ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ତୋଟାସାହି-ପାରାବନ୍ଧର ମଧ୍ୟମ ସ୍ଥଳ ରାସ୍ତା ପାର୍ଶ୍ୱରେ ଅବସ୍ଥିତ ‘ସାବିତ୍ରୀ ପୀଠ’ । ଏହି ପୀଠ ସାବିତ୍ରୀ ବ୍ରତ ପାଳନ ପାଇଁ ଚଳଚଂଚଳ ହୋଇଛି । ଆଜି ପ୍ରାୟ ୨୦ ହଜାର ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା।ଏକଦା ସରୁସାଗର ନଦୀ ନିକଟସ୍ଥ ଘଂଚ ଜଙ୍ଗଲ ମଧ୍ୟରେ ଶ୍ରୀ ଅନନ୍ତ ମାଧବଜୀଉ, ମା’ ବନଦୁର୍ଗା, ମହାସତୀ ସାବିତ୍ରୀ ଓ ତାଙ୍କ ସ୍ୱାମୀ ସତ୍ୟବାନଙ୍କର ତିନୋଟି ମୁଗୁନି ପ୍ରସ୍ତର ନିର୍ମିତ ମୂର୍ତିକୁ ସରମରା ଗ୍ରାମର ଜଣେ ବୁଣାକାର ଜାତିର ମହିଳା ଠାବ କରିଥିଲେ । ସେ ଦୈନନ୍ଦିନ ଏହି ରାସ୍ତାଦେଇ କପଡ଼ା ବ୍ୟବସାୟ କରିବାକୁ ଆଗରପଡ଼ା ହାଟକୁ ଯାଉଥିବା ବେଳେ ଏହି ମୂର୍ତିକୁ ଜଣାଉଥିଲେ ଯେ- ‘ମୋର ବ୍ୟବସାୟ ଭଲ ଚାଲିଲେ ମୁଁ ପ୍ରତିଦିନ ଗୋଟିଏ ଲେଖାଏଁ ମୁଆଁ ଭୋଗ ଲଗାଇବି । ସେହିଦିନ ଠାରୁ ବୃଦ୍ଧାଙ୍କର ଭଲ ବ୍ୟବସାୟ ହେବାରୁ ସେ ସେଠାରେ ମୁଆଁ ଭୋଗ ଲଗାଇଲେ। ଆଗରପଡ଼ା ଜମିଦାର ଜଗବନ୍ଧୁ ରାୟ ଉକ୍ତ ବିଗ୍ରହଙ୍କୁ ନିଜ ପ୍ରାସାଦକୁ ନେଇ ପୂଜା କରିବାକୁ ମନସ୍ଥ କରିଥିଲେ ହେଁ ଠାକୁରଙ୍କ ସ୍ୱପ୍ନାଦେଶ ଯୋଗୁଁ ମୂର୍ତିକୁ ଉକ୍ତ ସ୍ଥାନରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଗଲା। କାଳକ୍ରମେ ଏହି ପୀଠ ଆଜି ‘ସାବିତ୍ରୀପୀଠ’ ନାମରେ ଖ୍ୟାତ ହୋଇଛି। ଗୋଟିଏ ଦିନ ଏଠାରେ ସାବିତ୍ରୀ ବ୍ରତ ପାଳନ କରାଯାଉଥିଲା । ଏହି ବ୍ରତରେ ସତ୍ୟବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ କୁରାଢ଼ୀକୁ ମଧ୍ୟ ପୂଜା କରାଯାଇଥାଏ।ମେଳା ପାଇଁ ମିନାବଜାର, ଦୋଳି ସମେତ ମନୋରଞ୍ଜନ ପାଇଁ ଏଠାରେ ମେଲୋଡି, ଯାତ୍ରା, ପାଲା ଏବଂ ଭଜନସନ୍ଧ୍ୟାର ଆୟୋଜନ କରାଯାଇଛି ପୀଠରେ ଭଦ୍ରକ ସମେତ କେନ୍ଦୁଝର, ଯାଜପୁର, ବାଲେଶ୍ୱର, ସମେତ ବିଭିନ୍ନ ସ୍ଥାନରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।ଭଦ୍ରକ ସାଂସଦ ଅଭିମନ୍ୟୁ ସେଠି, ପ୍ରାକ୍ତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ସାମଲ,ବିଧାୟକ ସଂଜୀବ କୁମାର ମଲ୍ଲିକ , ବିଜେପି ନେତା ସୁଧାଂଶୁ ନାୟକ ଉପସ୍ଥିତ ରହି ମାଙ୍କ ଆଶିଷ କୃପା ଲାଭ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସାବିତ୍ରୀ ପୂଜା କମିଟିର ସମସ୍ତ ସଦସ୍ୟ ଓ ଅଂଚଳବାସୀ ସହଯୋଗ କରିଥିଲେ।