Odiapua.com

ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତି- ୨୦୧୯ : ସ୍ୱପ୍ନ ବନାମ୍ ବାସ୍ତବତା ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ

ଭୁବନେଶ୍ୱର, ୨୫ା୧୦ (ଓଡ଼ିଆ ପୁଅ) : ଗୁରୁବାରଦିନ ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ “ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତି- ୨୦୧୯ ଏକ ବିଶ୍ଳେଷଣ – ସ୍ୱପ୍ନ ବନାମ୍ ବାସ୍ତବତା” ଶୀର୍ଷକ ଆଲୋଚନାଚକ୍ର ଭୁବନେଶ୍ୱର ଲୋହିଆ ଏକାଡେମୀଠାରେ ଅନୁଷ୍ଠିତ ହୋଇଯାଇଛି। ଏ.ଆଇ.ଏସ୍.ଏଫ୍. ରାଜ୍ୟ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏ.ଆଇ.ଏସ୍.ଏଫ୍. ପକ୍ଷରୁ ପ୍ରକାଶିତ ପ୍ରଫେସର ଅମୀୟ କୁମାର ମହାନ୍ତିଙ୍କ ଦ୍ୱାରା ସଂକଳିତ “ଚିଠା ଜାତୀୟ ଶିକ୍ଷାନୀତି- ୨୦୧୯ ଏକ ବିଶ୍ଳେଷଣ ସ୍ୱପ୍ନ ବନାମ ବାସ୍ତବତା” ଏକ ବିଶ୍ଳେଷଣାତ୍ମକ ପୁସ୍ତକ ଉନ୍ମୋଚନ ମାଧ୍ୟମରେ ଆଲୋଚନା ଚକ୍ର ଉଦ୍ଘାଟିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଗୋଲକ ବିହାରୀ ନାଥ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବୀରେନ୍ଦ୍ର ନାୟକ ସମଗ୍ର ଦେଶରେ ଶିକ୍ଷା ସଂକଟର କାରଣ ଓ ନିରାକରଣ ସମ୍ପର୍କରେ ସୂଚନା ଦେଇଥିଲେ। ପୁସ୍ତକ ସଂକଳକ ପ୍ରଫେସର ଅମୀୟ କୁମାର ମହାନ୍ତି ଭାରତର ଶିକ୍ଷା ନୀତିର ଇତିହାସ, ଶିକ୍ଷାରେ ଧନୀ ଗରିବ ବୈଷମ୍ୟ ବ୍ୟବସ୍ଥା, ପ୍ରସ୍ତାବିତ ଜାତୀୟ ଶିକ୍ଷାନୀତିରେ ପ୍ରାକ୍ ବିଦ୍ୟାଳୟ, ବିଦ୍ୟାଳୟ, କଲେଜ, ବିଶ୍ୱବିଦ୍ୟାଳୟ, ଗବେଷଣା ଓ ଅନୁସନ୍ଦାନ, ଶିକ୍ଷକ, ଶିକ୍ଷା କର୍ମଚାରୀ, ଏହାର ପରିଚାଳନା ବ୍ୟୟ ବ୍ୟବସ୍ଥା, କମ୍ପାନୀ ସତ୍ତ୍ୱ ଇତ୍ୟାଦିରେ କ’ଣ ବ୍ୟବସ୍ଥା ଅଛି, ଏହା ଧନୀ ଗରିବ, ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ନିଶୁଳ୍କ, ଗୁଣାତ୍ମକ ଓ ବିଜ୍ଞାନ ସମ୍ମତ ଶିକ୍ଷା ଦେବାରେ ସକ୍ଷମ ହେବ କି ଅନ୍ଧ ବିଶ୍ୱାସ, ଘୃଣା ଓ ଦ୍ୱେଷ ବୃଦ୍ଧିର କାରଣ ହେବ, ସେ ସମ୍ପର୍କରେ ପ୍ରାଞ୍ଜଳ ବିଶ୍ଳେଷଣ ଉପସ୍ଥାପନ କରିଥିଲେ। ଏକ ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନ ବେଳେ ତରବରିଆ ନ ହୋଇ ଶିକ୍ଷାର ସମସ୍ତ ହିତାଧିକାରୀଙ୍କ ସହ ବ୍ୟାପକ ଚର୍ଚ୍ଚା କରିବା ସହ, ଆଗାମୀ ଏକ ବର୍ଷ ମଧ୍ୟରେ ହିତାଧିକାରୀ ଓ ଶିକ୍ଷାବିତଙ୍କ ପ୍ରସ୍ତାବ ଭିତ୍ତିରେ ନୂତନ ଜାତୀୟ ଶିକ୍ଷାନୀତିର ସ୍ୱରୂପ ନିର୍ଣ୍ଣୟ କରିବା ଆବଶ୍ୟକତା ଉପରେ ଅଖିଳ ଭାରତ ଛାତ୍ରସଂଘ କେନ୍ଦ୍ରୀୟ ନେତା ସୈକତ ଗିରି ଦାବି କରିବା ସହ ଦେଶର ସର୍ବ ପ୍ରଥମ ଛାତ୍ର ସଂଗଠନ ଏଆଇଏସ୍ଏଫ୍ ଏହି ଶିକ୍ଷାନୀତିର ହାନି ଲାଭ ସମସ୍ତ ବିଷୟ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିକଟକୁ ନେଇ ଏହାର ଆମୂଳଚୁଳ ପରିବର୍ତ୍ତନ ପାଇଁ ସମସ୍ତ ଉଦ୍ୟମ କରୁଛି ଏବଂ ଓଡ଼ିଶାରେ ମଧ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ଏହି ଆଲୋଚନା ଚକ୍ରରେ ଏମ.ଏଲ. ଦେଶପ୍ରିୟ ପଣ୍ଡା, ସ୍ୱିଟି ଜେନା, ଶ୍ରୀମା ଶତପଥି, ରୀତୁ ପ୍ରସାଦ, ଦିବ୍ୟଜ୍ୟୋତି ଜେନା, ରାଜା ରାମ ଡୋଙ୍ଗ୍ରୀ, ଧରଣୀଧର ବାଗ୍, ସୁମନ୍ତ ନାହାକ, ଲକ୍ଷ୍ମୀପ୍ରିୟା ଭୋଇ, ସଂଗ୍ରାମ କେଶରୀ ବେହେରା, ପବିତ୍ର କୁମାର ସ୍ୱାଇଁ, ମୀର ଅହମ୍ମଦ ଅଲ୍ଲି ି ଓ ତପନ ମହାରଣା ପ୍ରମୁଖ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରକୁ ଏ.ଆଇ.ଏସ୍.ଏଫ୍.ର ପୂର୍ବତନ ରାଜ୍ୟ ସଭାପତି ଏନ୍. ନାରାୟଣ ରେଡ୍ଡୀ, ଡାକ୍ତର ପ୍ରଶାନ୍ତ ମିଶ୍ର, ସୁବାସ ମହାପାତ୍ର, ପୂର୍ବତନ ରାଜ୍ୟ ସମ୍ପାଦକ ଜୟନ୍ତ ଦାସ, ପୂର୍ବତନ ରାଜ୍ୟ ନେତା ଅବକାସ ସାହୁ, କପିଳ ମହାନ୍ତି ସତ୍ୟରଞ୍ଜନ ମହାନ୍ତି, ସତୀଶ ମିଶ୍ର, ଦେବ ହରି ରାଉଳ, ତପନ କୁମାର ସିଟ୍ ପ୍ରମୁଖ ଅଭ୍ୟର୍ଥନା ପ୍ରଦାନ କରିଥିଲେ।