Odiapua.com

ପ୍ରସିଦ୍ଧ ଭଦ୍ରକ କାଳୀପୂଜା, ଏଥର ୯ଟି ମଣ୍ଡପରେ ପୂଜା ପାଇବେ ମା’, ସଜେଇ ହେଲାଣି ଚରମ୍ପା

ଭଦ୍ରକ, ୧୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କାଳୀପୂଜା ଓଡ଼ିଶା ପ୍ରସିଦ୍ଧ । ବିଶେଷ କରି ଭଦ୍ରକ ଚରମ୍ପା ଷ୍ଟେସନ ଅଂଚଳର କାଳୀପୂଜା ଜିଲ୍ଳା ଓ ରାଜ୍ୟ ର ଖ୍ୟାତି ରହିଛି । ଆଉ ଏହି କାଳୀପୂଜା ଲାଗି ଭଦ୍ରକ ଚରମ୍ପା ଅଂଚଳ ଏବେ ସଜେଇ ହେଲାଣି । ଏ ବର୍ଷ ୯ଟି ପୂଜା ମଣ୍ଡପରେ ପୂଜା ଆୟୋଜନ ହେବାକୁ ଥିବା ବେଳେ ମୂର୍ତିଗଢ଼ା ଓ ତୋରଣ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସ୍ଥାୟୀ ପୀଠରେ ସ୍ୱତନ୍ତ୍ର ପୂଜା ସାଙ୍ଗକୁ ମାଙ୍କ ସପ୍ତମାତୃକା ବେଶ ୧୨ ତାରିଖ ଦୀପାବଳୀ ଠାରୁ ୭ଦିନ ପର୍ଯ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ପୂଜାପାଠ ସାଙ୍ଗକୁ ମହାଯଜ୍ଞ ଆୟୋଜିତ ହେବ । ଦୀପାବଳୀ ଠାରୁ ୭ ଦିନ ପର୍ଯ୍ୟନ୍ତ ଚରମ୍ପା ଅଂଚଳରେ କାଳୀପୂଜା ଉପଲକ୍ଷେ ସ୍ୱତନ୍ତ୍ର ପର୍ବ ଅନୁଷ୍ଠିତ ହେବ । ଜିଲ୍ଲା ବାହାରୁ ଆସିଥିବା ଛୋଟବଡ଼ ବ୍ୟବସାୟୀ, ମୀନାବଜାର, ରାମଦୋଳି ସହ ବହୁ ଦୋକାନୀ ଭଦ୍ରକରେ ପହଂଚି ସେମାନଙ୍କର ପ୍ରସ୍ତୁତି ଆରମ୍ଭ କଲେଣି । ପୂଜା ପାଇଁ ବିଭିନ୍ନ ଯାତ୍ରାପାର୍ଟିର ବ୍ୟାନର ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ବେଳେ ବିଭିନ୍ନ ରାଜନେତା ଓ ସମାଜସେବୀଙ୍କ ଅଭିନନ୍ଦନ ବ୍ୟାନର ମଧ୍ୟ ସହର ତମାମ ଛାଇ ହୋଇଗଲାଣି । ପ୍ରାୟ ୧୦୬ ବର୍ଷ ତଳେ ଜଣେ ଦକ୍ଷିଣ ଭାରତୀୟ କର୍ମଚାରୀଙ୍କ ଦ୍ୱାରା ରେଳବାଇ ପରିସରରେ ପ୍ରଥମେ ପୂଜା ଆରମ୍ଭ ହୋଇଥିଲା । ସେହି ପାରିବାରିକ କାଳୀପୂଜା ଏବେ ଭଦ୍ରକର ଗଣପର୍ବ ରୂପ ନେଇ ସାରିଛି । ରେଳବାଇ କର୍ମଚାରୀଙ୍କ ସହ ଚରମ୍ପା ବଜାରର ବଣିକ ସଂଘ ଓ ଜନସାଧାରଣଙ୍କ ସହଯୋଗରେ ଷ୍ଟେସନ ବଜାର ଅଂଚଳର ଟ୍ରାଫିକ ଛକ, ଚରମ୍ପା ବଜାରର ସ୍କୁଲ ରୋଡ଼ ପୂଜା କମିଟି ପକ୍ଷରୁ ଆର୍‌ସିବିଏଲ ସ୍କୁଲ ପରିସର, ନବଗ୍ରହ ମନ୍ଦିର ରୋଡ଼ ଏରେଇଁ, ପିଡବ୍ଲ୍ୟୁଆଇ ଓ ରାଜଘାଟ ପୋଲ ନିକଟରେ କାଳୀପୂଜା ଅନୁଷ୍ଠିତ ହେଉଛି ।

ସେହିପରି ଚରମ୍ପାର ଡଗରାସାହି, ପଥରଆଡ଼ି କାଳୀପୂଜା କମିଟି, କାଉଡିଆ ସଂଘ କାଳୀପୂଜା କମିଟି ଏପରି ସମୁଦାୟ ୯ଟି ସ୍ଥାନରେ ମାଙ୍କୁ ଅସ୍ଥାୟୀ ପୂଜା ମଣ୍ଡପରେ ପୂଜା କରାଯିବ । ପିଡବ୍ଲ୍ୟୁଆଇ ପୂଜା ମଣ୍ଡପ ଚଳିତ ବର୍ଷ ଶହେ ବର୍ଷରେ ପଦାର୍ପଣ କରିଥିବା ବେଳେ ୧୦ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚତା ବିଶିଷ୍ଟ ମା’କାଳୀଙ୍କ ମୃଣ୍ମୟୀ ମୂର୍ତି ଓ ବିଭିନ୍ନ ପୌରାଣିକ କିମ୍ବଦନ୍ତୀକୁ ନେଇ ପାଶ୍ୱର୍ମୂର୍ତି ନିର୍ମାଣ କରାଯାଇଛି । ଚଳିତ ବର୍ଷ ୭ଲକ୍ଷ ୫୦ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ପାଇଁ ବଜେଟ୍ ଆକଳନ କରାଯାଇଛି ବୋଲି କମିଟି ସଭାପତି ରଞ୍ଜିତ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ସ୍କୁଲ ରୋଡ଼ ପୂଜା ମଣ୍ଡପରେ ମା ଙ୍କ ମୃଣ୍ମୟୀ ମୂର୍ତି ସାଙ୍ଗକୁ ପାଶ୍ୱର୍ମୂର୍ତି ଗୁଡିକ ସାମ୍ପ୍ରତିକ ଘଟଣାବଳୀକୁ ନେଇ ନିର୍ମିତ ହୋଇଛି । ବିଶେଷ କରି ଭୋଟର କାର୍ଡ, ଭତା ଆଦିକୁ ନେଇ ସରପଂଚ, ୱାର୍ଡ଼ମେମ୍ବରଙ୍କ ପତିଆରା ଆଦି ରାଜନୈତିକ ସମସ୍ୟାକୁ ନେଇ ପାଶ୍ୱର୍ମୂର୍ତି ନିର୍ମାଣ କରାଯାଇଛି । ଆସନ୍ତା ୧୪ ତାରିଖରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ଥିବା ବେଳେ ଏଥର ପୂଜାରେ ୭ଲକ୍ଷ ଟଙ୍କା ବଜେଟ୍ ରଖାଯାଇଛି ବୋଲି ପୂଜା କମିଟି ସଭାପତି କଲ୍ଲୋଳ କୁମାର ଲେଙ୍କା ସୂଚନା ଦେଇଛନ୍ତି । ଚରମ୍ପା ଅଂଚଳରେ କାଳୀପୂଜା ଲାଗି ମୁଖ୍ୟତ ଶାନ୍ତିଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ସମସ୍ୟାକୁ ସର୍ବାଧିକ ଗୁରୁତ୍ୱଦେବାକୁ ଚରମ୍ପା ଅଂଚଳର ବିଶିଷ୍ଟ ସମାଜସେବୀ ରୋଟାରିଆନ୍ ଶିଶିର କୁମାର ମିଶ୍ର ଦାବି କରିଛନ୍ତି ।