍ଯ୍ୟ ଓ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ସାଧାରଣ ଜନତା କେବଳ ହନ୍ତସନ୍ତ ହେବା ସାର ହେଉଛି। ସ୍ଥାନୀୟ ନେତା, ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରାରେ ପ୍ରାୟ ସମସ୍ତ ଉନ୍ନୟନ କାର୍ଯ୍ୟ ଚାଲୁଥିବାରୁ ଅବଧି ଶେଷ ପରେ ବର୍ଷାଧିକ କାଳ ଅତିକ୍ରମ କରିବା ସହ ବର୍ତ୍ତମାନ ବର୍ଷାଋତୁ ଆସିଯାଇ ଥିବାରୁ ଉକ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ କ୍ଷତିଗ୍ରସ୍ତ ପରିବାରଙ୍କ ଅଭିଯୋଗ ପରେ ଶନିବାର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଅରୁଣ କୁମାର ମହାପାତ୍ର, ବନ୍ତ ତହସିଲଦାର ଇନ୍ଦିରା ସାହୁ, ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳକୁ ଆସି ସଂଯୋଗୀକରଣ(ଆପ୍ରୋଚ ରୋଡ଼) ନିର୍ମାଣ କୁ ନେଇ କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଜନା କରି ଥିବା ଜଣାପଡ଼ିଛି।